ଜାତୀୟରାଜନୀତି

ତୈଳ ଦର ବୃଦ୍ଧି ନେଇ ଲୋକସଭାରେ ଜବାବ ରଖିଲେ ସରକାର, ହରଦୀପ ପୁରୀ କହିଲେ US ଓ UK ତୁଳନାରେ ନଗଣ୍ୟ ବୃଦ୍ଧି, ବଢ଼ିଛି ମାତ୍ର ୫%

ନୂଆଦିଲ୍ଲୀ() ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏବେ ସବୁଦିନ ବଦଳୁଛି। ଏ ବାବଦେ ମଙ୍ଗଳବାର ଲୋକସଭାରେ ଜବାବ ରଖିଛନ୍ତି ସରକାର, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଲୋକସଭାରେ  ତୈଳ ମୂଲ୍ୟ ବୃଦ୍ଧିର ଜବାବ ରଖି ଆମେରିକା ଓ ବ୍ରିଟେନ ତୁଳନାରେ ମାତ୍ର ୫ରୁ ୧୦ ପ୍ରତିଶତ ଅଧିକ ରହୁଥିବା କହିଛନ୍ତି।

ସେ କହିଛନ୍ତି ଯେ ଉପୁଜିଥିବା ପରିସ୍ଥିତିରେ ଆମେରିକାରେ ପେଟ୍ରୋଲିୟମ ମୂଲ୍ୟ ୫୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କାନାଡାରେ ୫୨, ଜର୍ମାନ ଓ ବ୍ରିଟେନରେ ୫୫ ଏବଂ ସ୍ପେନରେ ୫୮ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି। ସେହି ତୁଳନାରେ ଦେଖିବାକୁ ଗଲେ ଭାରତରେ ମାତ୍ର ୫ ପ୍ରତିଶତ ମୂଲ୍ୟ ବୃଦ୍ଧି ଅତ୍ୟନ୍ତ ନଗଣ୍ୟ ବୋଲି ପୁରୀ କହିଛନ୍ତି। ।  ଉଲ୍ଲେଖଯୋଗ୍ୟ ଯେ ପେଟ୍ରୋଲ ଓ ଡିଜେଲ ଦର ମଙ୍ଗଳବାର ପୁଣି ବଢିଛି। ଏଥର ଲିଟର ପିଛା ପୁଣି ୮୦ ପଇସା ବଢିଥିବା ବେଳେ ଗତ ୨ ସପ୍ତାହରେ ମୋଟ ୯ ଟଙ୍କା ୨୦ ପଇସା ବଢିଲାଣି।

ତୈଳ କମ୍ପାନୀଙ୍କ ପକ୍ଷରୁ ଜାରି ମୂଲ୍ୟ ଅଧିସୂଚନା ଅନୁସାରେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୩ଟଙ୍କା ୮୧ ପଇସା ପୁଣି ୮୦ ପଇସା ସଂଯୁକ୍ତ ହୋଇ ୧୦୪ ଟଙ୍କା ୬୧ ପଇସା ଦରରେ ବିକ୍ରି ହେଉଛି। ସେହିପରି ୯୫ଟଙ୍କା ୭ ପଇସା ଦରରେ ବିକ୍ରି ହେଉଥିବା ଡିଜେଲ ୮୦ ପଇସା ବୃଦ୍ଧି ସହ ୯୫ଟଙ୍କା ୮୭ ପଇସାକୁ ପହଞ୍ଚିଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୭୬ ପଇସା ବଢିଛି। ଫଳରେ ଲିଟର ପିଛା ପେଟ୍ରୋଲ ଦର ୧୧୧ଟଙ୍କା ୫୪ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ୧୦୧ ଟଙ୍କା ୨୯ ପଇସାକୁ ପହଞ୍ଚିଛି।

ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଶରେ ପେଟ୍ରୋଲ ଡ଼ିଜେଲ ମୂଲ୍ୟ ବୃଦ୍ଧିକୁ ସଂସଦରେ ‘ପ୍ରଧାନମନ୍ତ୍ରୀ ଜନଧନ ଲୁଟ’ ଯୋଜନା ବୋଲି କହିଥିଲେ। ଏ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ୨୦୧୪ ୟୁପିଏ ସରକାର କାଳର ଦର ତୁଳନାରେ ଏବେକା ଦରର ଏକ  ଗ୍ରାଫ ମଧ୍ୟ ସେୟାର କରିଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ମଧ୍ୟ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସକାଳ ଆଉ ପୂର୍ବ ଭଳି ହେଉନଥିବା ଉଲ୍ଲେଖ କରିଛନ୍ତି। କିଛି ନା କିଛି ଦରବୃଦ୍ଧି ଦୁଶ୍ଚିନ୍ତାରେ ଲୋକଙ୍କ ନିଦ ଭାଙ୍ଗୁଥିବା ସେ ଉଲ୍ଲେଖ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com