କ୍ରୀଡ଼ା

ICC ରାଙ୍କିଙ୍ଗରେ ଉପରକୁ ଉଠିଲେ ରୁଟ ଏବଂ ବାବର, ଖସିଲେ ବୁମରା, ଜାଣନ୍ତୁ ରୋହିତ-କୋହଲିଙ୍କ ସ୍ଥିତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଜୋ ରୁଟ ଏବଂ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବୋଲିଂ ମାନ୍ୟତାରେ ହ୍ରାସ ଘଟିଛି।

ବ୍ୟାଟିଂ ମାନ୍ୟତାର ଶୀର୍ଷ ୧୦ରେ ଦୁଇ ଜଣ ଭାରତୀୟ ଖେଳାଳି ରହିଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ପୂର୍ବବତ କ୍ରମଶଃ ଅଷ୍ଟମ ଏବଂ ୧୦ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍‌ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ଵିତୀୟରେ ପହଞ୍ଚିଛନ୍ତି। ବାବର ଆଜମ  ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଚତୁର୍ଥ ସ୍ଥାନକୁ ଉଠିଛନ୍ତି।

ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ମାର୍ନସ ଲାବୁସେନ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଲାବୁସେନଙ୍କ ପଏଣ୍ଟ ୮୯୨ ରହିଥିବା ବେଳେ ଦ୍ଵିତୀୟରେ ଥିବା ରୁଟଙ୍କ ପଏଣ୍ଟ ହେଉଛି ୮୮୨। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି।

ବୋଲିଂ ମାନ୍ୟତାର ଶୀର୍ଷ ୧୦ରେ ଦୁଇ ଜଣ ଭାରତୀୟ ବୋଲର ଅଛନ୍ତି। ଏଥିରେ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ୮୫୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଦ୍ରୁତ ବୋଲର ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ଅବନ୍ନତି ଘଟି ଚତୁର୍ଥକୁ ଖସି ଆସିଛନ୍ତି। ନ୍ୟୁଜିଲାଣ୍ଡ କାଇଲ ଜେମିସନ ଦୁଇଟି ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ୯୦୧ ପଏଣ୍ଟ ସହ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com