ଅନ୍ୟାନ୍ୟ

ସୁନାବେଶ ଆଭୂଷଣର ଆଉ ଏକ ଅତିରିକ୍ତ ସେଟ୍‌ ତିଆରି ହେବ

ଭୁବନେଶ୍ୱର, ୦୩/୧୨/୨୦୨୨-  ମହାପ୍ରଭୁଙ୍କ ସୁନାବେଶ ଆଭୂଷଣର ଆଉ ଏକ ଅତିରିକ୍ତ ସେଟ୍‌ ତିଆରି କରିବାକୁ ରୂପରେଖ ପ୍ରସ୍ତୁତ କରାଯାଉଛି । ଖାଲି ଏତିକି ନୁହେଁ ମହାପ୍ରଭୁଙ୍କ ରତ୍ନପଲଙ୍କର ଆଉ ଏକ ସେଟ୍‌ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିିଛି । ଯାହାର ରୂପରେଖ ପ୍ରସ୍ତୁତ ହୋଇ ସାରିଥିବା ଜଣାପଡ଼ିଛି ।

ଶ୍ରୀମନ୍ଦିର ବଣିଆ ମା’ ସୁଭଦ୍ରାଙ୍କ ସୁନାବେଶ ଅଳଙ୍କାର ଆକଳନ କରିଥିବା ଜଣାପଡ଼ିଛି । ରଥ ଉପରେ ମହାପ୍ରଭୁଙ୍କ ସୁନାବେଶରେ ମୋଟ ୪୫ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ରଥ ଉପର ସୁନାବେଶରେ ଶ୍ରୀବଳଭଦ୍ରଙ୍କ ବାଡ଼ରେ ୧୮ ପ୍ରକାର, ମା’ ସୁଭଦ୍ରାଙ୍କ ବାଡ଼ରେ ୮ ପ୍ରକାର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ୧୯ ପ୍ରକାର ଆଭୂଷଣ ଲାଗି ହୋଇଥାଏ । କିନ୍ତୁ କିଛି ଦୁର୍ଲ୍ଲଭ ତଥା ଅମୂଲ୍ୟ ହୀରା, ମଣି, ମାଣିକ୍ୟ ତଥା ଅନ୍ୟ ରତ୍ନଖଚିତ ଅଳଙ୍କାରକୁ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁରକ୍ଷା ଦୃଷ୍ଟିରୁ ଲାଗି ହୋଇ ନଥାଏ । ତେଣୁ ରତ୍ନବେଦିରେ ମହାପ୍ରଭୁଙ୍କୁ ଏହାଠାରୁ ଅଧିକ ମୂଲ୍ୟବାନ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଏ । ଏହା ବ୍ୟତୀତ ପଦ୍ମବେଶ, ରଘୁନାଥ ବେଶ, କୃଷ୍ଣ ବଳରାମ ବେଶ, ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ ବେଶ, ନାଗାର୍ଜୁନ ବେଶ, ବାମନ ବେଶ, ଚାଚେରି ବେଶ ଆଦି ବିରଳ ବେଶରେ ବି ସ୍ୱତନ୍ତ୍ର ଅଳଙ୍କାରମାନ ଲାଗି ହୋଇଥାଏ ।

ଏହି ଅଳଙ୍କାରଗୁଡ଼ିକର ଅତିରିକ୍ତ ସେଟ ତିଆରି ହେଲେ ବିଭିନ୍ନ କାରଣରୁ ଭାଙ୍ଗି ଯାଇଥିବା କିମ୍ବା ନଷ୍ଟ ହେଉଥିବା ସୁବର୍ଣ୍ଣ ଅଳଙ୍କାର ସ୍ଥାନରେ ଅତିରିକ୍ତ ସେଟ୍‌ର ଅଳଙ୍କାରକୁ ବ୍ୟବହାର କରାଯାଇ ପାରିବ । ପୁରୁଣା ଅଳଙ୍କାର ଠାରୁ ଅଧିକ ସୁନା ଓ ଜଉ ଦେଇ ମଜବୁତ ଆଭୂଷଣ ଗଢ଼ିିବାକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଦାତାଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି । ଏହି କାମରେ ରାଜ୍ୟ ସରକାରଙ୍କ ସହାୟତା ନେବାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ବିଚାର କରୁଛି । ଖୁବ ଶୀଘ୍ର ଏହି ସବୁ ଅଳଙ୍କାର ଗୁଡ଼ିକର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com