ଜୀବନଶୈଳୀ

ବ୍ରହ୍ମପୁର ଜିଲ୍ଲା ଗଠନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ବ୍ରହ୍ମପୁର, ୨୫/୧୧/୨୦୨୨-    ନିକଟରେ ରାଜ୍ୟ ସରକାର ପଦ୍ମପୁରକୁ ୨୦୨୩ ସୁଦ୍ଧା ୩୧ ତମ ଜିଲ୍ଲା ରୂପେ ଘୋଷଣା କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁର ଉପଖଣ୍ଡକୁ ଏକ ସ୍ବତନ୍ତ୍ର ବ୍ରହ୍ମପୁର ଜିଲ୍ଲା ରୂପେ ଘୋଷଣା କରିବା ନେଇ ପୁରୁଣା ଦାବି ପୁନର୍ଜୀବିତ ହୋଇଛି । ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର ପକ୍ଷରୁ ଏ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇ ଜିଲ୍ଲା ପାଇଁ ସମସ୍ତ ଭିତ୍ତିଭୂମି ଥିବା ଯୋଗୁଁ ତୁରନ୍ତ ବ୍ରହ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ରୂପେ ଘୋଷଣା କରିବାକୁ ଅନୁରୋଧ କରାଯାଇଛି । ସଂଗଠନ ତରଫରୁ ଏ ନେଇ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।
ସଂଗଠନ ପକ୍ଷରୁ କୁହାଯାଇଛି ଯେ ସଂଗଠନ କେବଳ ତାତ୍କାଳିକ ନ୍ୟାୟରେ ଜିଲ୍ଲା ଗଠନ ଦାବି ନାମରେ ଦାବୀ କରୁ ନାହୁଁ , ଆମର ଏହି ଦାବୀ ପଛରେ ବଳିଷ୍ଠ କାରଣ ଓ ଯୁକ୍ତି ରହିଛି । ଦାବିପତ୍ରରେ ଦର୍ଶାଯାଇଛି ଯେ –

୧) ପ୍ରଥମତଃ ବ୍ରହ୍ମପୁର ଗୋଟେ ସର୍ବ ପୁରାତନ ଐତିହାସିକ ସହର । ଏହି ସହର ସହ ଏକ ଗୌରବଶାଳି ଇତିହାସର ପୃଷ୍ଠଭୂମି ଜଡ଼ିତ ଓ ସାଂସ୍କୃତିକ ସରୋହଦରେ ପରିପୂର୍ଣ୍ଣ ଏହି ପ୍ରାଚୀନ ସହର।କେବଳ ସେତିକି ନୁହଁ ଏହି ସହର ଏବଂ ଏହି ସହରରେ ଜନ୍ମିତ ମହାମନିଷୀ ମାନଙ୍କ ସ୍ଵାଧୀନତା ସଂଗ୍ରାମ ଏବଂ ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନରେ ଅନେକ  ଅବଦାନ ରହିଛି । ସ୍ଵାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ଏହି ସହରରେ ଜନ୍ମିତ ଜଣେ ମହାପୁରୁଷଙ୍କୁ ଦେଶର ରାଷ୍ଟ୍ରପତି ରୂପେ ପାଇଛି । କେବଳ ଏତିକି ନୁହଁ ଏହି ସହର ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଶୈଖିକ ଓ ବାଣିଜ୍ୟକ ପେଣ୍ଠସ୍ଥଳ ଏବଂ ବୃହତ୍ତର ସୀମାବର୍ତ୍ତୀ ସହର ରୂପେ ଜଣାଶୁଣା । ବ୍ରହ୍ମପୁର ମହାନଗର ନିଗମ ଏକ ଗୌରବମୟ ପରମ୍ପରା ବହନ କରୁଥିବା ଏକ ପୁରାତନ ପୌର ପରିଷଦ। ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବହନ କରୁଥିବା ଏବଂ ବିଭିନ୍ନ ପରମ୍ପରା, ପ୍ରଥା, ଐତ୍ୟିହ,ଆଚରଣ ଓ ସଂସ୍କୃତିର ଏହି ସହର ଏକ ଅନନ୍ୟ ସମନ୍ନୟର ସମାହାର।ଏହାର ରେଶମ ପାଟ ଏହାର ସ୍ଵତନ୍ତ୍ର ପରିଚୟ।ଏହି ପରିପ୍ରେକ୍ଷୀରେ ଏହି ସହରର ପ୍ରାଚୀନତାକୁ ଏବଂ ଅଗ୍ରଗତିକୁ ଦେଖିଲେ ଏହି ସହର ପ୍ରତି ଅନେକ ଅନ୍ୟାୟ କରାଯାଇଛି।ଏହି ସହର ଓ ସହର ବାସିନ୍ଦାଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ଓ ଦାବୀରୁ ବଞ୍ଚିତ କରାଯାଇଛି। ଗୋପାଳପୁର ଭଳି ଅନନ୍ୟ ବେଳାଭୂମି ଥିଲେ ସୁଦ୍ଧା ଏବଂ ପ୍ରାକୃତିକ ଭାବରେ ଏହି ଅଞ୍ଚଳ ଅଭିଶପ୍ତ ନଥିଲେ ମଧ୍ୟ ରାଜନୈତିକ ଏବଂ ପ୍ରଶାସନିକ ଅବହେଳା ଓ ଉପେକ୍ଷାର ଶିକାର ସୋଇ ଏହି ସହର ତାର ଗୁରୁତ୍ତ୍ଵ ଓ ସତ୍ତା ହରେଇ ନିଜର ପରିଚୟ ଖୋଜୁଛି।

୨) ଭୌଗୋଳିକ ଅବସ୍ଥିତି ଓ ଗମନାଗମନ ଏବଂ ଯୋଗାଯୋଗ ଦୃଷ୍ଟିରୁ ଦେଖିଲେ ଏହି ସହର ଏକ ସହଜ ଓ ସୁବିଧାକନକ ସ୍ଥିତିରେ ଅଛି।ତଥାପି ଏହି ବିଷୟ ଓ ତଥ୍ୟକୁ ଅଣଦେଖା କରାଯାଇ ଏହାର ବିକାଶ ପାଇଁ ସମୁଚିତ ଧ୍ୟାନ ଦିଆଯାଇ ନାହିଁ। ଏହା ଯେ କେହି ଅନୁଧ୍ୟାନ କଲେ ଜାଣିପାରିବ ଯେ ବ୍ରହ୍ମପୁର ସହର ସହ ତାଳ ଦେଇ ସମସାମୟିକ ଭାବେ ଗଢି ଉଠିଥିବା ଏବଂ ଏହାର ବହୁ ପରେ ଗଢି ଉଠିଥିବା ସହର ମାନେ ବିକାଶ ଏବଂ ଭିତ୍ତିଭୂମି କ୍ଷେତ୍ରରେ କେଉଁଠି ଛିଡା ହେଇଛନ୍ତି ଏବଂ ବ୍ରହ୍ମପୁର ସହର ସେମାନଙ୍କ ତୁଳନାରେ କେଉଁଠାରେ ଅଛି ସହଜରେ ଅନୁମେୟ ।ଆମେ ବେଶୀ ଦୂର ଯିବାନହିଁ ଆମ ନିକଟରେ ଆମ ଆଖି ଆଗରେ ବ୍ରହ୍ମପୁର ସହରର ବହୁ ପରେ ଗଢି ଉଠିଥିବା ବିଶାଖାପାଟଣା ସହରକୁ ଉଦାହରଣ ସ୍ଥଳରେ ଯଦି ନେବା ତାହାହେଲେ ଆମକୁ ନିଶ୍ଚିତ୍ତ ଭାବରେ ଲଜ୍ଜ୍ୟା ଅନୁଭବ କରିବାକୁ ପଡୁଛି ।