ଓଡ଼ିଶା

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅସାନି’, ୨୧ କିମି ବେଗରେ ମାଡ଼ି ଆସୁଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଏହା  ପୁରୀଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଗଭୀର ଅବପାତ ପରେ ଗତକାଲି ଏହା ବାତ୍ୟାର ରୂପ ନେଇଥିଲା। ଭାରତୀୟ ପାଣିପାଗ ବିଭାଗ(IMD)ର ଆକଳନ ଅନୁସାରେ, ସମୁଦ୍ରରେ ଯେତେ ବଳ ଗୋଟାଇଲେ ବି ଏହା ପ୍ରବଳ ବାତ୍ୟାରେ ହିଁ ସୀମିତ ରହିବ। ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ। ୧୦ ତାରିଖରେ ଏହା ବଙ୍ଗୋପସାଗରର ପଶ୍ଚିମରେ କେନ୍ଦ୍ରୀଭୂତ ହେବ ପରେ କ୍ରମଶଃ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ।

୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷାର ପୂର୍ବାନୁମାନ କରାଯାଇଥିବ ବେଳେ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି।

୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ ସତ୍ତ୍ୱେ ବନ୍ୟା ଆଶଙ୍କା ନାହିଁ ବୋଲି SRC କହିଛନ୍ତି। ତଥାପି ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ, ପୁରୀ, ଅସ୍ତରଙ୍ଗ, ଜଗତସିଂହପୁର, କେନ୍ଦ୍ରାପଡ଼ା ପାଇଁ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଅଛନ୍ତି।  ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍‌ଆରସି ପ୍ରଦୀପ ଜେନ ।

Related Articles

Back to top button
WP Twitter Auto Publish Powered By : XYZScripts.com