ବିଜ୍ଞାନ ଓ ପ୍ରଯୁକ୍ତି

ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀଙ୍କ ପ୍ରୟାସକୁ ଆମେରିକା ବରିଷ୍ଠ ସାଂସଦଙ୍କ ପ୍ରଶଂସା

ୱାଶିଂଟନ ଡିସି : ଋଷ ସହିତ ଭାରତର ବ୍ୟବସାୟ ଡିଲ୍‌କୁ ଦେଖି ସହିପାରୁ ନାହାଁନ୍ତି ପଶ୍ଚିମ ଦେଶ। ଆମେରିକା ଏନେଇ ଭାରତକୁ ସିଧାସଳଖ କିଛି ନ କହିପାରିଲେ ବି ପରୋକ୍ଷେ ଚେତାବନୀ ଦେଉଛି। ହେଲେ ପୁଣି ସେହି ଆମେରିକା ଭାରତକୁ ତାର ବିଦେଶ ନୀତି ଯୋଗୁ ପ୍ରଶଂସା କରୁଛି। ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରୟାସକୁ ପ୍ରଶଂସା କରିଛନ୍ତି ଆମେରିକାର ବରିଷ୍ଠ ସାଂସଦ।
ମୋଦୀଙ୍କ ଉଦ୍ୟମ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଶାନ୍ତି କାଏମ୍ କରିବା ଦିଗରେ ସହାୟ ହେବ ବୋଲି ଆମେରିକା ବରିଷ୍ଠ ସାଂସଦ କାରୋଲିନ ବି. ମାଲୋନେ ଆଶା କରିଛନ୍ତି।
ଶୁକ୍ରବାର ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ଭାରତ ଗସ୍ତରେ ଆସିଥିବା ବେଳେ ମୋଦୀ ତାଙ୍କୁ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଯୁଦ୍ଧକୁ ତୁରନ୍ତ ରୋକିବାକୁ ମୋଦୀ ଆହ୍ୱାନ ମଧ୍ୟ ଦେଇଥିଲେ। ମୋଦୀଙ୍କର ଏଭଳି ପ୍ରୟାସକୁ ପ୍ରଶଂସା କରି ମାଲୋନେ ପିଟିଆଇକୁ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି “ମୋତେ ଲାଗୁଛି ଯେ ବର୍ତ୍ତମାନ ସେ(ମୋଦୀ) ୟୁକ୍ରେନ୍‌କୁ ନେଇ ଋଷ ଓ ଆମେରିକା ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କର ସକାରାତ୍ମକ ଉଦ୍ଦେଶ୍ୟ ରହିଛି।” ତା ସହିତ ଆମେରିକାର ଭାରତର ସମ୍ପର୍କ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଭାରତ ଓ ଆମ ମଧ୍ୟରେ ମଜଭୁତ ଆର୍ଥିକ ସମ୍ବନ୍ଧ ରହିଛି। ଶାନ୍ତି ଓ ମାନିବକ ମୂଲ୍ୟାଙ୍କନ କ୍ଷେତ୍ରରେ ବି ଭାରତ ଓ ଆମେରିକାର ଆଭିମୁଖ୍ୟ ସମାନ ବୋଲି ମାଲୋନେ କହିଛନ୍ତି।
ଆମେରିକା ସଂସଦ(କଂଗ୍ରେସର)ର ସବୁଠାରୁ ଶକ୍ତିଶାଳି ‘ଓଭରସାଇଟ୍ କମିଟି’ର ଅଧ୍ୟକ୍ଷ ହେଉଛନ୍ତି ମାଲୋନେ। ସେ ସଂସଦର ସବୁଠାରୁ ବରିଷ୍ଠ ନେତ୍ରୀ। ୧୯୯୩ରୁ ସେ ନିର୍ବାଚିତ ହୋଇଆସୁଛନ୍ତି। ସଂସଦ ବାହାରେ ବି ମାଲୋନେଙ୍କର ଅନେକ ଭାରତୀୟ ବନ୍ଧୁ ରହିଛନ୍ତି। ସେ ଭାରତର ପର୍ବ ଦୀପବଳିରେ ଛୁଟି ଘୋଷଣା କରିବା ଓ ଆମେରିକା ସଂସଦର ପ୍ରତିଷ୍ଠିତ ଗୋଲ୍ଡ ମେଡାଲ ମହାତ୍ମା ଗାନ୍ଧୀଙ୍କୁ ଦେବାକୁ ବିଧେୟକ ପାରିତ କରିବା ଦିଗରେ କାମ କରିଆସୁଛନ୍ତି। ଓ ବାଇଡେନ୍ ଏହି ଦୁଇ ବିଧେୟକ ଉପରେ ହସ୍ତାକ୍ଷର କରିବେ ବୋଲି ସେ ଭରସା କରିଛନ୍ତି।
ମୋଦୀ ଶାନ୍ତି ପାଇଁ ପ୍ରୟାଶ କରିବା ସବୁଠାରୁ ବଡ଼ କଥା ବୋଲି କହି ସେ କହିଛନ୍ତି ଯେ ନିୟମିତ ପ୍ରୟାସ ନ କଲେ କୌଣସି କାମ କରିହୁଏନା। ଆଗକୁ ଋଷ-ୟୁକ୍ରେନ୍ ମଧ୍ୟ ଶାନ୍ତି ପ୍ରତିଷ୍ଠା ଦିଗରେ କାମ କରିବା ଦରକାର ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com