ଜାତୀୟ

କୋଭିଡ୍‌-୧୯ ବିପକ୍ଷରେ ଲଢ଼ିବା ପାଇଁ ଭାରତର ସାମର୍ଥ୍ୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରୁ ପ୍ରମାଣିତ ହୋଇଛି: ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ() କୋଭିଡ୍‌-୧୯ ବିପକ୍ଷରେ ଲଢ଼ିବା ପାଇଁ ଭାରତର ସାମର୍ଥ୍ୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରୁ ପ୍ରମାଣିତ ହୋଇଥିବା କଥା ଆଜି ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ବଜେଟ୍‌ ଅଧିବେଶନ ଆରମ୍ଭ କରିବା ସମୟରେ ଉଭୟ ଗୃହରେ ଉଦ୍‌ବୋଧନ ଦେଇ କହିଛନ୍ତି।

ସେ କହିଛନ୍ତି ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଆମେ ୧୫୦ କୋଟିରୁ ଅଧିକ ଟିକା ଦେଇ ରେକର୍ଡ ପାରି ହୋଇଛନ୍ତି। ଆଜି ଦେଶର ୯୦% ପ୍ରାପ୍ତ ବୟସ୍କ ନାଗରିକ ଅନ୍ୟୂନ ଗୋଟିଏ ଡୋଜ୍‌ ଟିକା ନେଇ ସାରିଥିବା ବେଳେ ୭୦% ଦୁଇ ଡୋଜ୍‌ ଟିକା ନେଇସାରିଛନ୍ତି। ଭାରତରେ ନିର୍ମିତ ଟିକା ବିଶ୍ବକୁ ମହାମାରୀରୁ ମୁକ୍ତ କରି ଅଗଣିତ ଜନତାଙ୍କ ଜୀବନ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି।

ଉଦ୍‌ବୋଧନ ଆରମ୍ଭରେ ସେ କହିଲେ, କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ଭାରତକୁ ତା’ର ଅଧିକାର ଦେଇଥିବା ଅସଂଖ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ମୁଁ ନତଃମସ୍ତକ। ସ୍ବାଧୀନତା ପ୍ରାପ୍ତିର ଏହି ୭୫ ବର୍ଷରେ ଦେଶ ଉନ୍ନତି ପଥରେ ଅବଦାନ ଦେଇଥିବା ମହାନ୍‌ ବ୍ୟକ୍ତିତ୍ବମାନଙ୍କୁ ମଧ୍ୟ ମୁଁ ସସମ୍ମାନ ସ୍ମରଣ କରୁଛି।

ଏହା ହେଉଛି ପାରସ୍ପରିକ ବିଶ୍ବାସ। ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ସମନ୍ବୟ ଏବଂ ସମବାୟ ହେଉଛି ଗଣତନ୍ତ୍ରର ଗୋଟାଏ ଅଭୁତପୂର୍ବ ଦୃଷ୍ଟାନ୍ତ। ଏଥିପାଇଁ ଦେଶର ପ୍ରତ୍ୟେକ ସ୍ବାସ୍ଥ୍ୟ ଏବଂ ପ୍ରତ୍ୟକ୍ଷ ସେବା ପ୍ରଦାନକାରୀ କର୍ମୀ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।

୬୪ ହଜାର କୋଟି ଟଙ୍କାରେ ସରକାର ଆରମ୍ଭ କରିଥିବା ‘ପ୍ରଧାନମନ୍ତ୍ରୀ ଆୟୁଷ୍ମାନ୍‌ ଭାରତ ହେଲ୍‌ଥ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ମିସନ୍‌’ ଗୋଟାଏ ପ୍ରଶଂସାଜନକ ଦୃଷ୍ଟାନ୍ତ। ଏହା କେବଳ ସାମ୍ପ୍ରତିକ ସ୍ବାସ୍ଥ୍ୟ ଆବଶ୍ୟକତାର ମୁକାବିଲା କରିବ ନାହିଁ, ଭବିଷ୍ୟତର ସଙ୍କଟ ପାଇଁ ମଧ୍ୟ ଦେଶକୁ ପ୍ରସ୍ତୁତ କରି ରଖିବ।

ସରକାରଙ୍କ ସୁଚିନ୍ତିତ ନୀତିଗୁଡ଼ିକ ଯୋଗୁଁ ଏବେ ଦେଶର ସାଧାରଣ ନାଗରିକମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଉନ୍ମୁକ୍ତ ହୋଇ ପାରିଛି। ୮୦ ହଜାରରୁ ଅଧିକ ସ୍ବାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ର ଏବଂ ଅସଂଖ୍ୟ ଆୟୁଷ୍ମାନ୍‌ ଭାରତ କାର୍ଡ ଚିକିତ୍ସା ନିମନ୍ତେ ଗରିବମାନଙ୍କୁ ସାହାଯ୍ୟ କରିଛି।

