ଓଡ଼ିଶା

ଆଜି ବିଶ୍ୱ କୁଷ୍ଠ ଦିବସ: ମୌଳିକ ସୁବିଧାରୁ ବଞ୍ଚିତ କୁଷ୍ଠାଶ୍ରମ, କୁଷ୍ଠ କଲୋନି ଅନ୍ତେବାସୀ

ଭୁବନେଶ୍ୱର() କୁଷ୍ଠ ରୋଗୀଙ୍କୁ ଯେମିତି ଭୁଲି ଗଲେଣି ସରକାର। କୁଷ୍ଠ ରୋଗୀଙ୍କ ଚିକିତ୍ସା ଏବଂ ଥଇଥାନ ପାଇଁ ରାଜ୍ୟରେ ଥିବା କୁଷ୍ଠାଶ୍ରମ ଏବଂ କୁଷ୍ଠ କଲୋନି ଗୁଡ଼ିକ ବର୍ତ୍ତମାନ ନ୍ୟୁନତମ ମୌଳିକ ସୁବିଧାରୁ ବଞ୍ଚିତ। କିଛି ଦିନ ପୂର୍ବରୁ ଏସଂକ୍ରାନ୍ତରେ ହାଇକୋର୍ଟ ନିର୍ଦେଶ ଦେବା ପରେ ଅବସ୍ଥାର ସୁଧାର ପାଇଁ ରାଜ୍ୟ ସରକାରଙ୍କ ସାମାଜିକ ମଙ୍ଗଳ ବିଭାଗ ନିଷ୍ପତ୍ତି ନେଇଛି। ଅନ୍ୟଦିଗରେ କୁଷ୍ଠାଶ୍ରମ ପରିଚାଳନା ପାଇଁ ହିନ୍ଦ୍‌ କୁଷ୍ଠ ନିବାରଣ ସଂଘର ଦାୟିତ୍ବ ରହିଛି। ମାତ୍ର ପୂର୍ଣ୍ଣକାଳୀନ ସମ୍ପାଦକ ବିନା ସଂଘ କିଭଳି ତା’ର ଦାୟିତ୍ବ ନିର୍ବାହ କରିପାରିବ ଏହାକୁ ନେଇ ଷ୍ଟେଟ ଲେପ୍ରୋସି ଫେଡରେସନ ଏବଂ ହିନ୍ଦ୍‌ କୁଷ୍ଠ ନିବାରଣ ସଂଘର ସଦସ୍ୟମାନେ ପ୍ରଶ୍ନ ଉଠାଇଛନ୍ତି।

ଅଭିଯୋଗ ଅନୁଯାୟୀ, ରାଜ୍ୟରେ ୯୨ଟି କୁଷ୍ଠ କଲୋନି ଏବଂ ୧୦ କୁଷ୍ଠାଶ୍ରମ ରହିଛି। ଏହି କୁଷ୍ଠାଶ୍ରମ ମଧ୍ୟରୁ ସମ୍ବଲପୁର ସ୍ଥିତ ହାତୀବାରି କୁଷ୍ଠାଶ୍ରମ, କଟକ, ବାଲେଶ୍ବର ଏବଂ ଗଜପତିସ୍ଥିତ କୁଷ୍ଠାଶ୍ରମରେ କୁଷ୍ଠ ରୋଗୀଙ୍କୁ ଚିକିତ୍ସା ସହିତ ଥଇଥାନ କରାଯିବା କଥା। ମାତ୍ର ଏହା ଅତ୍ୟନ୍ତ ବିପର୍ଯ୍ୟୟ ସ୍ଥିତିରେ ଥିବା ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ଗଠିତ ଟିମ୍‌ ନିଜ ପରିଦର୍ଶନରେ ଦେଖିବାକୁ ପାଇଥିଲା। ସମ୍ବଲପୁର ହାତୀବାରି ହେଲ୍ଥ ହୋମରେ ୧୪୦ କୁଷ୍ଠରୋଗୀଙ୍କ ପାଇଁ ମାତ୍ର ୨ଜଣ ରୋଷେୟା ଏବଂ ଜଣେ ଡ୍ରେସରଙ୍କ ନିଯୁକ୍ତି ଆଉଟସୋର୍ସିଂରେ ହୋଇଛି। ଏଠାରେ ୨୦ କର୍ମଚାରୀଙ୍କ ଆବଶ୍ୟକତା ରହିଛି। କଟକ କୁଷ୍ଠାଶ୍ରମରେ ୨୦୫ ରୋଗୀଙ୍କ ପାଇଁ ୩୨ ଜଣ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ତେଣୁ ତୁରନ୍ତ ନୂତନ ପଦ ସୃଷ୍ଟି କରି ନିଯୁକ୍ତି ଦିଆଯିବା ଉଚିତ।

