Featuredଓଡ଼ିଶା

ବାଣୀବିହାର ଆରଓବି ଏବଂ ଭୁବନେଶ୍ୱର ରେଳଷ୍ଟେସନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାଣୀବିହାର ଆରଓବି ଏବଂ ଭୁବନେଶ୍ୱର ରେଳଷ୍ଟେସନର ଉନ୍ନୟନ କାର୍ଯ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ହକି ବିଶ୍ୱକପ ପରେ ପ୍ରସ୍ତାବିତ ତିନି ଲେନ ବିଶିଷ୍ଟ ବାଣୀ ବିହାର ଆରଓବି ର କାର୍ଯ୍ୟ ଆରମ୍ଭ କରିବା ପାଇଁ ରେଳବିକାଶ ନିଗମ ଲିମିଟେଡର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହକି ବିଶ୍ୱକପ ସମୟରେ ଟ୍ରାଫିକ୍ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିର୍ମାଣ କାର୍ଯ୍ୟକୁ ଆସନ୍ତା ଫେବୃଆରୀ ମାସରେ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଥିବା ଦୁଇ ଲେନ୍ ବିଶିଷ୍ଟ ଆରଓବି ସ୍ଥାନରେ ଏହି ତିନି ଲେନ୍ ବିଶିଷ୍ଟ ଆରଓବି ନିର୍ମାଣ କରାଯିବ । ଖୋର୍ଦ୍ଧା-ବାରଙ୍ଗ ରେଳପଥରେ ତୃତୀୟ ପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପୂର୍ବରୁ ଥିବା ଆରଓବିକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଏହି ପୁରୁଣା ଆରଓବିକୁ ଲାଗି ଆଉଏକ ନୂତନ ଦୁଇ ଲେନ୍ ବିଶିଷ୍ଟ ଆରଓବି ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଚଳିତ ମାସ ୧୫ ତାରିଖ ଠାରୁ ଏହାମଧ୍ୟ ଦେଇ ଯାନ ବାହାନ ଚଳପ୍ରଚଳ କରୁଛି ।

ଖୋର୍ଦ୍ଧା-ବାରଙ୍ଗ ସେକ୍ସନରେ ସମ୍ପ୍ରସାରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉ ଥିବାରୁ ପୂର୍ବରୁ ଥିବା ଦୁଇ ଲେନ ବିଶିଷ୍ଟ ଆରଓବିକୁ ଭାଙ୍ଗିବାର ଆବଶ୍ୟକତା ରହିଛି । ମୋଟ ୫୮୧ କୋଟି ଟଙ୍କା ବ୍ୟୟ ବରାଦରେ ଦୀର୍ଘ ୩୨ କିଲୋମିଟର ତୃତୀୟ ରେଳପଥ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିମଧ୍ୟରୁ ୨୬ କିଲୋମିଟର କାମ ଶେଷ ହୋଇଥିବା ବେଳେ ଭୁବନେଶ୍ୱର-ମଞ୍ଚେଶ୍ୱର ମଧ୍ୟରେ ଥିବା ୬ କିଲୋମିଟର କାର୍ଯ୍ୟ ଏହି ଆରଓବି ଭାଙ୍ଗିବା ପରେ ଆରମ୍ଭ କରାଯିବ ବୋଲି ରେଳ ବିକାଶ ନିଗମ ଲିଃ ର ମୁଖ୍ୟ ପ୍ରକଳ୍ପ ମ୍ୟାନେଜର ଶ୍ରୀ ପ୍ରଦୀପ କୁମାର ମହାନ୍ତି କହିଥିଲେ । ଏହି ସ୍ଥାନରେ ପ୍ରସ୍ତାବିତ ତିନି ରେଳ ବିଶିଷ୍ଟ ଆରଓବି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି ।

ତିନିଲେନ ବିଶିଷ୍ଟ ଆରଓବି କାର୍ଯ୍ୟ ଶେଷ ହେଲେ ଏହା ସବୁଦିନିଆ ରାସ୍ତା ଭାବେ ବ୍ୟବହୃତ ହେବ ଏବଂ ନୂତନ ଭାବେ ନିର୍ମିତ ଦୁଇ ଲେନ ଆରଓବି ରସୁଲଗଡ଼କୁ ସଂଯୋଗ କରୁଥିବା ରାସ୍ତା ଭାବେ ବ୍ୟବହାର କରାଯିବ । ସେହିଭଳି ଭୁବନେଶ୍ୱର ରେଳ ଷ୍ଟେସନ୍ର ଉଭୟ କଳ୍ପନା ଏବଂ ମାଷ୍ଟର କ୍ୟଣ୍ଟିନ ପାର୍ଶ୍ୱକୁ ଆଧୁନିକକରଣ କାର୍ଯ୍ୟର ମଧ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ନୂତନ ନିର୍ମାଣ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରିବାକୁ ମୁଖ୍ୟ ଶାସନ ସଚିବ ପୂର୍ବତଟ ରେଳବାଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com