ଓଡ଼ିଶା

ଆସନ୍ତା ୨୭ ତାରିଖରେ ପୁରୀ ଲୋକନାଥ ମନ୍ଦିରରେ ହେବ ପଙ୍କୋଦ୍ଧାର ଏକାଦଶୀ

ପୁରୀ() ଆସନ୍ତା ୨୭ ତାରିଖରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ। ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ। ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନାରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯିବ। ତେବେ ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଦିନ ଭକ୍ତମାନେ ଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିବାର ସୁଯୋଗ ଭକ୍ତଙ୍କୁ ପ୍ରଶାସନ ଅନୁମତି ଦେଇ ଥିବାରୁ ଉଭୟ ଭକ୍ତ ଓ ସେବାୟତ ବେଶ୍ ଉତ୍ସାହିତ ଥିବା କହିଛନ୍ତି।

ତେବେ ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୁଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟା ସହ ପରେ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ୮ ଟାରୁ ପଙ୍କୋଦ୍ଧାର କରାଯିବ। ଏହାପରେ ଦିନ ୧୨ଟାରୁ ସାଧାରଣ ଭକ୍ତ ମାନେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିପାରିବେ। ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଦିନ ୨ହଜାର ଓ ଜାଗର ଯାତ୍ରା ଦିନ ୪ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବାବେଳେ ଟିକେଟ ଦାମ୍ ୧୦୦ ଟଙ୍କା ରଖାଯାଇଛି।

 

ଆସନ୍ତା ୧ ତାରିଖ ମଙ୍ଗଳବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ। ଜାଗର ଅବସରରେ ଭକ୍ତ ମାନେ ମନ୍ଦିର ପରିସରରେ ଓ ବାହାରେ ଏକାଠି ବସି ଦୀପ ଜାଳି ଉଜାଗର ରହିପାରିବେ ବୋଲି ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ମ୍ୟାନେଜର କହିଛନ୍ତି। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସ‌ହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com