ତେଣୁ ଗଞ୍ଜାମ ଜିଲ୍ଲା ମଧ୍ୟରେ ରହି ଏହି ସହର ଏକ ଅଗ୍ରଣୀ ସହରରେ ପରିଣତ ହେଇପାରିବ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ ତଥା ଭିତ୍ତିଭୂମି କ୍ଷେତ୍ରରେ ଯଥା ରେଳ,ସଡ଼କ, ଜଳପଥ, ବିମାନ ବନ୍ଦର ,ଶିଳ୍ପ , ବାଣିଜ୍ୟ ବ୍ୟବସାୟ ଓ ପର୍ଯ୍ୟଟନ ସବୁ କ୍ଷେତ୍ରରେ ଏହି ସହର ଆଜି ବହୁତ ପଛରେ। ତେଣୁ ବ୍ରହ୍ମପୁର ସହରକୁ ଏକ ଅଗ୍ରଣୀ ଏବଂ ଅତ୍ୟାଧୁନିକ ସହରରେ ଯଦି ପରିଣତ କରିବାର ଅଛି ତାହା ହେଲେ ଏହା କେବଳ ଏକ ଅଲଗା ଜିଲ୍ଲା ରୂପେ ମାନ୍ୟତା ପାଇ ଗଠନ ହେଲେ ସାକାର ହୋଇପାରିବ। ନତୁବା ଏହି ସହର ଏହିଭଳି ଅଭିଶପ୍ତ ହେଇ ରହିଥିବ।ତେଣୁ ଆମେ ଚାହୁଁ ତୁରନ୍ତ ବ୍ରହ୍ମପୁରକୁ ଏକ ଜିଲ୍ଲା ରୂପେ ଘୋଷଣା କରାଯାଉ।

୩) ସେହିଭଳି ଆମେ ବ୍ରହ୍ମପୁରକୁ ଅଧୁନା ନୂତନ ଭାବେ ଜିଲ୍ଲା ଘୋଷଣା କରିବାକୁ ଦାବୀ କରିନାହୁଁ , ଏହାପୂର୍ବରୁ ମଧ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ସରକାର ଯେତେବେଳେ କିଛି ନୂଆଁ ଜିଲ୍ଲା ଘୋଷଣା କରିବାକୁ ଚିନ୍ତା କରୁଥିଲେ ସେହି ସମୟରେ ସରକାରଙ୍କୁ ବ୍ରହ୍ମପୁର ଜିଲ୍ଲା ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଦାବୀ ପତ୍ର ମାଧ୍ୟମରେ ଜଣେଇ ଥିଲୁ। କିନ୍ତୁ ସେତେବେଳେ ରାଜ୍ୟ ସରକାର କୌଣସି କାରଣରୁ ନୂତନ ଜିଲ୍ଲା ଗଠନ ଘୋଷଣାରୁ ଆଜି ପର୍ଯ୍ୟନ୍ତ ବିରତ ରହିଥିଲେ ।ତେଣୁ ଯେତେବେଳ ବର୍ତ୍ତମାନ ପଦ୍ମପୁର ଜିଲ୍ଲା ଗଠନ କରିବାର ନିଷ୍ପତ୍ତି ନେଇଛନ୍ତି ସେତେବେଳ ବ୍ରହ୍ମପୁର ଜିଲ୍ଲା ଗଠନ ନେଇ ଘୋଷଣା କରିବାର ଆବଶ୍ୟକତା ରହିଛି। ନଚେତ୍ ଏଠାରେ ମଧ୍ୟ ଆନ୍ଦୋଳନ ପୁନର୍ବାର ଆରମ୍ଭ କରାଯିବ । ଦରକାର ପଡ଼ିଲେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ।

