ଓଡ଼ିଶା

ଓଡ଼ିଶାକୁ ୯,୭୩୪ କୋଟିର ରେଳ ଅନୁଦାନ, ପୂର୍ବ ବର୍ଷ ଅପେକ୍ଷା ୭୬% ଅଧିକ

ଭୁବନେଶ୍ୱର() ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ  ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ମିଳିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ,ମୋଦି ସରକାର ପୂର୍ବୋଦୟ ମିଶନରେ ଓଡିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ଏହି ରେକର୍ଡ ସଂଖ୍ୟକ ଅର୍ଥ ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ ଓ ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବ । ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି । ମୋଦି ସରକାରରେ ବିଗତ ୭ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।
୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି । ଚଳିତଥର ବାସ୍ତବ ସ୍ଥିତି ଓ ପ୍ରକଳ୍ପର କାମକୁ ତ୍ୱରାନ୍ୱିତ କରିବା ଆଧାରରେ ବଜେଟ୍ ପୂର୍ଣ୍ଣାଙ୍ଗ ହୋଇଛି । ପ୍ରତି ପ୍ରକଳ୍ପର ଆବଶ୍ୟକତା ବିଚାରକୁ ନିଆଯାଇ ଅର୍ଥ ଅନୁଦାନ ଦିଆଯାଇଛି । ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି ।
ମୋଦି ସରକାର ଓଡିଶାକୁ ରେଳ କ୍ଷେତ୍ରରେ ପ୍ରାଥମିକତା ଦେଇଛନ୍ତି । ଯାହା ମୋଦି ସରକାରଙ୍କ ଓଡିଶାର ବିକାଶ ପାଇଁ ଥିବା ଅଙ୍ଗିକାରବଦ୍ଧତାକୁ ଦର୍ଶାଉଛି । ଚଳିତ ବଜେଟରେ ବହୁ ପ୍ରତିକ୍ଷୀତ ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୮୯୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଅନୁଦାନ ପଶ୍ଚିମ ଓଡିଶାବାସୀଙ୍କ ବହୁ ପ୍ରତିକ୍ଷୀତ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଇବ ।
ଏହାବାଦ ବଜେଟରେ ୯୮.୭ କିମିର ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫ କୋଟି ଟଙ୍କା , ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କା ଦିଆଯାଇଛି । ଏହା ଦ୍ୱାରା ଏହି ପ୍ରକଳ୍ପର କାମ ତ୍ୱରାନ୍ୱିତ ହେବ । ସେହିପରି ତାଳଚେର-ବିମଳାଗଡ ୧୫୪ କିମି ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଭଦ୍ରକ – ନିଗୃଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି, ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର- ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ଦୋହରିକରଣ ପାଇଁ ୯୯ କୋଟି ଟଙ୍କା, ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨ କୋଟି ଟଙ୍କା, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି ଟଙ୍କା ଦିଆଯାଇଛି ।
ଜୟପୁର –ମାଲକାନଗିରି ୧୩୦ କିମି ପାଇଁ ୧୩ କୋଟି ଟଙ୍କା, ଜୟପୁର- ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କା ଦିଆଯାଇଛି । ଏହି ସବୁ ଅର୍ଥ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ଏହାବ୍ୟତିତ ଯାତ୍ରୀ ସୁବିଧା ପାଇଁ ୩୦୪.୧୭ କୋଟି ଟଙ୍କା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।
କଂଗ୍ରେସ ସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ଦିଆଯାଇଥିଲା । ମାତ୍ର ମୋଦି ସରକାରରେ ୨୦୧୪ରୁ ବାର୍ଷିକ ହାରାହାରି ପ୍ରାୟ ୫୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦିଆଯାଉଛି ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com