Breaking NewsFeaturedରାଜନୀତି

୩୨ ବର୍ଷ ପୂର୍ବେ ଏମିତି ଥିଲେ ରାହୁଲ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଗଲା । ସାରା ଦେଶ ସ୍ତବ୍ଧ ହୋଇଗଲା । ସେ ଦିନ ଥିଲା ୧୯୯୧ ମସିହା ମଇ ୨୧ ତାରିଖ । ତାମିଲନାଡୁରେ ଆତ୍ମଘାତୀ ଆକ୍ରମଣରେ ଟଳିପଡ଼ିଲେ ରାଜୀବ ଗାନ୍ଧି । ୧୯୪୪ ଅଗଷ୍ଟ ୨୦ ତାରିଖରେ ଜନ୍ମିତ ରାଜୀବ ମାତ୍ର ୪୦ ବର୍ଷ ବୟସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦେଶରେ ରେକର୍ଡ ସୃଷ୍ଟି କରିଥିଲେ । ତାଙ୍କର ନିଧନ ଖବର ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା । ୩୨ ବର୍ଷ ପୂର୍ବେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା । ଆଜି ତାଙ୍କର ସ୍ୱନକ୍ଷତ୍ର ତଥା ଜୟନ୍ତୀ ।

ସେତେବେଳକୁ ରାଜୀବଙ୍କ ପୁତ୍ର ରାହୁଲ ଗାନ୍ଧିଙ୍କୁ ହୋଇଥିଲା ମାତ୍ର ୨୦ ବର୍ଷ । ଯୁବାବସ୍ଥାରେ ପିତାଙ୍କୁ ହରାଇ ଖୁବ୍ ଭାଙ୍ଗି ପଡ଼ିଥିଲେ ରାହୁଲ । ୧୯ ଜୁନ୍ ୧୯୭୦ରେ ଜନ୍ମିତ ରାହୁଲ ଆଜି ୫୨ଟି ବସନ୍ତ ପାର କରି ୫୩ବର୍ଷ ବୟସରେ ଦେଶର ରାଜନୀତିରେ ଏକ ପ୍ରମୁଖ ଚେହେରା । ଆଜି ବାପାଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଲଦାଖର ପେଙ୍ଗାଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆପଣଙ୍କ ଚିହ୍ନ ହିଁ ମୋର ଚଲାପଥ ବୋଲି ବିନମ୍ରତା ପ୍ରକାଶ କରିଛନ୍ତି ।

ଆସନ୍ତୁ ଜାଣିବା ରାହୁଲଙ୍କ ପିଲାବେଳ ଓ ତାଙ୍କ ଜୀବନର ଚଲାପଥ ସମ୍ପର୍କରେ କିଛି:

ରାହୁଲଙ୍କ ଜନ୍ମ ଦେଶର ରାଜଧାନୀ ଦିଲ୍ଲୀରେ । ସେ ତାଙ୍କ ପିଲାବେଳ ସମୟ ଦିଲ୍ଲୀ ଆଉ ଡେରାଡୁନରେ ବିତାଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସାଧାରଣ ପରିବେଶରୁ ବେଶ ଦୂରତାରେ ରଖାଯାଇଥିଲା । ପ୍ରାଥମିକ ଶିକ୍ଷା ନୂଆଦିଲ୍ଲୀରେ ସରିବାର ପରେ ଡେରାଡୁନର ଦ ଡୁନ୍ ସ୍କୁଲ୍‌ରେ ପଢ଼ିଥିଲେ । ଏହାପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରେ ଅଣ୍ଡର୍ ଗ୍ରାଜୁଏଟ୍ ଡିଗ୍ରୀ ଅଧ୍ୟୟନ କରି ହାଭାର୍ଡ ୟୁନିଭର୍ସିଟିରେ ନାମ ଲେଖାଇଥିଲେ । କିନ୍ତୁ ସେଠାରୁ ଫ୍ଲୋରିଡାର ରୋଲିନ୍ସ କଲେଜକୁ ତାଙ୍କୁ ଟ୍ରାନ୍ସଫର୍ ହେବାକୁ ପଡ଼ିଥିଲା । ୧୯୯୪ରେ ରାହୁଲ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ । ତେବେ ସବୁବେଳେ ତାଙ୍କ ସୁରକ୍ଷା ନେଇ ପରିବାରର ଚିନ୍ତା ବଢ଼ି ଯାଇଥିଲା । କାରଣ ବାପା ରାଜୀବଙ୍କୁ ହତ୍ୟା ପରେ ପରେ ରାହୁଲଙ୍କ ପାଇଁ ଖୁବ୍ ଚିନ୍ତିତ ଥିଲେ ମା’ ସୋନିଆ ଓ ପୂରା ଗାନ୍ଧି ପରିବାର । ୧୯୯୫ରେ କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ରାହୁଲ ଏମଫିଲ୍ ଶିକ୍ଷା ସମାପ୍ତ କରିବା ପରେ ଲଣ୍ଡନର ଏକ ମ୍ୟାନେଜମେଣ୍ଟ କନ୍ସଲଟିଙ୍ଗ ମନିଟର୍ ଗ୍ରୁପ୍‌ରେ ପ୍ରଫେସନାଲ କ୍ୟାରିଅର୍ ଆରମ୍ଭ କରିଥିଲେ । କିନ୍ତୁ କିଛିଦିନ ଭିତରେ ସେ ଭାରତ ଫେରିଆସିଥିଲେ ଏବଂ ମୁମ୍ବାଇରେ ବ୍ୟାକଅପ୍ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଟେକ୍ନୋଲୋଜି ଆଉଟସୋର୍ସିଂ ଫାର୍ମ ଆରମ୍ଭ କରିଥିଲେ ।

