ଓଡ଼ିଶା

ଢିଙ୍କିଆ ସତ ବଖାଣିଲେ ହତଭାଗା ବାପା, କହିଲେ- ମୋ’ ୧୬ ବର୍ଷ ଝିଅର ହାତଗୋଡ଼ ଭାଙ୍ଗି ଦେଲା ପୁଲିସ୍‌

ପାରାଦୀପ()“ ମୋର ୧୬ ବର୍ଷର ଝିଅକୁ ବାଡ଼େଇ ବାଡ଼େଇ ପୁଲିସ୍‌ ତା’ ହାତଗୋଡ଼ ଭାଙ୍ଗି ଦେଇଛି।  ମୋ ହାତରେ ଟଙ୍କାଟେ ନାହିଁ। ଝିଅକୁ ମେଡିକାଲ ନେଇପାରୁନି।  କାମଧନ୍ଦା ବନ୍ଦ ହୋଇଯାଇଛି । ଝିଅଟି ଛଟପଟ ହେଉଛି। ମୁଁ ଖାଲି ଦେଖିବା ଛଡ଼ା କିଛି କରିପାରୁନି ।” ଏପରି କହି ଆଖିରୁ ଅନବରତ ଲୁହ ଗଡ଼ାଉଛନ୍ତି  ହତଭାଗା ବାପା ବାବୁ ସାମଲ । ବାବୁ ସାମଲଙ୍କ ଘର ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗ୍ରାମରେ ହୋଇଥିବା ବେଳେ ପାନବରଜ ଭଙ୍ଗା ବେଳେ ପୁଲିସ୍‌ ଆକ୍ରମଣର ଶିକାର ହୋଇଛନ୍ତି ତାଙ୍କ ୧୬ ବର୍ଷୀୟା ଝିଅ।

ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ JSW ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ସହମତି ଦେବା ପରେ ଗତ ଶୁକ୍ରବାରଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ୍‌ । ମାତ୍ର ପ୍ରଶାସନର ଏପରି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ପୁଲିସ୍‌ ଆକ୍ରମଣର ଶିକାର ହୋଇଛନ୍ତି। ହେଲେ ଢିଙ୍କିଆରେ ପରିସ୍ଥିତି ସ୍ୱାଭାବିକ ଥିବା ଜଗତସିଂହପୁର ଏସ୍‌ପି କହୁଥିବା ବେଳେ ପ୍ରକୃତ ଚିତ୍ର କିନ୍ତୁ କିଛି ଭିନ୍ନ କଥା ବଖାଣୁଛି।

ଗତ ଶୁକ୍ରରବାର ଢିଙ୍କିଆରେ ଲାଠିମାଡ ବେଳେ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ପୁଲିସ  ଗୁଡ଼ାଇ ତୁଡେଇ ପିଟିଥିଲା। ସେମାନଙ୍କ ମଧ୍ୟରେ ବାବୁ ସାମଲଙ୍କ ୧୬ ବର୍ଷର ଝିଅ ବି ରହିଛି।  ଲାଠିଚାର୍ଜ ଘଟଣାକୁ ୪ ଦିନ ବିତିଲାଣି। ଝିଅର ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ କିଛି କରିପାରୁ ନାହାନ୍ତି ବାବୁ ସାମଲ। ନା ତାକୁ ଡାକ୍ତର ପାଖକୁ ନେଇପାରୁଛନ୍ତି ନା ମେଡିସିନ ଆଣିପାରୁଛନ୍ତି। ପାଖରେ ଟଙ୍କାଟିଏ ବି ନାହିଁ। ତେଣୁ  ସମସ୍ତଙ୍କୁ ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ।

କେବଳ ବାବୁ ସାମଲ ନୁହନ୍ତି,  ବାବୁଙ୍କ ପରି ଗ୍ରାମର ବହୁ ଲୋକଙ୍କ ଦୁର୍ଦ୍ଦଶା ବଢି ବଢି ଚାଲିଛି। ଗ୍ରାମରେ ପୁଲିସ୍‌ ପଇନ୍ତରା ମାରୁଥିବା ବେଳେ ଭାତ ହାଣ୍ଡି ଉଜୁଡ଼ି ଯିବାରୁ ଭାଗ୍ୟକୁ ଆଦରି ଭଗବାନ ଭରସାରେ ଅଛନ୍ତି ଗ୍ରାମବାସୀ।

Related Articles

Back to top button
WP Twitter Auto Publish Powered By : XYZScripts.com