ଜାତୀୟ

ତିହାର ଜେଲ୍‌ରେ କଏଦୀଙ୍କୁ କୁସ୍ତି ଶିଖାଉଛନ୍ତି ସୁଶୀଲ କୁମାର, ଦେଉଛନ୍ତି ଫିଟନେସ୍ ଟିପ୍ସ

ନୂଆଦିଲ୍ଲୀ : ଦିଲ୍ଲୀରେ ତିହାର ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି ଦୁଇ ଥରର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର। ତେବେ ଜେଲ୍ ଭିତରେ ନିଜ ସାଥୀ କଏଦୀଙ୍କୁ କୁସ୍ତି ଏବଂ ଶାରୀରିକ ପ୍ରଶିକ୍ଷଣ ଦେଉଛନ୍ତି ଏହି ପହିଲମାନ। ଜେଲ୍ ଅଧିକାରୀ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। ଦିଲ୍ଲୀରେ କୋଭିଡ୍-୧୯ର ପ୍ରକୋପ ଥମିବା ପରେ ଜେଲ୍ ପରିସରରେ ଗତିବିଧି ସ୍ଵାଭାବିକ ହେବାରେ ଲାଗିଛି। ତିହାର ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି, ସୁଶୀଲଙ୍କୁ  ଖେଳକୁଦରେ ସାମିଲ୍ କରିବାକୁ ଯୋଜନା କରାଯାଇଥିଲା। ହେଲେ ଦିଲ୍ଲୀରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା।
ଦିଲ୍ଲୀ ଜେଲ୍‌ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ କହିଛନ୍ତି, ଆମେ ସୁଶୀଲଙ୍କୁ କୁସ୍ତି ଶିଖିବାକୁ ଇଚ୍ଛୁକ କଏଦୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅନୁମତି ଦେଇଛୁ। କାରଣ ସୁଶୀଲ ଜଣେ ପେଶାଦାର ରେସଲର। ତେଣୁ ଫିଟନେସ୍ ଏବଂ କୁସ୍ତି ସମ୍ବନ୍ଧିତ କ୍ରୀଡାରେ ସେ ପ୍ରଶିକ୍ଷଣ ଦେବା କଏଦୀଙ୍କ ପାଇଁ ଲାଭଦାୟୀ ହେବ। ବିଶେଷ କରି ଯେଉଁମାନେ କ୍ରୀଡା ପ୍ରତି ରୁଚି ରଖୁଛନ୍ତି, ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ମିଳି ପାରିବ। ସୁଶୀଲ ସେମାନଙ୍କୁ ଫିଟ୍ ଏବଂ ସତେଜ ରହିବାରେ ସାହାଯ୍ୟ କରିବେ। ଏମିତି ହେଲେ କଏଦୀ କ୍ରୀଡାରେ ବ୍ୟସ୍ତ ରହିବେ ଏବଂ ମନରେ ସକରାତ୍ମକ ଚିନ୍ତାଧାରା ଆସିବ, ଯାହାକୁ ସେମାନେ ଭଲ କାମରେ ଲଗାଇ ପାରିବେ ବୋଲି କହିଛନ୍ତି ଜେଲ୍ ମହାନିର୍ଦ୍ଦେଶକ।
୨୦୨୧ ସେପ୍ଟେମ୍ବରରେ କୋଭିଡ୍-୧୯ ତୃତୀୟ ଲହର ପୂର୍ବରୁ ଦିଲ୍ଲୀ ଜେଲ୍ ବିଭାଗ ତିହାର ଜେଲ୍‌ରେ କଏଦୀଙ୍କୁ ବିଭିନ୍ନ କ୍ରୀଡାରେ ପେଶାଦାର ପ୍ରଶିକ୍ଷଣ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏହାରି ଆଧାରରେ ଇଣ୍ଡିଆନ ଓଏଲ କରପୋରେସନ ଲିମିଟେଡ୍‌ର ସିଏସଆର ପ୍ରକଳ୍ପ ଅନ୍ତର୍ଗତ କଏଦୀଙ୍କୁ ଛଅ ଖେଳ ଖୋ-ଖୋ, ଭଲିବଲ୍, ବ୍ୟାଡମିଣ୍ଟନ, ବାସ୍କେଟବଲ୍, ଚେସ୍ ଏବଂ କ୍ୟାରମରେ ପ୍ରଶିକ୍ଷଣ ଦେବାକୁ ଅନୁମତି ଦିଆଯାଉଛି।
ସୂଚନାଯୋଗ୍ୟ, ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମ ହତ୍ୟାକାଣ୍ଡରେ ଗତ ବର୍ଷ ମାର୍ଚ୍ଚ ୨୩ରେ ସହ ଅଭିଯୁକ୍ତ ଅଜୟ କୁମାରଙ୍କ ସହିତ ଗିରଫ ହୋଇଥିଲେ। କୁମାର ଏବଂ ତାଙ୍କ ସାଙ୍ଗମାନେ ମିଶି ଯୁବ ପହିଲମାନ ସାଗର ଧନଖଡ ଏବଂ ତାଙ୍କ ସାଙ୍ଗମାନଙ୍କୁ ଷ୍ଟାଡିୟମରେ ନିର୍ଧୁମ ପିଟିଥିଲେ। ପରେ ଧନଖଡଙ୍କ ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com