କ୍ରୀଡ଼ା

ରବିବାର IPL ମିଡିଆ ରାଇଟ୍ସ ପାଇଁ ହେବ ନିଲାମ, ପାଞ୍ଚ କମ୍ପାନୀ ମଧ୍ୟରେ ହେବ କଡା ଟକ୍କର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୨ ସଂପନ୍ନ ପରେ ବର୍ତ୍ତମାନ କ୍ରିକେଟ୍ ପ୍ରେମୀ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍ ଉପଭୋଗ କରୁଛନ୍ତି । ଏହା ମଧ୍ୟରେ ଆଇପିଏଲକୁ ନେଇ ଆସିଛି ବଡ ଖବର । ଆଗାମୀ ପାଞ୍ଚ ବର୍ଷ ପାଇଁ ରବିବାର ହେବ ଆଇପିଏଲ ମିଡିଆ ରାଇଟ୍ସର ନିଲାମ । ମିଡିଆ ରାଇଟ୍ସ ହାତେଇବା କମ୍ପାନୀକୁ ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଆଇପିଏଲ ସିଧା ପ୍ରସାରଣ କରିବାର ଅଧିକାର ମିଳିବ । ଗତ ୨୦୧୭ରେ ସିଧା ପ୍ରସାରଣ କରିବାର ଅଧିକାର ଷ୍ଟାର ଇଣ୍ଡିଆକୁ ମିଳିଥିଲା । ଷ୍ଟାର ଇଣ୍ଡିଆ ୨.୫୫ ବିଲିୟନ ଡଲାରରେ ମିଡିଆ ରାଇଟ୍ସ ହାସଲ କରିଥିଲା । ଏହା ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ୍ ଡିଲ୍ ଥିଲା ।

ପ୍ରଥମ ଥର ମିଡିଆ ରାଇଟ୍ସର ବିଡିଂ ଇ- ନିଲାମ ଜରିଆରେ ହେବ । ରବିବାର ପୂର୍ବାହ୍ନ ୧୧ଟାରୁ ମୁମ୍ବାଇରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ ବିଡ୍ସ ଶେଷ ହେବା ପର୍ଯ୍ୟନ୍ତ ନିଲାମ ଜାରି ରହିବ । କିଣା ଯାଇଥିବା ରାଇଟ୍ସ ଆଇପିଏଲର ୫ ସିଜିନ ପାଇଁ ପ୍ରସାରଣ କରିବ । ଏଥର ମିଡିଆ ରାଇଟ୍ସରୁ ବିସିସିଆଇ ୫୦ ହଜାରରୁ ୬୦ ହଜାର କୋଟି ଟଙ୍କା ଆୟ କରିବ ବୋଲି ଆଶା ରଖିଛି ।

ରାଇଟ୍ସ ପାଇଁ ରହିଛି ଚାରୋଟି ପ୍ୟାକେଜ୍‌

ଆଇପିଏଲ ରାଇଟ୍ସ ପାଇଁ ଚାରୋଟି ପ୍ୟାକେଟ୍ ଉପଲବ୍ଧ ରହିଛି । ପ୍ୟାକେଜ୍ ଏରେ କେବଳ ଭାରତୀୟ ଉପ ମହାଦ୍ୱୀପ ପାଇଁ ଟିଭିରେ ପ୍ରସାରଣ ଅଧିକାର ମିଳିବ । ପ୍ୟାକେଜ୍ ବିରେ ଡିଜିଟାଲ୍ ରାଇଟ୍‌ସ ଦିଆଯିବ ଯାହା କେବଳ ଭାରତୀୟ ଉପ ମହାଦ୍ୱୀପରେ ପ୍ରସାରଣ କରିବ । ପ୍ୟାକେଜ୍ ସିରେ ସୀମିତ ମ୍ୟାଚ୍ ପାଇଁ କେବଳ ଭାରତୀୟ ଉପ ମହାଦ୍ୱୀପରେ ପ୍ରସାରଣ ଅଧିକାର ମିଳିବ । ପ୍ୟାକେଜ୍ ଡିରେ ଦୁନିଆର ବାକି ଅଂଶରେ ପ୍ରସାରଣ ପାଇଁ ଟିଭି ଏବଂ ଡିଜିଟାଲ୍ ପ୍ରସାରଣ ପାଇଁ ଅଧିକାର ଦିଆଯିବ ।

ଆଇପିଏଲ ରାଇଟ୍ସ କିଣିବା ପାଇଁ ମୁଖ୍ୟତଃ ପାଞ୍ଚଟି କମ୍ପାନୀ ଦୌଡରେ ଅଛନ୍ତି । ଏଥିରେ ଭାୟକମ, ଡିଜନୀ ହଟଷ୍ଟାର, ସୋନିମ ଜି ଏବଂ ଆମାଜନ ପରି କମ୍ପାନୀ ସାମିଲ୍ । ସଂପ୍ରତି ଡିଜିଟାଲ ପ୍ଲାଟଫର୍ମରେ ଲୋକେ କ୍ରିକେଟ୍ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଏଥିପାଇଁ ଡିଜନୀ ହଟଷ୍ଟାର ଏବଂ ଆମାଜନ ପରି କମ୍ପାନୀ ମଧ୍ୟ ମିଡିଆ ରାଇଟ୍ସ କିଣିବା ଦୌଡରେ ନିଜକୁ ସାମିଲ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com