ରାଜନୀତି

ମୋଦିଙ୍କ ଗୁଗ୍ଲି ପାୱାରଙ୍କୁ ପ୍ରଶଂସା

ଧୀରେ ଧୀରେ ଦେଶରେ ବିରୋଧୀଙ୍କ ମେଳି ସୁଦୃଢ଼ ହେଉଛି । କଂଗ୍ରେସ ନେତୃତ୍ୱାଧୀନ ବିଷକ୍ଷ ମେଣ୍ଟ ଆଇଏନଡିଆଇଏର ଶକ୍ତି ବଢ଼ିବାରେ ଲାଗିଛି । ବିରୋଧୀ ଦଳଗୁଡ଼ିକ ସେମାନଙ୍କୁ ମେଣ୍ଟକୁ ଇଣ୍ଡିଆ ବୋଲି କହି ବଳ ସାଉଁଟୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ବଲ୍ ପକାଇଛନ୍ତି । ଏଠାରେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ ଅଶୀ ଦଶକରେ ପାକିସ୍ତାନର କ୍ରିକେଟର୍ ଅବଦୁଲ କାଦିର୍ଙ୍କ ଗୁଗଲି ବଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଥିଲା । ଆଜି ମଧ୍ୟ ଅବଦୁଲଙ୍କ ବୋଲିଂ ଷ୍ଟାଇଲ୍ ଓ କ୍ଲିନ୍ ବୋଲ୍ଡ କରିବାର ତରିକା ପାଇଁ ସେ ଆଲୋଚନା ପରିସରକୁ ଆସନ୍ତି । ସେ ଯେମିତି ବଲକୁ ଲେଗ୍ ସ୍ପିନ୍ କରୁଥିଲେ ଓ ବ୍ୟାଟ୍ସମ୍ୟାନ୍ ବଲ୍ କୁଆଡେ କେମିତି ଯାଉଛି ତାର ଧାର ଧରି ପାରୁନଥିଲେ, ଠିକ୍ ସେମିତି ରାଜନୀତିରେ କ୍ଲିନ୍ ବୋଲ୍ଡ କରିବା ଲକ୍ଷ୍ୟରେ ମୋଦି ବଲ୍ ପକାଇବାରେ ଧୁରନ୍ଧର ବୋଲି ଚର୍ଚ୍ଚା ହେଉଛି । ଆପଣ ମୋଦିଙ୍କ ସେହି ଗୁଗଲି ବଲ୍ ବିଷୟରେ ଏବେ ପୂରା ପୂରି ଜାଣନ୍ତୁ:

ମୌକା ଦେଖି ଚୌକା ମାରିବା ଲକ୍ଷ୍ୟରେ ବିରୋଧୀ ମେଣ୍ଟ ଅଣ୍ଟା ଭିଡୁଥିବାବେଳେ ସୁଯୋଗ ଦେଖି ଗୋଟିଏ ବଲ୍ରେ କ୍ଲିନ୍ ବୋଲ୍ଡ କରିବା ଚକ୍କରରେ ମୋଦି ବଲ୍ ଫିଙ୍ଗିଛନ୍ତି । ଆଉ ସିଧା ସିଧା ଶରଦ ପାୱାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମୋଦି କହିଛନ୍ତି ଯେ ଶରଦ ପାୱାରଙ୍କ ଭଳି ବରିଷ୍ଠ ଓ ବିଚକ୍ଷଣ ରାଜନେତା ପ୍ରଧାନମନ୍ତ୍ରୀ ହୋଇଯିବା କଥା, କିନ୍ତୁ ଗାନ୍ଧି ପରିବାର ପାଇଁ ଶରଦ ପିଏମ୍ ବନି ପାରିନାହାନ୍ତି ।