୮୦୦୦ରୁ ଊର୍ଦ୍ଧ୍ବ ଜନ ଔଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ଔଷଧ ବ୍ୟବସ୍ଥା କରି ସରକାର ଚିକିତ୍ସା ବାବଦ ଖର୍ଚ୍ଚ ହ୍ରାସ କରିଛନ୍ତି। ସରକାରଙ୍କର ଏହି ଉଦ୍ୟମ ଫଳରେ ଯୋଗ, ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧର ଜନପ୍ରିୟତା ବଢ଼ି ଚାଲିଛି। ଅନ୍ତ୍ୟୋଦୟର ମୌଳିକ ମନ୍ତ୍ରରେ ସରକାରଙ୍କର ବିଶ୍ବାସ ରହିଛି। ସେଥିରେ ସାମାଜିକ ବିଚାର, ସମାନତା, ସମ୍ମାନ ଏବଂ ସମାନ ସୁଯୋଗ ରହିବା ଉଚିତ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସରକାର ସମସ୍ତ ଗରିବମାନଙ୍କ ପ୍ରତି ମାସରେ ମାଗଣା ରେସନ୍‌ ଦେଉଛନ୍ତି। ‘ଜେଏଏମ୍‌ ଟ୍ରିନିଟି’ ସହ ନାଗରିକ ସଶକ୍ତକରଣ ପାଇଁ ସରକାର ଯେଭଳି ଭାବେ ‘ଜନଧନ-ଆଧାର-ମୋବାଇଲ୍‌’ ଲିଙ୍କ୍‌ କରିଛନ୍ତି ତାହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି। ବ୍ୟାଙ୍କ୍‌ ବ୍ୟବସ୍ଥାରେ ୪୪ କୋଟିରୁ ଅଧିକ ଗରିବ ଦେଶବାସୀଙ୍କୁ ସଂଯୋଗ କରାଯିବାରୁ ମହାମାରୀ ସମୟରେ ବହୁ ହିତାଧିକାରୀ ‘ଡାଇରେକ୍ଟ୍‌ କ୍ୟାସ୍‌ ଟ୍ରାନ୍‌ସ୍‌ଫର୍‌’ର ସୁବିଧା ପାଇଲେ।

‘ଡିଜିଟାଲ୍‌ ଇଣ୍ଡିଆ’ ପରିପ୍ରେକ୍ଷୀରେ ଦେଶର ‘ୟୁପିଆଇ’ ପ୍ଲାଟ୍‌ଫର୍ମର ସଫଳତା ଓ ଡିଜିଟାଲ୍‌ ଅର୍ଥନୀତିର ବର୍ଦ୍ଧିଷ୍ଣୁ ପ୍ରସାରଣ ଲାଗି ସରକାରଙ୍କ ଦୂରଦୃଷ୍ଟି ପ୍ରଶଂସାଜନକ। ‘ୟୁପିଆଇ’ ଜରିଆରେ ଡିସେମ୍ବର ୨୦୨୧ ସୁଦ୍ଧା ଦେଶରେ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଦେଣନେଣ ହୋଇଛି।

ଗତବର୍ଷ କୃଷିଜାତ ରପ୍ତାନି ୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଉତ୍ପାଦ ବିକ୍ରୟ ପାଇଁ ସରକାର କୃଷକମାନଙ୍କ ଅଧିକ ବ୍ୟବସ୍ଥା କରୁଛନ୍ତି। କୃଷକମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ‘ଷ୍ଟୋରେଜ୍‌’ ସୁବିଧା କରିଛନ୍ତି। କ୍ଷୁଦ୍ର ଚାଷୀଙ୍କ ଉପରେ ସରକାର ସର୍ବଦା ଦୃଷ୍ଟି ଦେଇ ଆସିଛନ୍ତି। ୧,୮୦,୦୦୦ କୃଷକ ପରିବାରଙ୍କୁ ସରକାର ଅର୍ଥ ପ୍ରଦାନ କରିଛନ୍ତି।

ମହିଳାମାନଙ୍କ ପାଇଁ ମଧ୍ୟ ସରକାର ଅନେକ ଯୋଜନା କରିଛନ୍ତି। ସ୍ବାବଲମ୍ବୀ କରାଇବା ପାଇଁ ସରକାର କେତେକ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ତାଲିମ ଦେଇଛନ୍ତି। ‘ବେଟି ବଚାଓ, ବେଟି ପଢ଼ାଓ’ ଭାରତର ଅନେକ ଝିଅଙ୍କୁ ସାହାଯ୍ୟ କରିଛି। ଝିଅମାନଙ୍କ ବିବାହ ବୟସ ମଧ୍ୟ ସରକାର ବୃଦ୍ଧି କରିଛନ୍ତି। ସରକାର ତିନ୍‌ ତଲାକ୍‌ ପ୍ରଥା ମଧ୍ୟ ନିଷିଦ୍ଧ କରିଛନ୍ତି।

ଗତବର୍ଷ ୪.୫ କୋଟି ଶିକ୍ଷାର୍ଥୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି। ମହିଳାମାନେ ‘ନ୍ୟାସନାଲ୍‌ ଡିଫେନ୍‌ସ୍‌ ଏକାଡେମି’ରେ ପ୍ରବେଶ ପାଇଁ ସୁଯୋଗ ପାଇଛନ୍ତି। ଜାତୀୟ ଶିକ୍ଷାନୀତି ଭାରତର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ କରିଛି। ଏବେ ଦେଶରେ ୧୯ଟି ଇଞ୍ଜିନିୟରିଙ୍ଗ୍‌ କଲେଜ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରୁଛନ୍ତି। ଅଧିକ କର୍ମସଂସ୍ଥାନ ପାଇଁ ସରକାର ‘ମେଗା ଟେକ୍‌ଷ୍ଟାଇଲ୍‌ ମାନୁଫ୍ୟାକ୍ଚରିଙ୍ଗ୍‌ ପାର୍କ’ ନିର୍ମାଣ କରୁଛନ୍ତି।

କ୍ରୀଡ଼ାକ୍ଷେତ୍ରରେ ମଧ୍ୟ ଭାରତୀୟ ଯୁବାବର୍ଗ ପାରଦର୍ଶୀତା ପ୍ରଦଶର୍ନ କରୁଛନ୍ତି ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com