ଜାତୀୟରାଜନୀତି

ବିବାଦ ବଢୁଥିବା ଦେଖି ପଲଟିଲେ ସିଦ୍ଧୁ

ଚଣ୍ଡିଗଡ() ପଞ୍ଜାବରେ କିଏ ହେବ ମୁଖ୍ୟମନ୍ତ୍ରୀ ଫେସ୍‌? ସିଦ୍ଧୁ ନା ଚନ୍ନି। ଆଉ କିଛି ସମୟ ପରେ ସସ୍‌ପେନ୍ସ ଉପରୁ ଉଠିବ ପରଦା। କଂଗ୍ରେସ ନେତା ରାହୁଲ ଗାନ୍ଧି କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଙ୍କ ନାଁ ଉପରେ ମୋହର ମାରିବେ। ତେବେ ଏହା ପୂର୍ବରୁ ପଲଟିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ବିବାଦ ବଢ଼ୁଥିବା ଦେଖି ବଦଳା ଦେଇଛନ୍ତି ନିଜ ବୟାନ।

କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୂର୍ବରୁ ସେ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଅଡି ବସିଥିଲେ। ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନକଲେ ସେ ଦଳ ଛାଡି ଦେବେ ବୋଲି ମଧ୍ୟ ଧମକ ଦେଇସାରିଥିଲେ। କେବଳ ସେତିକି ନୁହେଁ ନିକଟରେ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ସିଦ୍ଧୁ। କହିଥିଲେ, ହାଇକମାଣ୍ଡ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି, ଯିଏ ତାଙ୍କ କଥାରେ ନାଚି ପରୁଥିବ। କିନ୍ତୁ ନୂଆ ପଞ୍ଜାବ ଗଠନ ପାଇଁ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ଦରକାର ବୋଲି କହି ନିଜ ଆଡକୁ ଇସାରା କରିଥିଲେ ସିଦ୍ଧୁ।

ଏବେ ନିଜ ବୟାନକୁ ନେଇ ବିବାଦ ବଢ଼ିବା ପରେ ପଲଟି ଯାଇଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ। ସେ ନିଜ ମୁଣ୍ଡ ନୁଆଁଇ ଦେଇଛନ୍ତି। ହାଇକମାଣ୍ଡ ତଥା ରାହୁଲ ଗାନ୍ଧି ଯାହା ନିଷ୍ପତ୍ତି ନେବେ ସେ ତାକୁ ମାନିବେ ବୋଲି କହିଛନ୍ତି। ପଞ୍ଜାବ କଂଗ୍ରେସର ସିଏମ୍‌ ଫେସ୍‌କୁ ନେଇ ଜାରି ରହିଥିବା ସସ୍‌ପେନ୍ସ ଭିତରେ ସିଦ୍ଧୁ ଏ କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ଯିଏ ବି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ନା କାହିଁକି, ମୁଁ ତାଙ୍କ ସହ ମିଳିମିଶି କାମ କରିବି।’

କେବଳ ସେତିକି ନୁହେଁ ନିକଟରେ ପରୋକ୍ଷାରେ ଟାର୍ଗେଟ କରୁଥିବା ସିଦ୍ଧୁ, ରାହୁଲ ଗାନ୍ଧିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ ରାହୁଲଙ୍କୁ ସିଂହ ବୋଲି କହିଛନ୍ତି। ଏଥିସହ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ମୁଁ ୧୩ ବର୍ଷ ବିଜେପିରେ ଥିଲି। ସେମାନେ ମୋତେ କେବଳ ପ୍ରଚାର ପାଇଁ ବ୍ୟବହାର କଲେ। ମୋ ଦ୍ୱାରା ଏଠି ସେଠି ପ୍ରଚାର କରାଇଥିଲେ। ମୁଁ ଆପଣଙ୍କ ଋଣି ରହିବି। ମୁଁ କଂଗ୍ରେସର ଭଲ ଚାହୁଁଛି। ମୁଁ ସର୍ବଦା ରାହୁଲଜୀଙ୍କ ଋଣି ରହିବି। ମୁଁ ପଞ୍ଜାବର ଜଣେ ପ୍ରେମୀ। ଏଥର ଏଭଳି ଇଞ୍ଜିନ୍ ଆବଶ୍ୟକ ଯାହା ସମସ୍ତ ବଗିକୁ ଟାଣିପାରିବ।’

ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଅଡି ବସିଥିବା ସିଦ୍ଧୁଙ୍କ ଏଭଳି ପଲଟିବା ବୟାନ ସାମ୍ନାକୁ ଆସିବା ପରେ ଏବେ ରଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିବାଦ ବଢ଼ିବାରୁ ସେ କୁଆଡେ ଡରି ଯାଇଥିବା ନେଇ ଚର୍ଚ୍ଚା ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com