ଜାତୀୟ

ଶାହଙ୍କୁ ଧମକ ଦେବା ବୋରିଆ ମଜୁମଦାରଙ୍କୁ ପଡିଲା ମହଙ୍ଗା, ଲାଗିପାରେ ୨ ବର୍ଷର ବ୍ୟାନ

ନୂଆଦିଲ୍ଲୀ() ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଦ୍ଧିମାନ ଶାହଙ୍କୁ ଏକ ସାକ୍ଷାତକାର ପାଇଁ ଧମକ ଦେଇଥିବା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ଉପରେ ବିସିସିଆଇ ଦୁଇ ବର୍ଷର ବାସନ୍ଦ ଲଗାଇପାରେ। ବିସିସିଆଇ ଏହି ମାମଲାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଥିଲା। କମିଟି ଏହି ମାମଲାରେ ମଜୁମଦାରଙ୍କୁ ଦୋଷୀ ପାଇଛି ଏବଂ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇପାରେ। ଶାହଙ୍କୁ ଟେଷ୍ଟ ଦଳରୁ ବାହାର କରିବା ପରେ ମଜୁମଦାର ଏହି ମାମଲାରେ ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ। ଶାହ ମନା କରିବାରୁ ମଜୁମଦାର କ୍ଷୁବ୍ଧ ହୋଇଥିଲେ ଏବଂ କେବେ ବି ଇଣ୍ଟରଭ୍ୟୁ ନ କରାଇବାକୁ ଧମକ ଦେଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ବୋରିଆ ମଜୁମଦାରଙ୍କ ବିରୋଧରେ ଦୁଇ ବର୍ଷର କଟକଣା ଲାଗିପାରେ। ଏହି ସମୟରେ ତାଙ୍କୁ କୌଣସି ବି ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିବ ନାହିଁ। ବିସିସିଆଇ ସଂପର୍କିତ କୌଣସି ବି କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ୍ କରାଯିବ ନାହିଁ। ସମସ୍ତ ଖେଳାଳିଙ୍କୁ ବୋରିଆ ମଜୁମଦାରଙ୍କ ସହ କଥା ହେବାକୁ ମନା କରାଯିବ।

ମାମଲା କଣ

ବିସିସିଆଇ  ପକ୍ଷରୁ ଫେବୃଆରୀ ୧୯ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ମାତ୍ର ଏଥିରେ ଅନୁଭବୀ ଓ୍ଵିକେଟ୍ କିପର ଋଦ୍ଧିମାନ ଶାହଙ୍କୁ ସ୍ଥାନ ମିଳିନଥିଲା। ଏହାପରେ ଜଣେ ସାମ୍ବାଦିକ ଶାହଙ୍କୁ ହ୍ଵାଟ୍ସଆପ୍ ମେସେଜ୍ କରି ଇଣ୍ଟରଭ୍ୟୁ ମାଗିଥିଲେ। ଶାହ ଏହା ଉପରେ କୌଣସି ଜବାବ ଦେଇନଥିଲେ। ପୁଣି ଉକ୍ତ ସାମ୍ବାଦିକ ପରିଣାମ ଭୋଗିବେ ବୋଲି ଶାହଙ୍କୁ ଧମକ ଦେଇଥିଲେ। ଶାହ ହ୍ଵାଟ୍ସଆପର ପୂରା କଥା ସ୍କ୍ରିନ ସର୍ଟ ମାରି ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

କଣ କହିଥିଲେ ସାମ୍ବାଦିକ ?

ସାମ୍ଵାଦିକ ଶାହଙ୍କୁ ମେସେଜ୍ କରି ଲେଖିଥିଲେ, ମୋ ସହିତ ଏକ ଇଣ୍ଟରଭ୍ୟୁ କରନ୍ତୁ, ବହୁତ ଭଲ ରହିବ। ଯଦି ଆପଣ ଗଣତାନ୍ତ୍ରିକ ରହିବାକୁ ଚାହାନ୍ତି ତେବେ ମୁଁ ଚାପ ପକାଇବି ନାହିଁ। ସେମାନେ ଜଣେ ଓ୍ଵିକେଟ୍ କିପର ଚୟନ କରନ୍ତି ଯିଏ ସବୁଠୁ ଭଲ ଫର୍ମରେ ଥାଏ। ଆପଣ ୧୧ ସାମ୍ବାଦିକ ଚୟନ କରିବାକୁ ଚେଷ୍ଟା କରନ୍ତି, ଯାହା ମୋ ହିସାବରେ ଠିକ୍ ନୁହେଁ। ତାଙ୍କୁ ହିଁ ଚୟନ କରନ୍ତୁ ଯିଏ ସବୁଠୁ ଅଧିକ ଆପଣଙ୍କ ସାହାଯ୍ୟ କରି ପାରିବେ। ପରେ ସାମ୍ଵାଦିକ ଲେଖିଥିଲେ, ଆପଣ ଫୋନ୍ କଲେ ନାହିଁ। ମୁଁ କେବେ ବି ଆପଣଙ୍କ ଇଣ୍ଟରଭ୍ୟୁ କରିବି ନାହିଁ। ମୁଁ ଏହି ଅପମାନ ସହି ପାରିବି ନାହିଁ ଏବଂ ମୁଁ ଏହାକୁ ମନେ ରଖିବି। ଏମିତି ଆପଣଙ୍କୁ କରିବା ଉଚିତ୍ ନଥିଲା।

ଏହା ପରେ ଶାହ ଏହି ଆଲୋଚନାର ସ୍କ୍ରିନସର୍ଟ ନିଜ ଟୁଇଟର ଆକାଉଣ୍ଟରରେ ସେୟାର କରିଥିଲେ। ଏହା ପରେ କ୍ରିକେଟ୍ ଜଗତର ଅନେକ ଦିଗ୍‌ଜ ଶାହଙ୍କୁ ସମର୍ଥନ କରିଥିଲେ ଏବଂ ବିସିସିଆଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ  ବୋଲି ଦାବି କରିଥିଲେ। ପରେ ସିବିବିଆଇ ତିନି ଜଣିଆ କମିଟି ଗଠନ କରିଥିଲା, ଯିଏ ପୁରା ମାମଲାର ତଦନ୍ତ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com