ବିଜ୍ଞାନ ଓ ପ୍ରଯୁକ୍ତି

ଧରାପଡିଲା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ନଗଣ୍ୟ ଚିତ୍ର

ଭୁବନେଶ୍ୱର, ୦୭/୧୧/୨୦୨୨ –   ବିକାଶର କଥା ବିଶେଷକରି ଶିକ୍ଷା ବ୍ୟବସ୍ଥା କଥା ବିଚାରକୁ ଆସିଲେ ସରକାର ଏକ ଲୋଭନୀୟ ବିଶ୍ୱସ୍ତରୀୟ ଚେହେରା ଦେଖାଇ ଥାଆନ୍ତି । କିନ୍ତୁ ବାସ୍ତବ ଚିତ୍ର ଏଠି ସମ୍ପୂର୍ଣ୍ଣ ଓଲଟା । ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା ତ ଦୂରର କଥା ରାଜ୍ୟର ଏମିତି ବି ବିଦ୍ୟାର୍ଥୀ ଅଛନ୍ତି ଯୋଉଁମାନେ କମ୍ପୁଟର କଣ ଜାଣନ୍ତି ନାହିଁ । ଆଉ ଆଦିବାସୀ ଅଧ୍ୟୁଷିତ ସ୍କୁଲରେ ପିଲାଙ୍କୁ କମ୍ପ୍ୟୁଟର କଥା ପଚାରିଲେ ବଲବଲ କରି ଉପରକୁ ଅନାନ୍ତି । କେବଳ କମ୍ପ୍ୟୁଟର ନୁହେଁ ରାଜ୍ୟର ୯୨% ସ୍କୁଲରେ ଇଣ୍ଟରେନେଟ୍ ନାହିଁ । ଯାହାକି ଜାତୀୟ ହାରଠୁ ବହୁତ କମ୍ । ଓଡିଶା ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରା ଯାଉଥିବା ବେଳେ ଗୁରୁବାର ପ୍ରକାଶିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧-୨୨ ୟୁଡିଏସ୍‌ଆଇ୍ ରିପୋର୍ଟ ସରକାରଙ୍କ ଅସଲ ପାରିବା ପଣିଆକୁ ପଦାରେ ପକାଇ ଦେଇଛି ।

ଏହା କେବଳ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ନିରୁତ୍ସାହ କରିନାହିଁ , ଏଥିସହ ସରକାର କେବଳ କାଗଜ କଲମରେ ଉପର ଠାଉରିଆ ଚିତ୍ର ଦେଖାଇ ବାହାସ୍ଫୋଟ ମାରୁଥିବା ପ୍ରମାଣିତ କରୁଛି । ଏହି ରିପୋର୍ଟ କହୁଛି ଯେ, ଓଡିଶା ଇଣ୍ଟରନେଟ୍ ସୁବିଧା ପ୍ରଦାନରେ ଅନ୍ୟ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଠୁ ପଛରେ ରହିଛି । ଓଡ଼ିଶାରେ ସମୁଦାୟ ୬୨ ହଜାର ୨୯୧ ସ୍କୁଲ ରହିଛି । ଏହା ମଧ୍ୟରେ ରହିଛି ୪୯ ହଜାର ୦୭୨ଟି ସରକାରୀ ସ୍କୁଲ । କିନ୍ତୁ, ମାତ୍ର ୩ ହଜାର ୯୭୦ ସ୍କୁଲର ପିଲାମାନେ ଇଣ୍ଟରନେଟ୍ ସୁବିଧା ପାଉଛନ୍ତି । ଅନୁଦାନପ୍ରାପ୍ତ ୫ ହଜାର ୮୦୭ ମଧ୍ୟରୁ ୧ହଜାର୧୨ ସ୍କୁଲରେ ଇଣ୍ଟରନେଟ୍ ଅଛି । ସେହିପରି ୬୧୦୪ ଘରୋଇ ସ୍କୁଲ ମଧ୍ୟରୁ ଅଧା ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଛି ।

ଖାଲି ଇଣ୍ଟରନେଟ୍ ନୁହେଁ, କମ୍ପ୍ୟୁଟର ସୁବିଧାରେ ମଧ୍ୟ ଅନେକ ରାଜ୍ୟଗୁଡିକ ତୁଳନାରେ ଓଡ଼ିଶା ପଛରେ ରହିଛି । ସେହିପରି ୩୩.୬% ସରକାରୀ ଅନୁଦାନପ୍ରାପ୍ତ, ୭୭.୫% ଘରୋଇ, ୩୫% ଅନ୍ୟାନ୍ୟ ସ୍କୁଲରେ କମ୍ପ୍ୟୁଟର ରହିଛି । ଖାଲି କମ୍ପ୍ୟୁଟର, ଇଣ୍ଟରନେଟ୍ ନୁହେଁ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଶୌଚାଳୟ ସୁବିଧା ନାହିଁ । ଅନ୍ୟପକ୍ଷରେ, ରିପୋର୍ଟ ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷରେ ଦେଶରେ ସମୁଦାୟ ୨୦ ହଜାର ସରକାରୀ ସ୍କୁଲ, ସ୍କୁଲ ମିଶ୍ରଣ ଯୋଗୁଁ ବନ୍ଦ ହୋଇଯାଇଛି । ୨୦୨୦-୨୧ରେ ୧୫ ଲକ୍ଷ ୯ ହଜାର ସ୍କୁଲ ଥିବାବେଳେ ୨୦୨୧-୨୨ରେ ୧୪ ଲକ୍ଷ ୮୯ ହଜାର ରହିଛି । ସେହିଭଳି ଶିକ୍ଷକଙ୍କ ସଂଖ୍ୟା ହ୍ରାସ ପାଇଁ ୯୭.୮୭ ଲକ୍ଷରୁ ୯୫.୦୭ ରେ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com