ଅନ୍ୟାନ୍ୟ

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ୬ଜଣଙ୍କର ମୃତ୍ୟୁ

କ୍ଷ୍ନୌ ; ୫।୯  ଆଜି ସକାଳେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ହଜ୍‌ରତ୍‌ଗଞ୍ଜ୍‌ ଅଞ୍ଚଳରେ ପ୍ରବାହିତ ଗୋମତି ନଦୀ ନିକଟରେ ଥିବା ବିଳାସମୟ ହୋଟେଲ୍‌ ‘ଲେବାନା’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ଜଣଙ୍କର ମୃତ୍ୟୁ ଘଟିଛି ।  ଅନ୍ୟୂନ ୧୦ଜଣ ଆହତ ହୋଇଥିବା କଥା ପୁଲିସସୂତ୍ରରୁ ଜଣାପଡ଼ିଛି । ୫ ତାଲାବିଶିଷ୍ଟ ଉକ୍ତ ହୋଟେଲ୍‌ର ୪ର୍ଥ ତାଲାରେ ନିଆଁ ଲାଗିଥିଲା।  ଘଟଣାସ୍ଥଳରେ ୩ଟି ଆମ୍ବୁଲାନ୍‌ସ୍‌ ଏବଂ ଦମକଳ ଉପସ୍ଥିତ ଥିବା ବ‌େଳେ ହୋଟେଲ୍‌ରେ ନିଆଁ ଲିଭା ଏବଂ ଉଦ୍ଧାର କାର୍ଯ୍ୟ ଜାରିରହିଛି । ନିରାପତ୍ତା କର୍ମଚାରୀମାନେ ଅକ୍ସିଜେନ୍‌ ମାସ୍କ୍‌ ପିନ୍ଧି ହୋଟେଲ୍‌ ରୁମ୍‌ରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତରଣ କରୁଛନ୍ତି । କୋଠରି ମଧ୍ୟରେ ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ ଝରକା ଭାଙ୍ଗି ଭିତରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି । ହୋଟେଲ୍‌ରୁ ପ୍ରବଳ ଧୂଆଁ ଉଠୁଥିବା କଥା ସେଠାରୁ ଉତ୍ତୋଳିତ ଫଟୋ ଓ ଭିଡିଓରେ ଦେଖାଯାଉଛି । ଲକ୍ଷ୍ନୌ ପୁଲିସ କହିବା ଅନୁସାରେ, ଏଯାବତ୍‌ ପ୍ରାୟ ୧୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି । ଲେବାନା ହୋଟେଲ୍‌ ଘଟିଥିବା ଅଗ୍ନିକାଣ୍ଡ ବିଷୟରେ ଅବଗତ ହେବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବ । ଏଥିପାଇଁ ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦେଶ ଦେବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com