ବାଣିଜ୍ୟ

୯ରୁ ୧୩ ବର୍ଷ ବୟସର ବାଳିକାମାନଙ୍କୁ ମାଗଣାରେ ଦିଆଯିବ କ୍ୟାନସର ଟିକା

ଭୁବନେଶ୍ୱର, ୧୧/୦୮/୨୦୨୨-   ୧୦ଟି ଆକାଂକ୍ଷୀ ଜିଲ୍ଲାର ହାଇସ୍କୁଲରେ ୯ରୁ ୧୩ ବର୍ଷ ବୟସର ବାଳିକାମାନଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ୍ ଟିକା ଦେବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସର୍ଭାଇକାଲ କ୍ୟାନସରରୁ ସୁରକ୍ଷା ଦେବ ଏହି ଟିକା ।ଡାକ୍ତରମାନେ ଏହି ଟିକାର ଦୁଇଟି ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି । ପ୍ରଥମଟି ୧୫ତମ ଜନ୍ମଦିନ ପୂର୍ବରୁ ଏବଂ ଦ୍ୱିତୀୟଟି ପ୍ରଥମ ଡୋଜର ୬ରୁ ୧୨ ମାସ ପରେ ଦିଆଯିବ । ଏନଏଚଏମ୍ ଅନୁମୋଦନ ପାଇବା ପରେ ତୁରନ୍ତ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ତିନୋଟି ବ୍ରାଣ୍ଡରେ ଉପଲବ୍ଧ ଏହି ଟିକାର ଡୋଜ୍ ପିଛା ଖର୍ଚ୍ଚ ୬୦୦ରୁ ୧ ହଜାର ଟଙ୍କା ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୨୨-୨୦୨୪ ଆଧାରରେ ଏହି ସମୂହ ଟିକାକରଣରେ ୧୦ କୋଟି ଟଙ୍କା ଅନୁମୋଦନ ହୋଇଥିବା ସୂଚନା ଦେଇଛନ୍ତି ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ।  ଏହି ଭ୍ୟାକସିନ୍ କ୍ୟାନସରରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ ବୋଲି ଡାକ୍ତରମାନେ କହିଛନ୍ତି । ଗତମାସରେ ଗର୍ଭାଶୟ କ୍ୟାନସରର ସ୍ୱଦେଶୀ ଟିକା ବଜାରକୁ ଆଣିବା ପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ବୈଧାନିକ ଅନୁମତି ମିଳିବା ପରେ ଏବେ ଏହି ଟିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଟିକା ମଧ୍ୟ ଶସ୍ତା ହେବ ବୋଲି ଆଶା କରାଯାଉଛି ।

ଦୁଇବର୍ଷ ଭିତରେ ୧୦ଟି ଜିଲ୍ଲା ଯଥା ବଲାଙ୍ଗିର, ଢେଙ୍କାନାଳ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com