ଓଡ଼ିଶା

ରୋଷଘରେ ଚୁଲି ଭଙ୍ଗା ଘଟଣା ମୋତେ ବ୍ୟଥିତ କରିଛି: ଧର୍ମେନ୍ଦ୍ର ପ୍ରଧାନ

ପୁରୀ() ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜର ଟୁଇଟରରେ ଲେଖିଛନ୍ତି,ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରସ୍ଥିତ ପବିତ୍ର ରୋଷଘର ଚୁଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ଏହି ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି । ମହାପ୍ରଭୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ। ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ। ମହାପ୍ରଭୁଙ୍କ ମହାପ୍ରସାଦ ଅମୃତତୁଲ୍ୟ। ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ।

ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ସଜାଗ ରହିବା ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଠିକ୍ ସେହିପରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରୋଷଘରେ ଗତକାଲି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଥିଲା। ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି। ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି। ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି। ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି। କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଆଜି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com