ଏଠାରେ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବରିଷ୍ଠ ରାଜନେତା ଶରଦଙ୍କ ମଧ୍ୟରେ ରହିଆସିଛି ଉତ୍ତମ ସମ୍ପର୍କ । ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥିବାବେଳେ ଶରଦଙ୍କ ପ୍ରତି ମୋଦିଙ୍କ କୋମଳ ମନୋଭାବ ବହୁତ କିଛି ଦିଗକୁ ଇଙ୍ଗିତ କରୁଛି । ହୁଏତ ଏମିତି ବି ହୋଇପାରେ, ଆଗକୁ ମହାରାଷ୍ଟ୍ର ରାଜନୀତିରେ ଆଉ କିଛି ରୋଚକ ମୋଡ଼ ଦେଖିବାକୁ ମିଳିପାରେ । ନିକଟରେ ପୁନେର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯିବା ଅବସରରେ ଏହି ଦୁହି ବରିଷ୍ଠ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ଶରଦ ପାୱାର ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଥିଲେ । ତେବେ ମୋଦିଙ୍କ ଗୁଗଲି ବଲ୍ ଫିଙ୍ଗାଯିବାକୁ ନେଇ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି ଓ ଜୋର ଧରିଛି ଭିନ୍ନ ଭିନ୍ନ ଚର୍ଚ୍ଚା । କାରଣ ପୁତୁରା ଅଜିତ ପାୱାର ହାତଛାଡ଼ି ଏନଡିଏକୁ ଚାଲି ଯାଇଥିବା ବେଳେ ଶରଦଙ୍କୁ ପ୍ରଧାନମନ୍ତ୍ରୀ ହେବାର କଥା ମନେପକାଇ ଦେଇଛନ୍ତି ମୋଦି ।

ଏହାପରେ ଶରଦ ପାୱାର ବିଜେପି ଆଡ଼କୁ ଢଳିପଡ଼ିବା ନେଇ ରାଜନୀତିକ ଆଲୋଚନା ଜୋର ଧରିଥିଲା । ତେବେ ଏହାକୁ ଶରଦଙ୍କ ଅନୁଗତ ନେତା ପ୍ରତାପ ଜଗତାପ ଗୁଜବ ବୋଲି କହି ଖଣ୍ଡନ କରିଛନ୍ତି । ପୁନେର ଏହି ନେତା କହିଛନ୍ତି ଯେ ଶରଦ ପ୍ରତିଶ୍ରୁତି ଦେଇଛନ୍ତି କି ଅଗଷ୍ଟ ଶେଷ ସପ୍ତାହ ବେଳକୁ ପୁନେରେ ଏକ ରାଲି କରାଯିବ । ଦଳୀୟ ନେତା-କର୍ମୀଙ୍କ ସମେତ ସାଧାରଣ ଲୋକଙ୍କୁ ତାଙ୍କର ରାଜନୀତିକ ପ୍ରତିବଦ୍ଧତା ବା ପଲଟିକାଲ୍ ଷ୍ଟାଣ୍ଡ ବିଷୟରେ ଜଣାଇ ଦିଆଯିବ ।

ଏଠାରେ ଆପଣଙ୍କୁ ମନେ ପକାଇ ଦେଉଛୁ କି, ଶରଦ ପାୱାର ୧୯୯୧ ଜୁନରୁ ୧୯୯୩ ମାର୍ଚ୍ଚ ପର୍ଯ୍ୟନ୍ତ ପିଭି ନରସିଂହ ରାଓଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ । ତେବେ ସୋନିଆ ଗାନ୍ଧି ଜଣେ ବିଦେଶିନୀ ପ୍ରସଙ୍ଗକୁ ନେଇ ଉଠିଥିବା ବିବାଦ ଭିତରେ ଶରଦ ୧୯୯୯ରେ କଂଗ୍ରେସ ଛାଡ଼ି ଏନସିପି ଗଢ଼ିଥିଲେ । ପରେ ଉପା ସରକାରରେ ୨୦୦୪ରେ ସାମିଲ୍ ହୋଇଥିଲା ତାଙ୍କ ପାର୍ଟି । ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ସେ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଦୀର୍ଘ ୫ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଥିବା ଶରଦ ପାୱାର ପ୍ରଧାନମନ୍ତ୍ରୀ ହେବାକୁ ଆଶା କରିବା ନିରର୍ଥକ ନୁହେଁ । ସେହିପରି ସେ ପ୍ରଧାନମନ୍ତ୍ରୀ ହେବା ନେଇ ଅନେକ ବାର ରାଜନୀତିକ ଆଲୋଚନା ହୋଇଆସିଛି । ତେବେ ଦେଖିବାକୁ ବାକି ରହିଲା ମୋଦିଙ୍କ ଗୁଗଲି ବଲ୍ରେ ପାୱାରଙ୍କ କଣ ଅବସ୍ଥା ହେଉଛି! ଏଭଳି ଚର୍ଚ୍ଚା ହିଁ ଏବେ ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com