ଓଡ଼ିଶା

ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପଡୋଶୀଙ୍କ ନିର୍ଯାତନା ଅଭିଯୋଗ, ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପଡୋଶୀ ବାରମ୍ବାର ନିର୍ଯାତନା ଦେବାରୁ ପୋଲିସ ଥାନାଠୁ ଆରମ୍ଭ କରି ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରି କଲେ । ମାତ୍ର କେହି ତାଙ୍କ ଗୁହାରି ଶୁଣିଲେ ନାହିଁ । ଫଳରେ କିଛି ମାସ ପୂର୍ବେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୂତୀ ଦେବାକୁ ଉଦ୍ୟମ କରିଥିଲେ । କୌଣସି ସହାୟତା ତ ଦୂରର କଥା ପୁଣି ଥରେ ପଡୋଶୀଙ୍କ ଅମାନୁଷିକତାର ଶିକାର ହେଲେ । ଫଳରେ ମହିଳା ଜଣଙ୍କ ବୁଧବାର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରକୁ କାଚ ବୋତଲରେ ବାରମ୍ବାର କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆହତ ଅବସ୍ଥାରେ ଟାଉନ ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଗୁରୁତର ମହିଳା ଜଣଙ୍କ ସଦର ଥାନା କୋଇଲିପଙ୍ଗିର ବୋଲି ଜଣାପଡିଛି । ସ୍ବାମୀ ପରିତ୍ୟକ୍ତା ମହିଳା ଜଣଙ୍କ ଗାଁର ଏକ ସରକାରୀ ଜାଗାରେ ଘର କରି  ରହିବା ସହ ପର ଘରେ କାମ କରି ନିଜ ଦୁଇ ଶିଶୁଙ୍କୁ ଲାଳନ ପାଳନ କରୁଥିଲେ । ଗ୍ରାମର କିଛି ଲୋକ ତାଙ୍କୁ ବାରମ୍ବାର ଆଶାଳୀନ ବ୍ୟବହାର କରିବା ସହ ତାଙ୍କୁ ଏଠାରୁ ବାହାର କରିଦେବା ଲାଗି ଉଦ୍ୟମ କରିଆସୁଥିବା ସେ ଅଙିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଭାପୁର ଫାଣ୍ଡି, ସଦର ଥାନା, ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରି କରି ବିଫଳ ହେବାରୁ ଗତ କିଛି ମାସ ପୂର୍ବେ ଆତ୍ମହୂତୀ ଦେବାକୁ ଉଦ୍ୟମ କରିଥିଲେ । ଏହାପରେ ପୋଲିସ ଓ ତହସିଲ ପକ୍ଷରୁ ଗାଁକୁ ଯାଇ ପୀଡିତା ମହିଳାଙ୍କ ସମେତ ସରକାରୀ ଜାଗା ଦାଖଲ କରିଥିବା ଅନ୍ୟମାନଙ୍କୁ ଉଚ୍ଛେଦ ପାଇଁ ତାଗିଦ କରିବା ମହିଳାଙ୍କ ପାଇଁ କାଳ ହୋଇଛି । ଏଥିପାଇଁ ମହିଳାଙ୍କୁ ଦାୟୀ କରି ମଙ୍ଗଳବାର ତାଙ୍କ ଘରେ ପଶି ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ପୁଣି ଏଭଳି କାଣ୍ଡ ଘଟାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com