ବାରଣାସୀ ଘାଟରେ ସୋନମଙ୍କ ପିଣ୍ଡଦାନ, ସମାଜରୁ ହେଲେ ବହିଷ୍କାର ।

ଲକ୍ଷ୍ନୌ ୦୩/ଜୁଲାଇ : ହନିମୁନ ସମୟରେ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସୋନମ ରଘୁବଂଶୀଙ୍କ ବିରୋଧରେ ବାରଣାସୀରେ ଏକ ଅପୂର୍ବ ଓ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା। ସୋନମଙ୍କ ଜୀବନ୍ତ ଥିବା ସତ୍ତ୍ୱେ ତାଙ୍କ ପ୍ରତି ଘୃଣା ପ୍ରକାଶ କରି କିଛି ମହିଳା ତାଙ୍କ ପିଣ୍ଡଦାନ କରିଛନ୍ତି। ଘାଟରେ ପୂଜା ପାଠ କରାଯାଇ ତାଙ୍କ ଫଟୋକୁ ନେଇ ପିଣ୍ଡ ଦାନ କରି ପରେ ଗଙ୍ଗା ଜଳରେ ପିଣ୍ଡ ଭସାଇ ଦିଆଯାଇଛି। ଏହା ପରେ ସୋନମଙ୍କ ପୋଷ୍ଟରକୁ ନିଆଁ ଲଗାଇ ଜଳାଇଦେଲେ ମହିଳାମାନେ। ସେମାନେ ଘୋଷଣା କରିଛନ୍ତି ଯେ ସୋନମ ଏକ ଅପରାଧି ହେବା ସହ ନାରୀ ଜାତି ପାଇଁ ଏକ କଳଙ୍କ। ତାଙ୍କ କାରଣରୁ ସମାଜରେ ଅନ୍ୟ ନାରୀଙ୍କ ପ୍ରତି ସନ୍ଦେହ ବୃଦ୍ଧି ପାଉଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ତେଣୁ ସମାଜରୁ ତାକୁ ବହିଷ୍କାର କରିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି। ଏହି ପିଣ୍ଡଦାନ କେବଳ ସୋନମ ପାଇଁ ନୁହେଁ, ମୃତ ସ୍ବାମୀ ରାଜାଙ୍କ ପାଇଁ ମଧ୍ୟ କରାଯାଇଛି। ତାଙ୍କ ଆତ୍ମାର ଶାନ୍ତି ପାଇଁ ମହିଳାମାନେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ସମାଜରେ ଏହି ଘଟଣା ଏକ ନୂଆ ମୋଡ଼ ନେଇଛି ଓ ମହିଳାମାନେ ନ୍ୟାୟ ପାଇଁ ଏଭଳି ଆକ୍ରୋଶ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି।