ଅନ୍ତର୍ଜାତୀୟ

ଋଷ ବିରୋଧରେ କଟକଣା କଠୋର ପରେ ବେଲାଋଷରେ ୟୁକ୍ରେନ ସହ ହେବ ଆଲୋଚନା

ବେଲାଋଷ : ବିବାଦର ଘଟିବ ଅନ୍ତ, ଯୁଦ୍ଧର ହେବ ଅବସାନ । ୟୁକ୍ରେନ ଆକାଶରୁ ହଟିଯିବ ଯୁଦ୍ଧର କଳାବାଦଳ । ଆଶ୍ୱସ୍ତ ହେବେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ୟୁକ୍ରେନ ନାଗରିକ । ବେଲାଋଷରେ ଋଷ ସହ ଆଲୋଚନା ପ୍ରସ୍ତାବ ଉପରେ ୟୁକ୍ରେନର ସମ୍ମତି ପରେ ଏଭଳି ଆଶା ଉଜ୍ଜିବୀତ ହୋଇଛି । ତେବେ ଏବେ ମଧ୍ୟ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି । ଋଷ ବିରୋଧରେ ଆମେରିକା ଓ ବ୍ରିଟେନ ଭଳି ଦେଶ କଟକଣାକୁ ଅଧିକ କଠୋର କରୁଥିବା ବେଳେ ଋଷକୁ ଉତ୍ତରକୋରିଆ ଓ ଚୀନ ଭଳି ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି ।
ୟୁକ୍ରେନକୁ ୩୫୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ର ଯୋଗାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିବାବେଳେ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ କରିଛନ୍ତି ଘୋଷଣା । ତେଣେ ମଇଦାନକୁ ଆସିଛି ଉତ୍ତରକୋରିଆ । ଶାସକ କିମ୍ ଜଙ୍ଗ ଉନ୍ ଯୁଦ୍ଧ ଲାଗି ଆମେରିକାକୁ ଦାୟୀ କରିଥିବାବେଳେ ଋଷକୁ କରିଛନ୍ତି ସମର୍ଥନ । କହିଛନ୍ତି- ଶାନ୍ତି ଓ ସ୍ଥିରତା ନାମରେ ଆମେରିକା ବିଶ୍ୱରେ ସବୁଠାରୁ ଅଧିକ ଅସ୍ଥିରତା ସୃଷ୍ଟି କରୁଛି । ଯୁଦ୍ଧ ଟେନସନ ଭିତରେ ଉତ୍ତରକୋରିଆ ପରୀକ୍ଷା କରିଛି ଅତି ଦୂରଗାମୀ କ୍ଷେପଣାସ୍ତ୍ର । ଏହାକୁ ମିଶାଇ ଚଳିତ ବର୍ଷ ୮ଟି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତରକୋରିଆ । ଅନ୍ୟତମ ସୁପରପାଓ୍ୱାର ଚୀନ ମଧ୍ୟ ଆମେରିକାକୁ ଦୋଷ ଦେଇଛି । ୟୁକ୍ରେନ ପ୍ରସଙ୍ଗରେ ଋଷ ଓ ଚୀନ ମଧ୍ୟରେ ସମ୍ପର୍କ ହେଉଛି ନିକଟତର । ଚୀନର ନମ୍ବର ଓ୍ୱାନ୍ ଟ୍ରେଡିଂ ପାର୍ଟନର ଭାବେ ଦୀର୍ଘ ଦଶନ୍ଧି ଧରି ରହିଆସିଛି ଋଷ । ଦିନକୁ ଦିନ ଜଟିଳ ହେଉଛି ଯୁଦ୍ଧସ୍ଥିତି । ବଦଳିବାରେ ଲାଗିଛି ବିଶ୍ୱର ସମୀକରଣ । ଗ୍ରେଟର ଋଷ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଭିମୁଖ୍ୟ ଉପରେ ରୋକ୍ ଲାଗି ନାଟୋ ହୋଇଛି ଅକ୍ଷମ ।
ତେବେ ଏହାରି ମଧ୍ୟରେ ବିଶ୍ୱର ବୃହତ୍ତମ ବିମାନକୁ ନଷ୍ଟ କଲା ଋଷ ସେନା । ୟୁକ୍ରେନ ସ୍ଥିତ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି । ଏଏନ୍‌-୨୨୫ ‘ମ୍ରିୟା’ ଯାହାର ଅର୍ଥ ହେଉଛି ‘ସ୍ୱପ୍ନ, ଏହି ବୃହତ୍ତକାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍‌’ ନିର୍ମାଣ କରିଥିଲା। ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଏଭ୍‌ ବାହାରେ ଥିବା ‘ହୋସ୍ତୋମେଲ୍‌ ବିମାନ ବନ୍ଦର’ରେ ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।
ତେବେ ଆଶା ଆଶଙ୍କା ମଧ୍ୟରେ ୟୁକ୍ରେନ୍‌ ଏବଂ ରୁଷ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା ପାଇଁ ସୋମବାର ଦିନ ୧୯୩ ସଦସ୍ୟବିଶିଷ୍ଟ ‘ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭା’ର (ୟୁଏନ୍‌ଜିଏ) ଜରୁରୀକାଳୀନ ତଥା ବିରଳ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ରବିବାର ଦିନ ଏଥିପାଇଁ ପ୍ରକ୍ରିୟାତ୍ମକ ଭୋଟ୍‌ ଗ୍ରହଣ କରାଯାଇଥିଲା । କିନ୍ତୁ, ପୂର୍ବ ଭଳି ଭାରତ, ଚୀନ୍‌ ଏବଂ ସଂଯୁକ୍ତ ଆରବ ଏମିରେଟସ୍‌ ଭୋଟ୍‌ ଦାନରୁ ନିବୃତ୍ତ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com