ଜାତୀୟ

କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ୩୦ନଂ ଜୋନ୍‌, ସାପସିଡ଼ି ଖେଳରେ ଏଥର କାହାର ପାଳି?

ରାଜନଗର: ରାଜନଗର ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୩୦ନଂ ଜୋନରେ ରାଜନୈତିକ ଉଷ୍ମତା ଏବେଠୁ ବାରି ହୋଇ ପଡିଲାଣି। ଏହି ଜୋନରେ ଗତ ୪ଟି ନିର୍ବାଚନରେ ସବୁବେଳେ ସାପ ସିଡି ଖେଳ ଦେଖିବାକୁ ମିଳିଛି। ୨୦୦୨ରୁ ୨୦୦୭ ଏହି ଜିଲ୍ଲା ପରିଷଦ ଜୋନକୁ କଂଗ୍ରେସ ହାତେଇଥିବା ବେଳେ ୨୦୦୭ରୁ ୨୦୧୨ ବିଜେଡି, ୨୦୧୨ରୁ ୨୦୧୭ କଂଗ୍ରେସ ଓ ୨୦୧୭ରୁ ୨୦୨୨ ଏହି ଜୋନ ବିଜେଡି ଦଖଲରେ ଥିଲା। ଗତ ୪ଥର ନିର୍ବାଚନରେ ଏହି ଜୋନରେ ଲୋକଙ୍କ ପସନ୍ଦ ବଦଳୁଥିବାରୁ ଚଳିତ ଥର କାହା ପଲାକୁ ଯିବ ତାହାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ଏହି ଜୋନରେ ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ ବିଜେଡି ଆଉ ଥରେ ଶଙ୍ଖନାଦ କରିବାକୁ ସଜବାଜ ଆରମ୍ଭ କରିଦେଇଥିବା ବେଳେ ଏହି ଜୋନ ହାତେଇବାକୁ କଂଗ୍ରେସ ମଧ୍ୟ ରଣକୌଶଳ ପ୍ରସ୍ତୁତ କରିଛି। ବିଧାୟକ ଶ୍ରୀ ସାହୁ ଓ କଂଗ୍ରେସର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତିଙ୍କ ଘର ଏହି ଜୋନ୍‌ରେ। ଏଣୁ ଏହି ଜୋନ ଉଭୟ କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି। ଏଥିଯୋଗୁଁ ଏହି ଜୋନର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ଏହି ଜୋନକୁ କିଏ ହାତଉଛି, ତାହା ଉପରେ ସମଗ୍ର ଜିଲ୍ଲାବାସୀଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।
ଏହି ଜୋନ୍‌ରୁ ବିଜେଡିରୁ ପୁରୁଖା ନେତା ତଥା ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ କଂଗ୍ରେସରୁ ରାଜନୀତିରେ ପ୍ରଥମଥର ପାଦ ଥାପିଥିବା ସହଦେବ ସାହୁ, ବିଜେପିରୁ ପ୍ରମୋଦ କୁମାର ଦାସ ଓ ସ୍ବାଧୀନ ଭାବେ ନୌକା ଚିହ୍ନରେ ସମୀର କୁମାର ବାଇ ଲଢୁଛନ୍ତି। ଏହି ଜୋନରେ ୧୧୬ଟି ବୁଥ୍‌ରେ ୨୦,୯୪୦ ପୁରୁଷ, ୧୯,୨୬୯ ମହିଳା, ତୃତୀୟ ଲିଙ୍ଗ ୨ଜଣ, ମୋଟ ୪୦,୨୧୧ ଭୋଟର ଫେବ୍ରୃଆରି ୨୦ ତାରିଖ ଦିନ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଗତ ୨୦୧୭ ପଂଚାୟତ ନିର୍ବାଚନରେ ଏହି ଜୋନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ଦେଖିବାକୁ ମିଳିଥିଲା।

ବିଜେଡିର ରବୀନ୍ଦ୍ର ସେଠୀ, କଂଗ୍ରେସର ବାମନ ଜେନା ଓ ବିଜେପିର ଅମର କୁମାର ସେଠୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ଦେଖିବାକୁ ମିଳିଥିଲା। ମୋଟ ୨୭,୨୨୭ ଭୋଟ ପୁଲିଂ ହୋଇଥିବା ବେଳେ ବିଜେଡି ୧୧,୬୩୨, କଂଗ୍ରେସ ୭,୯୬୩ ଓ ବିଜେପି ୬୦୭୮, ସ୍ବାଧୀନ ପ୍ରାର୍ଥୀ ୩୨୪ ଖଣ୍ଡ ଭୋଟ ପାଇଥିବା ବେଳେ ୫୩୧ ଭୋଟ ନାକଚ ହୋଇଥିଲା। ଏହି ଜୋନର ୯ଟି ପଂଚାୟତ ମଧ୍ୟରୁ ଓସ୍ତିଆ, କେରେଡାଗଡ, ବାଲିସାହିପାଟଣା, ବେଲପାଳ, ରାଜନଗର, ରାଜପୁର, ମହିଁଷାସୁର ପଂଚାୟତରେ ଶଙ୍ଖ ଚିହ୍ନ ଅଗ୍ରଣୀ ନେଇଥିବା ବେଳେ ସାନବଡଗୋପାଳପୁର ଓ ବନ୍ଧପଡା ପଂଚାୟତରେ କଂଗ୍ରେସ ଅଗ୍ରଣୀ ନେଇଥିଲା। ଏହି ୯ଟି ପଂଚାୟତ ମଧ୍ୟରୁ ଓସ୍ତିଆ, କେରେଡାଗଡ, ବେଲପାଳ, ରାଜପୁର ଓ ମହିଁଷାସୁର ପଂଚାୟତର ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ବିଜେଡି ସମର୍ଥିତମାନେ ବିଜୟୀ ହୋଇଥିବା ବେଳେ ବନ୍ଧପଡା, ବାଲିସାହିପାଟଣା, ରାଜନଗର, ସାନବଡଗୋପାଳପୁର ପଂଚାୟତରେ ସରପଂଚ ଓ ସମିତିସଭ୍ୟ ପଦ କଂଗ୍ରେସ ହାତେଇ ନେଇଥିଲା। ବିଜେପି ଏହି ଜୋନରେ ଖାତା ଖୋଲିବାକୁ ଅକ୍ଷମ ହୋଇଥିଲା। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ କେବଳ ବନ୍ଧପଡା ପଂଚାୟତରେ ଅଗ୍ରଣୀ ନେଇଥିବା ବେଳେ ବିଜେଡି ଅନ୍ୟ ୮ଟି ପଂଚାୟତରେ ଅଗ୍ରଣୀ ରହିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com