ତେବେ ୨୦୦୪ ଥିଲା ରାହୁଲଙ୍କ ପାଇଁ ଏକ ନୂତନ ଅଧ୍ୟାୟ । ବାପାଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଧିବଦ୍ଧ ଭାବେ ରାଜନୀତିରେ ପାଦ ଦେଇଥିବା ଘୋଷଣା କରିଥିଲେ । ଉକ୍ତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବାପାଙ୍କ ନିର୍ବାଚନ ମଣ୍ଡଳୀ ଆମେଥିରୁ ସେ ଲଢ଼ିଥିଲେ । ଆଉ ବିଜୟ ତାଙ୍କର କ୍ରମାଗତ ହୋଇଚାଲିଥିଲା । ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଆମେଥିରୁ ବାଜିମାତ କରିଆସିଥିଲେ ରାହୁଲ ।

 

ସେପଟେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ଉପ-ସଭାପତି ବା ଉପାଧ୍ୟକ୍ଷ ଭାବେ ୨୦୧୩ରେ ତାଙ୍କୁ ମିଳିଥିଲା ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ସେ ଜେନେରାଲ ସେକ୍ରେଟାରି ଭାବେ ରହିସାରିଥିଲେ । କିନ୍ତୁ ୨୦୦୯ରେ ୨୦୬ଟି ଆସନ ଅକ୍ତିଆର କରିନେଥିବା କଂଗ୍ରେସ ୨୦୧୪ରେ ମାତ୍ର ୪୪ ସିଟ୍ ପାଇ ଶୋଚନୀୟ ପରାଜୟ ହୋଇଥିଲା । ଏହା ପରେ ମଧ୍ୟ ରାହୁଲଙ୍କ ପ୍ରତି ଦଳର ଥିଲା ଖୁବ୍ ଭରସା । ୨୦୧୭ରେ ମା’ ସୋନିଆ ଗାନ୍ଧିଙ୍କ ବଦଳରେ ରାହୁଲଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦ ଭାର ଦିଆଯାଇଥିଲା ଏବଂ ତାଙ୍କ ନେତୃତ୍ୱରେ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିଥିଲା କଂଗ୍ରେସ । ଆଉ ପୂର୍ବଥର ଅପେକ୍ଷା କିଛି ସିଟ୍ ଅଧିକ ପାଇଥିଲେ ମଧ୍ୟ ୫୨ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା କଂଗ୍ରେସକୁ ।

ସେହିପରି ରାହୁଲଙ୍କ ହାତରୁ ଆମେଥି ଆସନ ଖସି ଯାଇଥିବାବେଳେ ସେ କେରଳର ୱାୟନାଡାରୁ କିନ୍ତୁ ଜିତି ସାଂସଦ ରହିଆସିଛନ୍ତି । ତେବେ ଅନେକ ବିବାଦ ମଧ୍ୟ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି । ବିଶେଷକରି ମୋଦି ସରନେମ୍ କୁ ନେଇ ଦେଇଥିବା ବୟାନ ପାଇଁ ତାଙ୍କୁ ତଳକୋର୍ଟରୁ ହାଇକୋର୍ଟ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ସେ ସାଂସଦ ପଦରୁ ବଞ୍ôଚତ ରହିଥିଲେ । ପରେ ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିବା ପରେ ସେ ନିକଟରେ ପୁଣି ସାଂସଦ ପଦ ଫେରି ପାଇବା ସହ ଗୃହର ମୌସୁମୀ ଅଧିବେଶନରେ ଅନର୍ଗଳ ବକ୍ତବ୍ୟ ଦେଇପାରିଛନ୍ତି । ଏହା ପରେ ପରେ ନିଜ ନିର୍ବାଚନ ମଣ୍ଡଳୀ ୱାୟନାଡା ଗସ୍ତ କରିସାରିଥିବା ରାହୁଲ ଗାନ୍ଧି ପୁଣି ଆମେଥିରୁ ଲଢ଼ିବେ ବୋଲି ନିକଟରେ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ମତ ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାରେ ରହିଛି । ସେହପରି ଆଗକୁ ସେ ଭାରତ ଯୋଡ଼ ଯାତ୍ରାର ପୂର୍ଣ୍ଣାଙ୍ଗ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସେ ଯାହାବି ହେଉ ବାପାଙ୍କ ଜନ୍ମଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲଦାଖ ପେଙ୍ଗାଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ରାହୁଲ କହିଛନ୍ତି ଯେ ଦେଶପାଇଁ ରାଜୀବ ଗାନ୍ଧି ଯାହା ସ୍ୱପ୍ନ ଦେଖିଥିଲେ, ଏବେବି ସେ ସ୍ମୃତି ସବୁ ଆଖି ଆଗରେ ଝଲସି ଉଠୁଛି । ଏବେ ବାପାଙ୍କ ଚିହ୍ନ ହିଁ ତାଙ୍କ ପାଇଁ ଚଲାପଥ । ବାପା ଦେଇଥିବା ସଂସ୍କାରକୁ ସେ ବହନ କରିଛନ୍ତି । ସେ ପ୍ରତି ହିନ୍ଦୁସ୍ତାନୀଙ୍କ ସଂଘର୍ଷ ଓ ସ୍ୱପ୍ନକୁ ବୁଝିପାରୁଛନ୍ତି । ଭାରତ ମା\’ର ସ୍ୱରକୁ ଶୁଣିପାରୁଛନ୍ତି । ଦିନକ ପୂର୍ବରୁ ରାହୁଲଙ୍କୁ ଲଦାଖ ସୀମାରେ ବାଇକ୍ ଚଳାଉଥିବା ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com