ଅନ୍ୟାନ୍ୟ

ମୁମ୍ବାଇ ଆକାଶରେ ୩୦ ଦିନ ପାଇଁ ଡ୍ରୋନ୍‌ , ହାଲୁକା ବିମାନ ଉଡାଇବା ମନା

 ଭୁବନେଶ୍ୱର, ୧୧/୧୧/୨୦୨୨ –   ୨୬/୧୧ ଭଳି ପୁଣିଥରେ ମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ମୁମ୍ବାଇ ପୋଲିସକୁ ଏନେଇ ସତର୍କ କରାଇଛି ଗୁଇନ୍ଦା ବିଭାଗ । ଗୁଇନ୍ଦା ଖବର ପରେ ମୁମ୍ବାଇ ପୋଲିସ ଆଖିରୁ ନିଦ ହଜି ଯାଇଛି । ନିକଟରେ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ମେସେଜ୍ ମିଳିଥିଲା । ଏଥିରେ ସ୍ପଷ୍ଟ ଲେଖା ଥିଲାଯେ, ନମ୍ବର ଟ୍ରେସ୍ କଲେ ତାହା ଭାରତ ବାହାରେ ଦେଖାଇବ, ହେଲେ ମୁମ୍ବାଇରେ ଆକ୍ରମଣ ହେବ । ୬ଜଣଙ୍କୁ ନେଇ ହୋଇଥିବା ଟିମ୍ ଏହି ଆକ୍ରମଣକୁ ସଫଳ କରିବେ ବୋଲି ପରୋକ୍ଷ ଧମକ ଦିଆଯାଇଥିଲା ।

ଖୋଳତାରୁ ଏହି ଧମକ ପାକିସ୍ତାନରୁ ଆସିଥିବା ଜଣା ପଡଥିଲା । ଆଉ ଏବେ ଗୁଇନ୍ଦାର ସତର୍କତା ପରେ ମୁମ୍ବାଇ ପୁଲିସ ହାଇଆର୍ଲଟକୁ ଆସିଯାଇଛି । ପୋଲିସ ଆଗୁଆ ପଦକ୍ଷେପ ସୂରୂପ ଏକ ମାସ ପର୍ଯ୍ୟନ୍ତ ମୁମ୍ବାଇ ଆକାଶରେ କୌଣସି ଘରୋଇ ଡ୍ରୋନ୍‌, ହଟ ଏୟାର ବେଲୁନ୍, ରିମୋଟ ଚାଲିତ ହାଲୁକା ବିମାନ ଏବଂ ପ୍ରାଇଭେଟ ହେଲିକପ୍ଟର, ପାରାଗ୍ଲାଇଡର୍ ଉଡାଇବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ନଭେମ୍ବର ୧୩ ରୁ ଡିସେମ୍ବର ୧୨ ଯାଏଁ ବଳବତ୍ତର ରହିବ । CrPCର ଧାରା ୧୪୪ ଅନୁଯାୟୀ ମୁମ୍ବାଇ ପୁଲିସ ଏହି ନିର୍ଦ୍ଦେଶ ଜାରି କରିଛି ।

ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ । ୨୦୦୮ ନଭେମ୍ବର ୨୬ରେ ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ନାରକୀୟ କାଣ୍ଡ ଘଟାଇଥିଲେ। ଏଥିରେ ୧୬୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ । ଅଜମଲ କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଗିରଫ କରାଯାଇ ତାକୁ ୨୦୧୨ ମସିହା ନଭେମ୍ବରରେ ୨୧ ଫାଶୀ ଦିଆଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com