ଜାତୀୟ

ଉଜ୍ଜୟିନରେ ଭାଙ୍ଗିବ ଅଯୋଧ୍ୟାର ରେକର୍ଡ, ମହାଶିବରାତ୍ରି ଉପଲକ୍ଷେ ଜଳିବ ୨୧ ଲକ୍ଷ ଦୀପ

ଉଜ୍ଜୟିନ() ମହାଶିବରାତ୍ରି ଉପଲକ୍ଷେ ମଧ୍ୟ ପ୍ରଦେଶର ଉଜ୍ଜୟିନରେ ମଙ୍ଗଳବାର ଦିନ ‘ଶିବ ଜ୍ୟୋତି ଅର୍ପଣମ୍ ମହୋତ୍ସବ’ ପାଳନ କରାଯିବ। ଏହି ଦିନ ସମଗ୍ର ସହରରେ ୨୧ ଲକ୍ଷ ଦୀପ ଜଳାଯିବ। ଏଥି ମଧ୍ୟରୁ ୧୨ ଲକ୍ଷ ଦୀପ ସିପ୍ରା ନଦୀ କୂଳରେ ଜଳାଯାଇ ଗିନିସ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ୍ ରେକର୍ଡ କରାଯିବାର ଲକ୍ଷ୍ୟ ରଖାଯାଇଛି। ସର୍ବାଧିକ ଦୀପ ଜଳାଯିବାର ପୂର୍ବ ରେକର୍ଡ ଅଯୋଧ୍ୟା ନଗରୀ ନାମରେ ଅଛି।

ମିଡିଆ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟକ୍ରମ ସଂଧ୍ୟା ୭ଟା ବେଳେ ଆରମ୍ଭ ହେବ। ରାମଘାଟରେ ସାଇରନ୍ ବାଜିବା ମାତ୍ରେ ୧୨ ଲକ୍ଷ ଦୀପ ଜଳାଇବାକୁ ୧୦ ମିନିଟ୍ ସମୟ ମିଳିବ। ଦୀପ ଜଳାଇବା ପରେ ସମସ୍ତଙ୍କୁ ସେହି ସ୍ଥାନରୁ ଟିକେ ଦୂରକୁ ଯିବାକୁ ପଡିବ। ଦ୍ଵିତୀୟ ସାଇରନ୍ ବାଜିଲେ ଗିନିସ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ୍ ରେକର୍ଡର ଦଳ ଏହାକୁ କ୍ୟାମେରାରେ କଏଦ କରିବେ। ଦୀପ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବି ଦୀପ ଜଳାଇବେ।

ଅଯୋଧ୍ୟାରେ ଦୀପାବଳୀ ସମୟରେ ୯ ଲକ୍ଷ ୪୫ ହଜାର ୬ ଶହ ଦୀପ ଜଳାଯାଇଥିଲା। ଉଜ୍ଜୟିନରେ ମହାଶିବରାତ୍ରି ଉପଲକ୍ଷେ ୨୧ ଲକ୍ଷ ଦୀପ ଜଳାଯିବ। ଉଜ୍ଜୟିନରେ ରାମଘାଟରୁ ଭୁଖି ମାତା ଘାଟ ପର୍ଯ୍ୟନ୍ତ ଗୋଟିଏ ସମୟରେ ୧୨ ଲକ୍ଷ ଦୀପ ଜଳାଯିବ। ଅନ୍ୟ ୯ ଲକ୍ଷ ଦୀପ ସହରର ଅନ୍ୟ ସ୍ଥାନମାନଙ୍କରେ ଜଳାଯିବ। ଅଯୋଧ୍ୟାରେ ପ୍ରାୟ ୯ ଲକ୍ଷରୁ ଅଧିକ ଦୀପ ଜଳାଇବାକୁ ସରକାର ୧ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଉଜ୍ଜୟିନରେ ୨୧ ଲକ୍ଷ ଦୀପ ଜାଳିବାକୁ କେବଳ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଦୀପଗୁଡିକୁ ଜଳାଇବା ପାଇଁ ୧୪ ହଜାର ମହମବତୀ ମଧ୍ୟ ପ୍ରସ୍ତୁତ କରାହୋଇଛି।

ଦୀପ ଉତ୍ସବ ପରେ ଦୀପଗୁଡିକୁ ପୁଣିଥରେ ବ୍ୟବହାର କରାଯିବ। ଦୀପର ମାଟିରେ ଭଗବାନଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ସହରରେ ସ୍ଥାୟୀଭାବରେ ସ୍ଥାପିତ କରାଯିବ। ବଳିଥିବା ତେଲର ବ୍ୟବହାର ଗୋଶାଳା ଇତ୍ୟାଦିରେ ଖାଦ୍ୟ ପଦାର୍ଥ ପାଇଁ କରାଯିବ। ୧୪ ହଜାର ଖାଲି ତେଲର ବୋତଲକୁ ଚେୟାର୍, ବେଞ୍ଚ୍, ବାସନକୁସନ ଇତ୍ୟାଦି ତିଆରି କରିବା ପାଇଁ ପୁନର୍ବାର ବ୍ୟବହାର କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com