ଅନ୍ୟାନ୍ୟ

ସାନିଟାଇଜର ପକାଇ ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ

ବ୍ରହ୍ମପୁର ଅଫିସ ;  ୦୪/୦୯ ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମର ମାଝି ସାହିରେ ରୀତା ପ୍ରଧାନଙ୍କୁ ତାଙ୍କ ସ୍ଵାମୀ ସଞ୍ଜୟ ପ୍ରଧାନ ସାନିଟାଇଜର ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ରୀତାଙ୍କ ଶରୀର ୩୦ ଭାଗ ପୋଡିଯାଇଛି । ପେଟ ଅଂଶ ପୋଡ଼ି ଯାଇଥିବା ବେଳେ ନିଜେ ଶରୀରରେ ପାଣି ଢ଼ାଳି ବର୍ତ୍ତିଯାଇଥିଲେ । ଦୌଡ଼ି ଦୌଡ଼ି ନିକଟସ୍ଥ ଅନ୍ୟ ଏକ ସାହିରେ ରହୁଥିବା ମାଉସୀଙ୍କ ଘରେ ପହଞ୍ଚି ସମସ୍ତ କଥା କହିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ ଯେ, ୨୦୧୮ରେ ରୀତା ଏବଂ ସଂଜୟଙ୍କ ବିବାହ ହୋଇଥିଲା । ବିବାହ ପରଠାରୁ ସଞ୍ଜୟ ଯୌତୁକ ପାଇଁ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏ ନେଇ ୨୦୧୯ରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ମହିଳା ଥାନା ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ରୀତା ତାଙ୍କ ଶ୍ୱଶୁର ଘରେ ହିଁ ରହି ଆସୁଥିଲେ । ରୀତାଙ୍କୁ ତାଙ୍କ ସ୍ଵାମୀ ବହୁବାର ମାରିଦେବାକୁ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିଲେ ବୋଲି ସେ କହିଛନ୍ତି । ରୀତା ଛାତ ଉପରେ ଥିବା ସମୟରେ ତାଙ୍କ ସ୍ଵାମୀ ସଞ୍ଜୟ ଛାତ ଉପରୁ ଠେଲି ଦେବାକୁ ଉଦ୍ୟମ କରିଥିଲେ । କୌଣସି ପ୍ରକାରେ ରୀତା ସେଠାରୁ ଖସି ପଳାଇ ଆସିଥିଲେ ବୋଲି କହିଛନ୍ତି । ରୀତା ଘରେ ଥିବା ସମୟରେ କିଛି ସାନିଟାଇଜର ତାଙ୍କ ଉପରେ ଢ଼ାଳି ନିଆଁ ଲଗାଇଦେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ରୀତାଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହାପୁର ବୋଲି ଜଣାପଡିଛି । ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ରୀତାଙ୍କ ବାପା ଛେନା ପ୍ରଧାନ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com