Breaking NewsFeaturedଜାତୀୟରାଜନୀତି

ସୁଲତା ଦେଓଙ୍କ ସମେତ ୩ ମହିଳା ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଲା ନୂଆ ଦାୟିତ୍ୱ । ସୁଲତା ଦେଓ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ । ସୁଲତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ଭାବେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖା ନିଯୁକ୍ତି ଦେଇଛନ୍ତି ।
ଗୁରୁବାର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଅଧ୍ୟକ୍ଷ ଜଗଦୀପ ଧନଖାଙ୍କ ଦ୍ୱାରା ମନୋନୀତ ହୋଇଥିବା ୪ ଜଣ ମହିଳା ସଦସ୍ୟଙ୍କ ମଧ୍ୟରେ ବିଜେଡିର ସୁଲତା ଦେଓ ଅଛନ୍ତି । ଅନ୍ୟ ୩ ଜଣ ହେଉଛନ୍ତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆଥଲେଟ ପିଟି ଉଷା । ଯିଏକି ଜୁଲାଇ ୨୦୨୨ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ସେହିପରି ଏପ୍ରିଲ ୨୦୨୨ରେ ନାଗାଲାଣ୍ଡରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିବା ବିଜେପିର ଏସ ଫାଙ୍ଗନୋନ କୋନିୟକ ଏବଂ ଜାତୀୟ କଂଗ୍ରେସ ଦଳର ଡକ୍ଟର ଫୌଜିଆ ଖାନ ଅନ୍ୟତମା । ଡକ୍ଟର ଫୌଜିଆ ଏପ୍ରିଲ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ୟାନେଲରେ ମନୋନୀତ ହୋଇଥିବା ସମସ୍ତ ମହିଳା ପ୍ରଥମ ଥର ପାଇଁ ସଂସଦୀୟ ସଦସ୍ୟ ହୋଇଛନ୍ତି । ହେଲେ ଏସ ଫାଙ୍ଗନୋନ କୋନିୟକ ହେଉଛନ୍ତି ନାଗାଲାଣ୍ଡର ପ୍ରଥମ ମହିଳା ଯିଏକି ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି । ସୁଲତା ଦେଓ ଜୁଲାଇ ୨୦୨୨ରେ ଓଡିଶା ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଶିଳ୍ପ କମିଟି, ମହିଳା ସଶକ୍ତିକରଣ କମିଟି, ସଂସଦର ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ସଦସ୍ୟ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ରହିଥିଲେ ।

  • ଆସନ୍ତୁ ଜାଣିବା ସାଂସଦ ସୁଲତା ଦେଓଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ

ପ୍ରଥମେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜନୀତୀରେ ପାଦ ଥାପିଥିଲେ ସୁଲତା । ୨୦୦୨ରେ ଯାଜପୁର ଜିଲ୍ଲା ବରୀ ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ହୋଇଥିଲେ ସୁଲତା । ୨୦୦୭ରେ ଜିଲ୍ଲା ପରିଷଦ ଜୋନରୁ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଜିଲ୍ଲା ପରିଷଦ ସଭ୍ୟା ପଦରୁ ଇସ୍ତଫା ଦେଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୨ରୁ ୨୦୨୩ ଯାଏଁ ବରୀ ନିର୍ବାଚନ ମଣ୍ଡଳୀର ବିଜେଡି ସାଂଗଠନିକ ଦାୟିତ୍ୱରେ ରହିଥିବା ସୁଲତାଙ୍କୁ ବିଜେଡିର ପ୍ୟାନେଲିଷ୍ଟ ଭାବେ ୨୦୧୬ରୁ ୨୦୧୮ ଯାଏଁ ଦାୟିତ୍ୱ ଦିଆଯାଇଥିଲା । ହେଲେ ୨୦୧୮ରେ ବିଜେଡି ତାଙ୍କୁ ଦୁଇ ଦୁଇଟି ପଦବୀ ଦେଇଥିଲା । ବିଜେଡି ମୁଖପାତ୍ର ସହ ରାଜ୍ୟ ମହିଳା ଜନତା ଦଳର ସମ୍ପାଦିକା ଥିଲେ ସୁଲତା । ୨୦୨୦ରୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି । ଏହା ସହ ତାଙ୍କୁ ବିଜେଡିର ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com