୪) ଯେହେତୁ ବ୍ରହ୍ମପୁର ଏହା ପୂର୍ବରୁ ଏକ ସ୍ବତନ୍ତ୍ର ପୋଲିସ ଜିଲ୍ଲା ହୋଇସାରିଛି । ସେହିପରି ସ୍ଵତନ୍ତ୍ର ଲେବର ଜିଲ୍ଲା ସହ ପରିବହନ ବିଭାଗ ମଧ୍ୟ ବ୍ରହ୍ମପୁରକୁ ଏକ ସ୍ବତନ୍ତ୍ର ଜିଲ୍ଲା କାର୍ଯ୍ୟାଳୟ ରୂପେ ବିଚାରି କରି ଏଠାରେ ଅଫିସ ଖୋଲି କାର୍ଯ୍ୟ କରୁଛି, କହିବାକୁ ଗଲେ ସବୁ ଜିଲ୍ଲାସ୍ତରୀୟ ଅଫିସ ଏବଂ କୋର୍ଟ ଏଠାରେ କାମ କରୁଛି । ତେଣୁ ସାଧାରଣ ପ୍ରଶାସନ ଏହାକୁ ଏକ ସ୍ବତନ୍ତ୍ର ନୂତନ ଜିଲ୍ଲା ରୂପେ ଘୋଷଣା କରିବାରେ ଅସୁବିଧା ରହିଲା କେଉଁଠି ବୁଝିବାରେ ଆମେ ଅସମର୍ଥ।

୫) ସେହିଭଳି ଯେଉଁଠାରେ ଆରଡିସି କାର୍ଯ୍ୟାଳୟ ଅଛି ସେଠାରେ ଜିଲ୍ଲା ମୁଖ୍ୟାଳୟ ଅଫିସ ଅଛି ବ୍ରହ୍ମପୁର ହିଁ ବ୍ୟତିକ୍ରମ। ଏଠାରେ ଦକ୍ଷିଣାଞ୍ଚଳ ରାଜ୍ଵସ ବିଭାଗ ଆୟୁକ୍ତ କାର୍ଯ୍ୟାଳୟ (ଆରଡିସ) ଅଫିସ ଅଛି ଅଥଚ ଜିଲ୍ଲା ମୁଖ୍ୟାଳୟ ଆଉ କେଉଁଠାରେ , ବିଚିତ୍ର ସ୍ଥିତି।
ତେଣୁ ଏଠାକାର ଲୋକସଂଖ୍ୟା ଏବଂ ଭୌଗୋଳିକ ଆୟତନକୁ ଦୃଷ୍ଟିରେ ରଖି ଏବଂ ଏହି ଅଞ୍ଚଳର ସ୍ବାର୍ଥ ଓ ଅଞ୍ଚଳ ବାସିନ୍ଦାଙ୍କ ଅବେଗକୁ ସମ୍ମାନ ପ୍ରଦର୍ଶନ କରି ଓଡ଼ିଶାର ସମ୍ବିଧାନିକ ଏବଂ ପ୍ରଶାସନିକ ମୁଖ୍ୟ ଭାବରେ ଆମର ଦାବୀକୁ ସ୍ଵୀକୃତ ଦେଇ ଏବଂ ସମସ୍ତ ରାଜନୈତିକ ସ୍ବାର୍ଥ ଓ ଚିନ୍ତାଧାରାର ଉର୍ଦ୍ଧକୁ ଉଠି ଦୃଢ଼ ପଦକ୍ଷେପ ନେଇ ବ୍ରହ୍ମପୁର ଉପଖଣ୍ଡକୁ ବ୍ରହ୍ମପୁର ଜିଲ୍ଲା ରୂପେ ତୁରନ୍ତ ଘୋଷଣା କରି ଆମକୁ ବାଧିତ କରନ୍ତୁ ।
ଆଜି ଏହିଭଳି ଭାବେ ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନ ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ପତ୍ର ମାଧ୍ୟମରେ ବ୍ରହ୍ମପୁର ଜିଲ୍ଲା ଗଠନ ଦାବୀର ଯଥାର୍ଥତା ନେଇ ବିଭିନ୍ନ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀଙ୍କୁ ଡାକ ଓ ଇମେଲ ଯୋଗେ ଚିଠି ପ୍ରେରଣ କରି ବ୍ରହ୍ମପୁର ଜିଲ୍ଲା ଗଠନ ନେଇ ଘୋଷଣା କରିବାକୁ ଦାବୀ ରଖିଛନ୍ତି । ଆଗାମୀ ଦିନରେ ସମସ୍ତ ସାମାଜିକ ସଂଗଠନ ଏବଂ ସଚେତନ ନାଗରିକ ମାନଙ୍କୁ ନେଇ ଆନ୍ଦୋଳନର ରୂପରେଖ ଚୂଡାନ୍ତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com