Breaking NewsFeaturedଓଡ଼ିଶାଜାତୀୟରାଜନୀତି

କଂଗ୍ରେସରୁ ନିଲମ୍ବନ ପରେ ଦୋଛକିରେ ମହମ୍ମଦ ମୋକିମ୍!

ଦୁଇ ଦଳରୁ ଆସୁଛି ଅଫର୍

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ପରେ ଏଆଇସିସି ପକ୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ କଂଗ୍ରେସରୁ ନିଲମ୍ବନ ପରେ ଏବେ କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ପରବର୍ତ୍ତୀ ପଦକ୍ଷେପକୁ କଣ ହେବ ତାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।

କଟକର ଟାଣୁଆ ନେତା ମହମ୍ମଦ ମୋକିମ ବହୁଦିନରୁ ଲାଗିଥିଲେ ପିସିସି ସଭାପତି ହେବା ପାଇଁ । ଏଥିପାଇଁ ମଧ୍ୟ ସେ ବହେ କସରତ କରିଛନ୍ତି । ବର୍ତ୍ତମାନର ପିସିସି ମୁଖିଆ ଶରତଙ୍କ ଜାଗାରେ ନିଜେ ପିସିସି ସଭାପତି ହେବାକୁ ଜୋରଦାର ଉଦ୍ୟମ କରିଥିଲେ ମୋକିମ । ଓଡିଶାରେ କଂଗ୍ରେସକୁ କିଭଳି ମଜଭୁତ କରିହେବ ସେନେଇ ନିଜେ ରଣକୌଶଳ ପ୍ରସ୍ତୁତ କରି ବହୁ ବରିଷ୍ଠ କେନ୍ଦ୍ରିୟ କଂଗ୍ରେସ ନେତାଙ୍କ ସହ ଆଲୋଚନା ବି କରିଥିଲେ । ଏପରିକି ନିଜ ଖର୍ଚ୍ଚରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ମୋକିମ । କିନ୍ତୁ ଶେଷରେ ଶରତ ପଟ୍ଟନାୟକଙ୍କମୁଣ୍ଡରେ ସୁନା କଳସୀ ଢାଳିଥିଲା ଏଆଇସିସି । ଯେଉଁଥି ପାଇଁ ଖପ୍ପା ହୋଇଥିଲେ ମୋକିମ । ସେତେବେଳେ ଗଣମାଧ୍ୟମରେ ନିଜର କ୍ଷୋଭ ଝାଡିଥିଲେ ସେ । ଏହା ପରଠାରୁ ଦଳ ଭିତରେ ସେ ନିଜକୁ ଅଣନିଶ୍ୱାସୀ ଅନୁଭବ କରିଥିଲେ । ଆଉ ଏଥିପାଇଁ ସେ ବିଆରଏସ ଓ ଆମ ଆଦମୀ ପାର୍ଟି ସହିତ ଭିତିରିଆ ଯୋଗାଯୋଗ କରିଥିଲେ । ଏପରିକି ସେ ଦୁଇ ଦଳର ହେଭିୱେଟଙ୍କୁ କାଳେ ଗୋପନରେ ସାକ୍ଷାତ କରିଥିଲେ । ଯାହାକୁ ନେଇ ଏଆଇସିସି ନିକଟରେ ଅଭିଯୋଗ କରିଥିଲେ ଶରତ ।

ଶରତଙ୍କ ଅଭିଯୋଗ ମୁତାବକ ଝାରସୁଗୁଡା ଉପ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପାଇଁ ମୋକିମ ଓ ଚିରଞ୍ଜୀବଙ୍କୁ ଦାୟୀ କରିଥିଲେ । ଯେଉଁଥି ପାଇଁ ଉଭୟ ମୋକିମ ଓ ଚିରଞ୍ଜିବୀଙ୍କୁ କଂଗ୍ରେସରୁ ନିଲମ୍ବନ କରାଗଲା । ତେବେ ଆଗରୁ ଯୋଗାଯୋଗ କରିଥିବା ଆମ ଆଦମୀ ପାର୍ଟିକୁ ମୋକିମ ଭରଷା କରି ପାରୁନାହାନ୍ତି ଆଉ ବିଆରଏସ ତ ଚାଲିବା ପୁର୍ବରୁ ଭାଙ୍ଗିଗଲା । ତେବେ ବର୍ତ୍ତମାନ ଯାହା ଭିତିରି ସୁତ୍ରରୁ ଜଣାପଡୁଛି ଯେ ଉଭୟ ବିଜେପି ଓ ବିଜେଡି ମୋକିମଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା ଚଳାଇଛନ୍ତି । ତେବେ ବିଜେପିର ହିନ୍ଦୁ ମୁସଲିମ ରାଜନୀତି ପାଇଁ ମୋକିମ ପଦ୍ମ ପୋଖରୀରେ ବୁଡ ପକାଇବା ସମ୍ଭାବନା ଖୁବ କମ । ବର୍ତ୍ତମାନର ରାଜନୈତିକ ପାଣିପାଗ ଯାହା କହୁଛି ମୋକିମ ଶଙ୍ଖ ଫୁଙ୍କିବାର ସମ୍ଭାବନା ଅଧିକ । କଟକ-ବାରବାଟିର ବିଜେଡି ପ୍ରାର୍ଥୀ ଦେବାଶିଶ ସାମନ୍ତରାୟ ବି ଏହାକୁ ନେଇ ମାନ ଅଭିମାନ କରିବାର ସମ୍ଭାବନା କମ । କାରଣ ଦେବାଶିଶ ପାରାଦୀପରୁ ଲଢିବାକୁ ଚାହିଁ ବସିଛନ୍ତି । ଏପରିକି ସେ ଆଗରୁ ପାରଦୀପରେ ବି ନିଜ ସଂଗଠନ ସଜାଡୁଥିବା ଅନେକ ଥର ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ତେଣୁ ମୋକିମ ବିଜେଡି ପାଇଁ କଟକ ପାରାଦୀପ ଆସନରୁ ଫିଟ ହେବେ ବୋଲି କୁହାଯାଉଛି । ସେପଟେ ନିଲମ୍ବନ ନିର୍ଦେଶ ପରେ ମୋକିମ କହିଛନ୍ତି ଶରତ ପଟ୍ଟନାୟକ ନିଜ ସ୍ୱାର୍ଥ ପାଇଁ ତାଙ୍କୁ ବଳି ପକାଇ ଦେଇଛନ୍ତି । କଂଗ୍ରେସରୁ ନିଲମ୍ବନ ପରେ ସେ ଏବେ ସ୍ୱାଧିନ ଭାବରେ ଲଢିବେ ବୋଲି କହୁଛନ୍ତି । କିନ୍ତୁ ଭିତିରି ସୁତ୍ର କହୁଛି ଯେ ମୋକିମ ବିଜୁ ଜନତା ଦଳର ନିମନ୍ତ୍ରଣକୁ ଅପେକ୍ଷା କରିଛନ୍ତି । ତେବେ ଦେଖାଯାଉ ଆଗକୁ ମୋକିମ କେଉଁ ଦଳରେ ପତକା ତଳେ ନିଜର ରାଜନୀତିକ କ୍ୟାରିଅରକୁ ଆଗେଇ ନେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com