କ୍ରୀଡ଼ା

ମୋହାଲିରେ କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଲେ ରବିଚନ୍ଦ୍ରନ ଅଶ୍ଵିନ

ମୋହାଲି() ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ବଡ କାରନାମା କରିଛନ୍ତି। ଅଶ୍ଵିନ ଭାରତର ପୂର୍ବତନ ମହାନ ଅଲରାଉଣ୍ଡର କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଶ୍ଵିନ ଟେଷ୍ଟରେ ଭାରତ ପକ୍ଷରୁ ସବୁଠୁ ଅଧିକ ଓ୍ଵିକେଟ୍ ନେବାରେ ଦ୍ଵିତୀୟ ବୋଲର ହୋଇଛନ୍ତି। ଅଶ୍ଵିନ ଚରିଥ ଅସାଲାଙ୍କାଙ୍କୁ ଆଉଟ୍ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଅଶ୍ଵିନଙ୍କ ନାମରେ ଏବେ ୪୩୫ ଟେଷ୍ଟ ଓ୍ଵିକେଟ୍ ହୋଇଛି।

ଅଶ୍ଵିନ ଏହି ୪୩୫ ଓ୍ଵିକେଟ୍ ମଧ୍ୟରୁ ଅଷ୍ଟ୍ରେଲିଆ ବିପକ୍ଷରେ ୮୯, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୬, ଇଂଲଣ୍ଡ ବିପକ୍ଷରେ ୮୮, ଶ୍ରୀଲଙ୍କା ବିପକ୍ଷରେ ୫୫, ନ୍ୟୁଜିଲାଣ୍ଡ ବିପକ୍ଷରେ ୬୬, ବାଂଲାଦେଶ ବିପକ୍ଷରେ ୧୬, ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ଏବଂ ଆଫଗାନିସ୍ତାନ ବିପକ୍ଷରେ ୫ ଓ୍ଵିକେଟ୍ ହାସଲ କରିଛନ୍ତି।

ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ନେବାର ରେକର୍ଡ ଅନିଲ କୁମ୍ବଲେଙ୍କ ନାମରେ ରହିଛି। ଦ୍ଵିତୀୟରେ ଥିଲେ କପିଲ୍ ଦେବ। ତେବେ ଅଶ୍ଵିନ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୫ ଓ୍ଵିକେଟ୍ ନେବା ମାତ୍ରେ କପିଲ୍ ଦେବଙ୍କ ୪୩୪ ଓ୍ଵିକେଟ୍ ଅତିକ୍ରମ କରିଛନ୍ତି।

ଅନିଲ କୁମ୍ବଲେ ଭାରତ ପକ୍ଷରୁ ସର୍ବାଧିକ ୬୧୯ ଟେଷ୍ଟ ଓ୍ଵିକେଟ୍ ନେଇଛନ୍ତି। ଭାରତ ତରଫରୁ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍ ନେବା ତାଲିକାରେ ହରଭଜନ ସିଂହ ଚତୁର୍ଥ ସ୍ଥାନରେ ଅଛନ୍ତି। ଭଜିଙ୍କ ଖାତାରେ ୪୧୭ ଟେଷ୍ଟ ଓ୍ଵିକେଟ୍ ରହିଛି। ଇଶାନ୍ତ ଶର୍ମା ଏବଂ ଜାହିର ଖାନ ୩୧୧-୩୧୧ ଓ୍ଵିକେଟ୍ ସହିତ ଯୁଗ୍ମ ଭାବେ ପଞ୍ଚମ ସ୍ଥାନରେ ଅଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଓ୍ଵିକେଟ୍ ନେବାର ରେକର୍ଡ ମୁଥୟା ମୁରଲୀଧରଣଙ୍କ ନାମରେ ରହିଛି। ସେ ଟେଷ୍ଟରେ ୮୦୦ ଓ୍ଵିକେଟ୍ ନେଇଥିବା ବେଳେ ସେନ ଓ୍ଵର୍ଣ୍ଣ ୭୦୮ ଓ୍ଵିକେଟ୍ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି. ଜେମ୍ସ ଆଣ୍ଡରସନ ୬୪୦ ଓ୍ଵିକେଟ୍ ନେଇ ତୃତୀୟ ଏବଂ ୬୧୯ ଓ୍ଵିକେଟ୍ ନେଇ ଅନିଲ କୁମ୍ବଲେ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com