ଜାତୀୟ

ଚାଲିଗଲେ ‘ଆନନ୍ଦ’ ଫିଲ୍ମର ଅଭିନେତା ରମେଶ ଦେଓ

ମୁମ୍ବାଇ() ‘ଆନନ୍ଦ’ ଓ ‘ଆପ୍‌ କି କସମ୍‌’ ଭଳି ଫିଲ୍ମ ପାଇଁ ବେଶ୍ ଜଣାଶୁଣା ହୋଇଥିବା ଅଭିନେତା ରମେଶ ଦେଓଙ୍କର ପରଲୋକ ହୋଇଯାଇଛି। ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ତଥା ଫିଲ୍ମ ନିର୍ଦ୍ଦେଶକ ଅଭିନୟ ଦେଓ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ରମେଶଙ୍କୁ ୯୦ ବର୍ଷ ହୋଇଥିଲା।

ରମେଶ ୨୫୦ରୁ ଅଧିକ ହିନ୍ଦୀ ଫିଲ୍ମ ସହିତ ପ୍ରାୟ ୨୦୦ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। ୬୦ ବର୍ଷ ଧରି ସେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଥିଲେ। ବିଶେଷ କରି ସେ ଥିଲେ ଜଣେ ଚରିତ୍ର ଅଭିନେତା। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ। କେତେବେଳେ ସେ ଡାକ୍ତର ଚରିତ୍ରରେ ଅଭିନୟ କରିଥିଲେ ତ କେତେବେଳେ ହିରୋର ବନ୍ଧୁ ଭୂମିକାରେ। ସେହିଭଳି ସେ ନେଗେଟିଭ୍‌ ଚରିତ୍ରରେ ବି ଅଭିନୟ କରିଥିଲେ। ନିଶ ଓ ହସ୍‌ ଥିଲା ରମେଶଙ୍କ ଟ୍ରେଡ୍‌ ମାର୍କ।

‘ଆରତି’, ‘ଆନନ୍ଦ’, ‘ଆପ୍‌କ କି କସମ୍‌’, ‘ମେରେ ଅପନେ’, ‘ଜୀବନ୍‌ ମୃତ୍ୟୁ’, ‘ସରସ୍ୱତୀଚନ୍ଦ୍ର’, ‘ଖିଲୋନା’, ‘ଘାୟଲ ୱାନ୍ସସ ଏଗେନ୍’ ଓ ‘ଜଲି ଏଲ୍‌ଏଲ୍‌ବି’ ଭଳି ହିନ୍ଦୀ ଫିଲ୍ମରେ ରମେଶ ଅଭିନୟ କରିଛନ୍ତି। ଦିଲ୍ଲିପ କୁମାର, ରାଜେଶ ଖନ୍ନା ଓ ଅମିତାଭ ବଚ୍ଚନଙ୍କ ଭଳି ଅଭିନେତାଙ୍କ ସହିତ ସେ କାମ କରିଥିଲେ। ସେହିଭଳି ଅକ୍ଷୟ କୁମାର ଓ ସନ୍ନି ଦେଓଲଙ୍କ ସହିତ ଯଥାକ୍ରମେ ‘ଜଲି ଏଲ୍‌ଏଲ୍‌ବି’ ଓ ‘ଘାୟଲ ୱାନ୍ସସ ଏଗେନ୍’ ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ।

୧୯୭୧ରେ ରିଲିଜ୍‌ ହୋଇଥିଲା ସୁପରହିଟ୍ ଫିଲ୍ମ ‘ଆନନ୍ଦ’। ଏଥିରେ ରମେଶ ଡାକ୍ତର ପ୍ରକାଶ କୁଲକର୍ଣ୍ଣି ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନେତ୍ରୀ ପତ୍ନୀ ସୀମା ଦେଓ ମଧ୍ୟ ଏହି ଫିଲ୍ମରେ ତାଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରିଥିଲେ।

ରମେଶଙ୍କ ପୁଅ ଆଜିଙ୍କ୍ୟ ଦେଓ ଜଣେ ଅଭିନେତା। ସେ ମରାଠୀ ଫିଲ୍ମରେ ଅଭିନୟ କରନ୍ତି। ସେହିଭଳି ପୁଅ ଅଭିନୟ ଦେଓ ଜଣେ ଫିଲ୍ମ ନିର୍ଦ୍ଦେଶକ। ସେ ‘ଦିଲ୍ଲୀ ବେଲୀ’, ‘ଫୋର୍ସ ୨’ ଓ ‘ବ୍ଲାକ୍‌ମେଲ୍‌’ ଭଳି ବଲିଉଡ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଆଗାମୀ ଫିଲ୍ମର ନାଁ ‘ଦୁସ୍‌ରା’।

Related Articles

Back to top button
WP Twitter Auto Publish Powered By : XYZScripts.com