ଜାତୀୟ

ଆଫଗାନିସ୍ତାନ ମିଡିଆକୁ ତାଲିବାନର ଚଡକ; ବନ୍ଦ ହେଲାଣି ୩୦୦ରୁ ଅଧିକ ଆଉଟ୍‌ଲେଟ୍, ଅର୍ଥାଭାବରେ ଦିନ କାଟୁଛନ୍ତି ସାମ୍ବାଦିକ.

ନୂଆଦିଲ୍ଲୀ: ତାଲିବାନ କ୍ଷମତାକୁ ଆସିବା ପରଠାରୁ ଆଫଗାନିସ୍ତାନର ୩୪ଟି ପ୍ରଦେଶ ମଧ୍ୟରୁ ୩୩ ଟିରେ ଅତି କମରେ ୩୧୮ ଗଣମାଧ୍ୟମ ବନ୍ଦ ହୋଇଯାଇଛି । ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଆଇଏଫଜେ) ର ରିପୋର୍ଟ ଅନୁଯାୟୀ, “୫୧ ଟି ଟିଭି ଷ୍ଟେସନ, ୧୩୨ ରେଡିଓ ଷ୍ଟେସନ ଏବଂ ୪୯ ଟି ଅନଲାଇନ୍ ମିଡିଆ ଆଉଟଲେଟ୍ କାର୍ଯ୍ୟ ବନ୍ଦ କରିଦେଇଛି ।

ଏଥିରେ ଖବରକାଗଜଗୁଡିକ ଅଧିକ ପ୍ରଭାବିତ ହୋଇଛି । ୧୧୪ ଟି ମଧ୍ୟରୁ କେବଳ ୨୦ ଟି ଖବରକାଗଜ ପ୍ରକାଶିତ ହୋଇଛି ।

ଆଫଗାନିସ୍ତାନ ମିଡିଆ ସମ୍ପ୍ରଦାୟର ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରି ଆଇଏଫଜେ କହିଛି ଯେ କେବଳ ୨୩୩୪ ସାମ୍ବାଦିକ କାର୍ଯ୍ୟ କରୁଛନ୍ତି । ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ସେମାନଙ୍କ ସଂଖ୍ୟା ୫୦୬୯ ଥିଲା । ଆଇଏଫଜେ ଅନୁଯାୟୀ, ଚାକିରି ହରାଇଥିବା ସାମ୍ବାଦିକମାନଙ୍କ ମଧ୍ୟରୁ ୭୨ % ମହିଳା ଥିଲେ । ଏବେ ୨୪୩ ମହିଳା ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି । ଆଇଏଫଜେ ସେକ୍ରେଟେରୀ ଜେନେରାଲ ଆନ୍ଥୋନୀ ବେଲାଙ୍ଗର କହିଛନ୍ତି, “ରିପୋର୍ଟ କରିବାରେ ଅନେକ ପ୍ରତିବନ୍ଧକ ରହିଛି । ଚାକିରୀ ହରାଇଥିବା ସାମ୍ବାଦିକମାନେ ଆର୍ଥିକ ଅବସ୍ଥା ସଙ୍କଟାପନ୍ନ । ସୂଚନା ପାଇବାକୁ ବାରଣ କରାଯାଉଥିବା ନାଗରିକଙ୍କ ପାଇଁ ମଧ୍ୟ ଏହି ଅବସ୍ଥା ବିପର୍ଯ୍ୟସ୍ତ ।”

ଆଫଗାନିସ୍ତାନ ଗଣମାଧ୍ୟମ ସମ୍ପ୍ରଦାୟ ତାଲିବାନକୁ ଅନୁରୋଧ କରିଛି ଯେ ଗଣମାଧ୍ୟମକୁ ସୂଚନା ପାଇବାରେ ସାହାଯ୍ୟ କରିବ । ଆଫଗାନିସ୍ତାନ ସ୍ବାଧୀନ ସାମ୍ବାଦିକ ସଂଘର ମୁଖ୍ୟ ହୁଜତୁଲ୍ଲା ମୁଜାଦି କହିଛନ୍ତି ଯେ ଯଦି ଦେଶର ଗଣମାଧ୍ୟମର ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ନିକଟ ଭବିଷ୍ୟତରେ ଆଫଗାନିସ୍ତାନରେ କେବଳ କିଛି ଗଣମାଧ୍ୟମ ସଂଗଠନ ବଞ୍ଚି ରହିବେ । ଏଥିସହିତ ଆଫଗାନିସ୍ତାନ ସାମ୍ବାଦିକ ପରିଷଦର ମୁଖ୍ୟ ହାଫିଜୁଲ୍ଲା ବାରକଜାଇ କହିଛନ୍ତି ଯେ ବର୍ତ୍ତମାନର ଆଫଗାନିସ୍ତାନ ପରିସ୍ଥିତିରେ ସୂଚନା ପାଇବା ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଗଣମାଧ୍ୟମରେ ବିନିଯୋଗ କରିବାକୁ ଅନୁରୋଧ କରୁଛୁ ।

ପରିସ୍ଥିତିକୁ ଗୁରୁତର ସହ ବିଚାର କରିବାକୁ ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରୁଛୁ । ସୂଚନା ପାଇବାରେ ଗଣମାଧ୍ୟମକୁ ସହାୟତା କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ବୋଲି ସଂଘ ସଭାପତି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com