ବାଣିଜ୍ୟ

ଭୁବନେଶ୍ୱରରେ ଏକାଠି ହେଲେ ହଜାର ହଜାର ଅଙ୍ଗନୱାଡି କର୍ମୀ

 ଭୁବନେଶ୍ୱର , ୨୧/୧୧/୨୦୨୨-   ଖାତରି କଲେନି ସରକାରଙ୍କ ନାଲିଆଖି । ରାଜ୍ୟ ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ୱେ ଲୋୟର ପିଏମଜିରେ ସୋମବାର ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନୱାଡି କର୍ମୀ । ବରଂ ସରକାର ଦାବି ପୂରଣ ନକଲେ ଆନ୍ଦୋଳନ ଆହୁରି ତେଜିବ । ନିଜ ହକ୍ ପାଇବା ପାଇଁ ଆସନ୍ତା ଦିନରେ ଲକ୍ଷ ଲକ୍ଷ ଅଙ୍ଗନୱାଡି ରାସ୍ତାକୁ ଓହ୍ଲାଇବେ ବୋଲି ଅଙ୍ଗନୱାଡି କର୍ମଚାରୀ ସଂଘ ପାଲଟା ଧମକ ଦେଇଛି । ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ନ ଦେଲେ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି ।

ସରକାର ଦୁଇ ଦୁଇ ଥର ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଛୁଟି ନ ମିଳିବା , ସରକାରୀ କର୍ମଚାରୀ ଘୋଷଣା କରିବା , ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରିବା , ମାସିକ ୨୧ ହଜାର ଟଙ୍କା ଦରମା , ଅବସର କାଳୀନ ଭତ୍ତା ଏବଂ ଅବସର ପରେ ପେନସନ ଯୋଗାଇଦେବା ନେଇ ସଂଘ ଆନ୍ଦୋଳନ ଜାରି ରଖିଛି । ସେପଟେ ଆନ୍ଦୋଳନ ଯୋଗୁଁ ଆଇସିଡିଏସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ଧ୍ୟାନ ଦେବାକୁ ସରକାର ତାଗିଦ କରିଥିଲେ । ନିର୍ଦ୍ଦେଶ ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଏନେଇ ଧ୍ୟାନ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଲେଖି ଅଙ୍ଗନୱାଡି କର୍ମଚାରୀଙ୍କ ଛୁଟି ମଞ୍ଜୁର ନ କରିବାକୁ ସିଧାସଳଖ କହିଥିଲେ । ତେବେ ସରକାରଙ୍କ ଏହି ତାଗିଦ ସଂଘ ଉପରେ କୌଣସି ପ୍ରଭାବ ପକାଇନାହିଁ ।

 

Related Articles

Back to top button
WP Twitter Auto Publish Powered By : XYZScripts.com