ହାଇଦ୍ରାବାଦ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ବିଜେପି କାର୍ଯ୍ୟକାଣୀ ବୈଠକକୁ ସମ୍ବୋଧିତ କରି ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ସମୟ ବିଜେପିର ସମୟ ହେବ ଓ ଏହି ସମୟରେ ଭାରତ ବିଶ୍ୱଗୁରୁ ହେବ ବୋଲି କହିଛନ୍ତି। ବଂଶବାଦ, ଜାତିବାଦ ଓ ତୁଷ୍ଟିକରଣ ରାଜନୀତି ଦେଶ ଲାଗି ଅଭିଶାପଥିଲା, ଯାହା ଦେଶ ଲାଗି ଯନ୍ତ୍ରଣାର କାରଣ ମଧ୍ୟ ଥିଲା ବୋଲି କହିଛନ୍ତି। ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ପାରିବାରିକ ଶାସନକୁ ସମାପ୍ତ କରିଦିଆଯିବ ବୋଲି ମଧ୍ୟ କହିଛନ୍ତି।

ବୈଠକରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । କଂଗ୍ରେସ ପାରିବାରିକ ପାର୍ଟି ହୋଇଯାଇଥିବା କହିଛନ୍ତି ଅମିତ ଶାହ। କଂଗ୍ରେସ ପାର୍ଟି ଭିତରେ ଏବେ ଲୋକେ ଗଣତନ୍ତ୍ର ପାଇଁ ଲଢୁଥିବା ଓ ପରିବାରବାଦ ଯୋଗୁ କଂଗ୍ରେସ ଅନ୍ତରୀଣ ନିର୍ବାଚନ ମଧ୍ୟ ହୋଇ ପାରୁନଥିବାର କହିଛନ୍ତି। କାରଣ ନିର୍ବାଚନ ହେଲେ ପାର୍ଟିର ନିୟନ୍ତ୍ରଣ ହାତରୁ ଚାଲିଯାଇପାରେ ବୋଲି ଗାନ୍ଧି ପାରିବାର ଭାବୁଥିବା ଅମିତ ଶାହ କହିଛନ୍ତି। ଦେଶର ବିରୋଧୀ ଦଳ ଅସନ୍ତୁଷ୍ଟ ଥିବା ଶାହ କହିଛନ୍ତି। ଏଣୁ ସରକାର ଭଲ କାମ କରୁଥିଲେ ମଧ୍ୟ ସେଥିରୁ ମନ୍ଦ ଦିଗଟି ସେମାନଙ୍କ ନଜରକୁ ଆସୁଥିବା କହିଛନ୍ତି।

ବୈଠକରେ ଶାହ ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି। ଯେଉଁଥିରେ କୋର୍ଟ ମୃତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀଙ୍କ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା କହିଛନ୍ତି। ୨୦୦୨ ଗୁଜରାଟ ଦଙ୍ଗାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ନରେନ୍ଦ୍ର ମୋଦିଙ୍କ ସମେତ ୬୪ ଜଣଙ୍କୁ କ୍ଲିନଚିଟ୍ ଦେଇଥିଲେ। ତେବେ ଜାକିଆ ଜାଫରି ତାଙ୍କ ଆବେଦନରେ ଏସଆଇଟିଙ୍କୁ ଚାଲେଞ୍ଜ କରିଥିଲେ। ମୋଦି ଦଙ୍ଗାରେ ତାଙ୍କର କଥିତ ଭୂମିକାକୁ ନେଇ ଏସଆଇଟି ଯାଞ୍ଚର ସମ୍ମୁଖୀନ ହୋଇଥିଲେ ଓ ସମ୍ବିଧାନ ଉପରେ ନିଜର ଆସ୍ଥା ରଖଥିଲେ ବୋଲି ଶାହ କହିଛନ୍ତି।
Back to top button