ବାଲେଶ୍ବର କୁଷ୍ଠାଶ୍ରମରେ ଜଣେ ହେଲେ କର୍ମଚାରୀ ନାହାନ୍ତି। ଏଠାରେ ସ୍ଥିତି ଏଭଳି ଥିଲା ଯେ ତୁରନ୍ତ ୧୦ ଗୃହ ନିର୍ମାଣ ପାଇଁ ନିର୍ଦେଶ ହୋଇଥିଲା। ପାରଳାଖେମୁଣ୍ଡି କୁଷ୍ଠାଶ୍ରମର ସମାନ ସ୍ଥିତି ରହିଛି। କୁଷ୍ଠ କଲୋନି ଗୁଡ଼ିକ ମଧ୍ୟରୁ ଖୋର୍ଧା ସ୍ଥିତ ଭାଗବତ କଲୋନି, ଜଟଣୀର ଧାରାବତୀ, ବାପୁଜୀ କଲୋନିରେ ରାସ୍ତା, ଶୌଚାଳୟ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାକୁ ସଜାଡ଼ିବା ପାଇଁ ଆଦେଶ ଦିଆଯାଇଛି। ପୁରୀସ୍ଥିତ ସଂଜୟ କୁଷ୍ଠ କଲୋନି, ଜୀବରାମ କଲୋନି ମରାମତି ପାଇଁ ଅଦାଲତ ନିର୍ଦେଶ ଦେଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ଲୁଇସ କୁଷ୍ଠ କଲୋନିରେ ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଅନ୍ତେବାସୀଙ୍କୁ ଖାଦ୍ୟ ଦିଆଯାଉନଥିଲା। ଅଦାଲତଙ୍କ ହସ୍ତକ୍ଷେପ ପରେ ଖାଦ୍ୟ ଦିଆଗଲା। ହିନ୍ଦ୍‌ କୁଷ୍ଠ ନିବାରଣ ସଂଘର ଆଜୀବନ ସଂଘ ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ହିନ୍ଦ୍‌ କୁଷ୍ଠ ନିବାରଣ ସଂଘ ପ୍ରମୁଖ କର୍ମକର୍ତ୍ତାମାନେ ଏହି କୁଷ୍ଠାଶ୍ରମଗୁଡ଼ିକୁ ନିୟମିତ ପରିଦର୍ଶନ କରି ଏହାର ବିକାଶ ପାଇଁ କାର୍ଯ୍ୟ କରିବା କଥା।

ବିଶେଷକରି ଏହାର ସମ୍ପାଦକ ସ୍ବାସ୍ଥ୍ୟ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅଛନ୍ତି। ତେଣୁ କୁଷ୍ଠାଶ୍ରମ ବିକାଶ ପାଇଁ ଧ୍ୟାନ ଦିଆଯିବା ସମ୍ଭବ ହେଉ ନାହିଁ। ତେଣୁ ସଂଘରେ ପୂର୍ଣ୍ଣକାଳୀନ ସମ୍ପାଦକ ନିଯୁକ୍ତିର ଆବଶ୍ୟକତା ରହିଛି। ଏହାକୁ ନେଇ କିଛି ମାସ ପୂର୍ବରୁ ସଂଘର ସଦସ୍ୟମାନେ ରାଜ୍ୟପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଏଥିସହିତ ସମ୍ବଲପୁର ଏବଂ ବାଲେଶ୍ବରରେ ଆବଶ୍ୟକ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ସୃଷ୍ଟି ଏବଂ ନିଯୁକ୍ତି, ହିନ୍ଦ୍‌ କୁଷ୍ଠ ନିବାରଣ ସଂଘର ମୁଖ୍ୟ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦରେ ନିଯୁକ୍ତି, ପୁରୀ, କଟକ ଏବଂ ବ୍ରହ୍ମଗିରି କୁଷ୍ଠାଶ୍ରମକୁ ଜବରଦଖଲ ମୁକ୍ତ, ତଥା ହିନ୍ଦ୍‌ କୁଷ୍ଠ ନିବାରଣ ସଂଘକୁ ଅନୁଦାନ ପ୍ରଦାନ ପାଇଁ ଦାବି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com