ଓଡ଼ିଶା

ଶ୍ରୀମନ୍ଦିର ପ୍ରକଳ୍ପ ମାମଲାର ତ୍ୱରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମ କୋର୍ଟ, ପ୍ରଧାନ ବିଚାରପତି ଅନୁମତି ଦେଲେ ହେବ ଶୁଣାଣି

ନୂଆଦିଲ୍ଲୀ: ବୈଷୟିକ ସମସ୍ୟା କାରଣରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାର ତ୍ବରିତ ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ବିଚାରପତି ଜଷ୍ଟିସ ବି.ଆର୍. ଗଭାଇ ଓ ଜଷ୍ଟିସ ହିମା ‌କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପ୍ରଧାନ ବିଚାରପତି ମାମଲା ଆବଣ୍ଟନ ନକରିବା ପର‌୍ୟ୍ୟନ୍ତ ଆମେ ଶୁଣାଣି କରିବା ସମ୍ଭବ ନୁହେଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଜବରଦଖଲକୁ ନେଇ ଦାଖଲ ଦୁଇଟି ସ୍ବତନ୍ତ୍ର ଲିଭ ପିଟିସନର ତ୍ବରିତ ଶୁଣାଣି ଲାଗି ଗତକାଲି ଖଣ୍ଡପୀଠ ରାଜି ହୋଇଥିଲେ। ଏହାସତ୍ତ୍ବେ ଶୁଣାଣି ପାଇଁ ଆଜି ମାମଲା ତାଲିକାଭୁକ୍ତ କରାଯାଇନଥିଲା। ଏଣୁ ଖଣ୍ଡପୀଠଙ୍କ ନିକଟରେ ପୁଣି ଥରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାେଲକ୍ଷ୍ମୀ ପାଭାନୀ ମାମଲାର ତ୍ବରିତ ଶୁଣାଣି ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଜବାବରେ ଖଣ୍ଡପୀଠ କହିଥି‌ଲେ ଯେ ଆଜି ଯଦି ପ୍ରଧାନ ବିଚାରପତି ଶୁଣାଣି ପାଇଁ ବେଞ୍ଚକୁ ଅନୁମତି ଦିଅନ୍ତି, ତେବେ ଦିନ ଦୁଇଟା ପରେ ମାମଲାର ଶୁଣାଣି କରାଯିବ। ଆମେ ପ୍ରଧାନ ବିଚାରପତିଙ୍କ ଅଧିକାରରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ। ଖଣ୍ଡପୀଠ ଆମିକସ୍ କ୍ୟୁରି ଓ ରାଜ୍ୟ ସରକାରଙ୍କ ଓକିଲଙ୍କୁ ଆବେଦନର ନକଲ ପ୍ରଦାନ କରିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com