ଜାତୀୟ

କାନପୁରରୁ ଅପହୃତ ଶିଶୁର ବିବସ୍ତ୍ର ଶବ ଉଦ୍ଧାର, ଆଖିରେ କଣ୍ଟା ଫୁଟାଯାଇଥିବା ସନ୍ଦେହ

କାନପୁର: ସୋମବାର ଅପରାହ୍ଣରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ଜଣେ ୧୦ ବର୍ଷିୟ ବାଳକର ବିଖଣ୍ଡିତ ଶବ ମଙ୍ଗଳବାର ଦିନ କାନପୁର ଅନ୍ତର୍ଗତ ନର୍‌ୱାଲ୍‌ ଅଞ୍ଚଳର ଗୋଟାଏ ଫାର୍ମରୁ ଉଦ୍ଧାର କରାଯାଇଛି।

‘ଫୋରେନ୍‌ସିକ୍’ ବିଶେଷଜ୍ଞମାନେ କହୁଛନ୍ତି ଯେ, ପିଲାଟିର ଗୋଟିଏ ଆଖିରେ କଣ୍ଟାଟିଏ ପିଟା ‌ହୋଇଥିବା ପରି ମନେହେଉଛି। ତା’ମୁହଁରେ ଯେଉଁ ଦାଗ ଦିଶୁଛି ତାହା ସିଗାରେଟ୍‌ ମୁଣ୍ଡିର ଚେଙ୍କ ଚିହ୍ନ। ତା’ ବେକରେ ଯେଉଁ ଚାପା ଚିହ୍ନ ଦିଶୁଛି, ସେଥିରୁ ଜଣାପଡୁଛି ଯେ, ଆତତାୟୀ ତାକୁ ନିଜ ପାଦରେ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିଛି। ବ୍ୟବଚ୍ଛେଦ ନିମନ୍ତେ ବାଳକର ଶବଟିକୁ ପଠାଇ ଦିଆଯାଇଛି। ମାମଲାର ତଦନ୍ତ ଲାଗି ପୁଲିସ କେତେଗୁଡ଼ିଏ ଟିମ୍‌ ଗଠନ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ନରୱାଲ୍‌ ଅନ୍ତର୍ଗତ ବେହତା ଗ୍ରାମର ସେ ପିଲାଟି ସୋମବାର ଅପରାହ୍ଣରେ ଖେଳିବାକୁ ଯାଇ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ମଙ୍ଗଳବାର ରାତିରେ ସ୍ଥାନୀୟ ବାସିନ୍ଦା ରାମେନ୍ଦ୍ର ମିଶ୍ରଙ୍କ ଫାର୍ମରୁ ପିଲାଟିର ବିବସ୍ତ୍ର ଶବ ମିଳିଥିଲା। ତା’ର ପୋଷାକପତ୍ର ସବୁ ଆଉ ଗୋଟାଏ ଫାର୍ମରୁ ଉଦ୍ଧାର କରାଯାଇଛି।

ସଦର ସି.ଓ. ଋଷିକେଶ ଯାଦବ କହିଛନ୍ତି, ବ୍ୟବଚ୍ଛେଦ ବିବରଣୀ ଆସିବା ପରେ ବାଳକଟିର ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିଯିବ।

ଫାର୍ମ ପାଖରୁ ‘ଫୋରେନ୍‌ସିକ୍‌ ଟିମ୍‌’ ଗୋଟାଏ ଖାଲି ଦେଶୀ ମଦ ବୋତଲ, ଦୁଇଟି ଗିଲାସ ଏବଂ ଗୋଟାଏ ରକ୍ତରଞ୍ଜିତ ବାଡ଼ି ପାଇଛନ୍ତି। ନରହତ୍ୟା ମାମଲା ରୁଜୁ କରାଯିବା ସହ ଅଳ୍ପ କେତେ ଜଣ ସନ୍ଦିଗ୍ଧଙ୍କୁ ହାଜତକୁ ନିଆଯାଇଛି ବୋଲି କାନପୁର ଆଉଟର୍‌ ଏସ୍‌.ପି. ଅଜିତ କୁମାର ସିହ୍ନା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com