Featuredଜାତୀୟରାଜନୀତି

ବିଚାର ବିଭାଗୀୟ ଭିତ୍ତିଭୂମି ପାଇଁ ବଜେଟ୍‌ ଆବଣ୍ଟନ ଓ ପାଣ୍ଠି ଉପଯୋଗ

ସୁପ୍ରିମକୋର୍ଟ ରାଜ୍ୟମାନଙ୍କରେ ବିଚାର ବିଭାଗୀୟ ଭିତ୍ତିଭୂମି ନିର୍ମାଣ, ବଜେଟ୍‌ ଆବଣ୍ଟନ ଓ ପାଣ୍ଠି ଉପଯୋଗ ସମ୍ବନ୍ଧିତ ମାମଲାର ଶୁଣାଣି କରି ଓଡ଼ିଶା ସମେତ ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏବଂ ଛଅଟି ହାଇକୋର୍ଟକୁ ନିର୍ଦ୍ଧାରିତ ଫର୍ମାଟରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ସମ୍ବନ୍ଧିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ନ୍ୟାୟିକ ଭିତ୍ତିଭୂମି ପ୍ରତିଷ୍ଠା ସଂପର୍କରେ ଆମିକସ କ୍ୟୁରି ବିଭା ଦତ୍ତ ମଖିଜାଙ୍କ ଦ୍ବାରା ପ୍ରସ୍ତୁତ ଫର୍ମାଟ ଉପରେ ଚାରି ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।ସୁପ୍ରିମକୋର୍ଟ ଇମତିଆଜ ଅହମଦ ବନାମ ଉତ୍ତର ପ୍ରଦେଶ ସରକାର ମାମଲାରେ ଜୁଲାଇ ୨୬, ୨୦୨୨ରେ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କର ଆଇନ ସଚିବମାନଙ୍କୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ଉପରେ ରାଜ୍ୟମାନଙ୍କୁ କେତେ ପରିମାଣର ଅର୍ଥ ଆବଣ୍ଟନ କରାଯାଇଛି, ରାଜ୍ୟ ଓ ଜିଲ୍ଲା ନ୍ୟାୟାଳୟ ପାଇଁ ରାଜ୍ୟମାନଙ୍କ ଦ୍ବାରା ବିନିଯୋଗ କରାଯାଇଥିବା ପାଣ୍ଠିର ବିବରଣୀ, ରାଜ୍ୟ ଓ ଜିଲ୍ଲା ନ୍ୟାୟାଳୟକୁ ପ୍ରଦାନ କରାଯିବାକୁ ଥିବା ରାଶି ଅନ୍ୟତ୍ର ଖର୍ଚ୍ଚ କରାଯିବା ଏବଂ ୨୦୧୭-୧୮ରୁ ୨୦୨୧-୨୨ ଆର୍ଥିକ ବର୍ଷର ବିନିଯୋଗ ପ୍ରମାଣପତ୍ର (ୟୁସି)ର ବିବରଣୀ ସତ୍ୟପାଠରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦାନୁସାରେ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କ ଦ୍ବାରା ସତ୍ୟପାଠ ଦାଖଲ କରାଯାଇଥିଲା।

ଓଡ଼ିଶା ଦ୍ବାରା‌ ଦାଖଲ କରାଯାଇଥିବା ସତ୍ୟପାଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୦-୨୧ ଓ ୨୦୨୧-୨୨ ରେ ଓଡ଼ିଶାରେ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯାଇନଥିବାର ଦର୍ଶାଯାଇଥିଲା। ସତ୍ୟପାଠରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ପାଣ୍ଠିକୁ ଅନ୍ୟ କୌଣସି ପ୍ରକଳ୍ପ ପାଇଁ ବିନିଯୋଗ କରାଯାଇନଥିବା ସ୍ପଷ୍ଟ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ଆଇନ ଓ ନ୍ୟାୟ ମନ୍ତ୍ରାଳୟରେ ୮ ଟି ପର୍ଯ୍ୟାୟରେ ୭୦ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇଥିବା ଏବଂ ୨୭.୭୭ କୋଟି ଟଙ୍କାର ବିନିଯୋଗପତ୍ର ଦାଖଲ କରାଯିବା ବାକିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ରାଜ୍ୟମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠ ସଂପର୍କରେ କୋର୍ଟ ନିଯୁକ୍ତ ଆମିକସ କ୍ୟୁରି ବିଭା ଦତ୍ତ ମଖିଜା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ଜଷ୍ଟିସ ‌ହିମା କୋହଲୀଙ୍କ ଖଣ୍ଡପୀଠକୁ ସେପ୍ଟେମ୍ବର ୬, ୨୦୨୨ର ଶୁଣାଣିରେ ଅବଗତ କରାଇଥିଲେ। ଏଥି ସହିତ ଆମିକସ କ୍ୟୁରି ଖଣ୍ଡପୀଠଙ୍କୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ସତ୍ୟପାଠର ବିବରଣୀକୁ ନିର୍ଦ୍ଧାରିତ ଫର୍ମାଟରେ ଇ-ମେଲ ଜରିଆରେ ପ୍ରେରଣ କରିବାକୁ ଅନୁମତି ମାଗିଥିଲେ।

ଖଣ୍ଡପୀଠ ତିନି ସପ୍ତାହ ମଧ୍ୟରେ ନିର୍ଦ୍ଧାରିତ ଫର୍ମାଟରେ ସତ୍ୟପାଠକୁ ଇ-ମେଲ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ନିର୍ଦ୍ଧାରିତ ସମୟ ଅବଧିରେ କେବଳ ଜମ୍ମୁ-କାଶ୍ମୀର, ଛତିଶଗଡ଼, ମଣିପୁର, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଦ୍ବାରା ଆବଶ୍ୟକ ସୂଚନା ଉପଲବ୍ଧ କରାଯାଇଥିଲା। ନିକଟରେ ଏହି ପ୍ରସଙ୍ଗର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ଆମିକସ କ୍ୟୁରି ଖଣ୍ଡପୀଠଙ୍କୁ ଓଡ଼ିଶା ସମେତ ୨୬ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏବଂ ୬ଟି ହାଇକୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ସତ୍ୟପାଠର ବିବରଣୀ ଦାଖଲ କରିନଥିବା ସଂପର୍କରେ ଅବଗତ କରାଇବା ପରେ ଖଣ୍ଡପୀଠ ରାଜ୍ୟମାନଙ୍କୁ ଚାରି ସପ୍ତାହ ମଧ୍ୟରେ ନିର୍ଦ୍ଧାରିତ ଫର୍ମାଟରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଖଣ୍ଡପୀଠ ନଭେମ୍ବର ୨୨କୁ ଧାର୍ଯ୍ୟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com