Breaking NewsFeaturedକ୍ରୀଡ଼ା

ଏସିଆ କପ୍ ଫାଇନାଲରେ ଭାରତ

ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଭାରତ । ମଙ୍ଗଳବାର ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷ ରୋମାଞ୍ଚକର ମ୍ୟାଚରେ ୪୧ ରନରେ ଭାରତ ବିଜୟୀ ହେବାପରେ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି । ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦୁନିଥ ୱେଲାଲାଗେ ଏବଂ ଅସଲଙ୍କା ସ୍ପିନର ସାମ୍ନା କରିନପାରି ୨୧୩ ରନରେ ଅଲଆଉଟ୍ ହୋଇଥିଲା । ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ ଭଲ ଆରମ୍ଭ କରିଥିଲେ ମଧ୍ୟ ଦଳ ବଡ ସ୍କୋର କରିପାରିନଥିଲା । ରୋହିତ ଏକମାତ୍ର ଖେଳାଳି ଭାବେ ଅର୍ଦ୍ଧଶତକ କରି ୫୩ ରନ କରିଥିଲେ । ସେହିପରି ରାହୁଲ ୩୯ , ଈଷାନ ନିଷାନ ୩୩ ଏବଂ ଶେଷ ଆଡକୁ ଅକ୍ଷର ପଟେଲ ୨୬ ରନ କରିବାରୁ ସ୍କୋର ୨୦୦ ଟପିଥିଲା ।

ଶ୍ରୀଲଙ୍କା ପକ୍ଷରୁ ୱେଲାଲଗେ ଏବଂ ଅସଲଙ୍କା ସ୍ପିନ ଯୋଡି ଭାରତର ୯ ୱିକେଟ ପକାଇଥିବା ବେଳେ ଥୀକ୍‌ସନା ଗୋଟିଏ ୱିକେଟ ପାଇଥିଲେ । ଜବାବରେ ବ୍ୟାଟିଂ ସମୟରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବିପଦରେ ପଡିଥିଲା । ସ୍କୋର ୧୦୦ ଛୁଇଁବା ଆଗରୁ ୬ଟି ୱିକେଟ ହରାଇଥିବା ଶ୍ରୀଲଙ୍କା ଧନଞ୍ଜୟ ଡି ସିଲଭା ଏବଂ ୱେଲାଲାଗେଙ୍କ ବ୍ୟାଟିଂ ବଳରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଉଭୟଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ହୋଇଥିବା ବେଳେ ଜବରଦସ୍ତ ଝଟକା ଦେଇଥିଲେ ରବୀନ୍ଦ୍ର ଜାଡେଜା । ଶ୍ରୀଲଙ୍କା ସ୍କୋର ୧୬୨ ହୋଇଥିବାବେଳେ ଧନଞ୍ଜୟ ଡି ସିଲଭାଙ୍କୁ ଗିଲଙ୍କ ହାତରେ ଧରାପକାଇ ୭ମ ୱିକେଟ ଭାବେ ପ୍ୟାଭିଲିୟନ ପଠାଇ ଦେଇଥିଲେ ଜାଡେଜା । ଏଥିସହିତ ବିଜୟ ଅଭିମୁଖେ ବଢୁଥିବା ଶ୍ରୀଲଙ୍କାର ଆଶା ମଉଳି ଯାଇଥିଲା ।

ଗୋଟିଏ ପଟେ ବୋଲିଂରେ କମାଲ କରିଥିବା ୱେଲାଲାଗେ ଛିଡା ହୋଇଥିବା ବେଳେ ଷ୍ଟ୍ରାଇକ ପାଇଁ ଆସୁଥିବା ବାକି ଖେଳାଳି ଆଉଟ୍ ହୋଇଯାଇଥିଲେ । ସ୍ପିନକୁ ସୁହାଉଥିବା ଏହି ପିଚରୁ ଭରପୁର ଫାଇଦା ନେଇ କୁଲଦୀପ ଯାଦବ ଶ୍ରୀଲଙ୍କାର ୪ଟି ୱିକେଟ ପକାଇ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାଡେଜା, ବୁମରା ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେବାରୁ ଶ୍ରୀଲଙ୍କା ୪୧ ଓଭର ଗୋଟିଏ ବଲରେ ୧୭୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଦୁନିଥ୍ ୱେଲାଲାଗେ ସର୍ବାଧିକ ୪୨ ଏବଂ ଧନଞ୍ଜୟ ଡି ସିଲଭା ୪୧ ରନ କରିଥିଲେ । ଭାରତ ପରବର୍ତ୍ତୀ ମ୍ୟାଚ ଶୁକ୍ରବାର ବାଂଲାଦେଶ ସହିତ ଖେଳିବ । ଏବେ ଭାରତ ସହିତ ଫାଇନାଲରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରୁ କିଏ ଖେଳିବ ତାହା ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com