ଜୀବନଶୈଳୀ

ବନ୍ଦ ହୋଇପାରେ ମାଗଣା ଯୋଜନା : ବିଗୁଡ଼ୁଛି ସରକାରଙ୍କ ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ: ବନ୍ଦ ହୋଇପାରେ ମାଗଣା ଯୋଜନା । ସବସିଡି ଛାଡ ଏବଂ ମାଗଣା ଯୋଜନା ପାଇଁ ଆର୍ଥିକ ବୋଝ ବଢୁଥିବାରୁ ଅର୍ଥ ମନ୍ତ୍ରାଳୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି । କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେଣୁ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନ ବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି । କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, ବଡ଼ଧରଣର ଟିକସ ହ୍ରାସକୁ ମଧ୍ୟ ବିରୋଧ କରିଛି ବ୍ୟୟ ବିଭାଗ । ଯଦି ଆଗକୁ ଏମିତି କରାଯାଏ ତେବେ ସରକାରଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ଚେତେଇ ଦେଇଛି । ନିକଟରେ ସରକାର ମାଗଣା ରାସନ ପ୍ରଦାନର ଅବଧି ବୃଦ୍ଧି, ସାର ସବସିଡି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ କରିବା ଯୋଗୁ ଦେଶର ଆର୍ଥିକ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି ।  ୨୦୨୦ ମାର୍ଚ୍ଚରେ ତାଲାବନ୍ଦ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା ହୋଇଥିଲା । ଦେଶରେ ପ୍ରାୟ ୮୧ କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇଥିଲେ । ଏଥି ସହିତ ସେହି ବ୍ୟକ୍ତିମାନେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ପାଉଛନ୍ତି । ଏବେ ମହାମାରୀ ନଥିବା କାରଣରୁ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ସାମଗ୍ରୀ ସେମାନଙ୍କୁ ପ୍ରଦାନ ନକରାଯାଉ ବୋଲି ବ୍ୟୟ ବିଭାଗ ଦର୍ଶାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com