ପ୍ରେମିକାକୁ ମାଡ଼ ଭିଡିଓ ଭାଇରଲ ପରେ ଭଙ୍ଗା ହେଲା ଅଭିଯୁକ୍ତର ଘର, ମୁଖ୍ୟମନ୍ତ୍ରୀ ନିଜେ ଦେଲେ ସୂଚନା
![](https://i0.wp.com/odia.mobilenews24x7.com/wp-content/uploads/2022/12/AA15ELRm.jpg?resize=599%2C337&ssl=1)
ଭୁବନେଶ୍ୱର: ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୧୯ ବର୍ଷିୟା ପ୍ରେମିକାକୁ ଅତି ନିର୍ମମ ଭାବେ ମାଡ ମାରିବା ଘଟଣାରେ ୨୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। କେବଳ ଏତିକି ନୁହେଁ ତାଙ୍କ ଘର କୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗିଦିଆଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି।
ବୁଧବାର ଦିନ ଘଟିଥିବା ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୋଲିସ ଆକ୍ଟିଭ ମୁଡ଼କୁ ଆସିଥିଲା ଏବଂ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିଲା । ଏହା ସହ ଅଭିଯୁକ୍ତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲା । ଗିରଫ ଅଭିଯୁକ୍ତର ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ବାତିଲ କରାଯାଇଛି। ଡ୍ୟୁଟିରେ ଅବହେଳା ହେତୁ ମଗଞ୍ଜ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ମହିଳା ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।
ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କୁ ଶନିବାର ରାତିରେ ଉତ୍ତରପ୍ରଦେଶର ମିର୍ଜାପୁରରୁ ଗିରଫ କରାଯାଇଛି। ୧୯ ବର୍ଷୀୟ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ମଧ୍ୟପ୍ରଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ କ୍ଷମା କରାଯିବ ନାହିଁ। ଯେଉଁମାନେ ଅତ୍ୟାଚାର କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ, ଯାହାଫଳରେ ସେମାନେ ଆଉ ଅପରାଧ କରିପାରିବେ ନାହିଁ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଝିଅ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବିବାଦ ଲାଗି ରହିଥିଲା। ଭିଆରଲା ଭିଡିଓରେ ଅଭିଯୁକ୍ତ ଜଣକ ଝିଅକୁ ବିବାହ କରିବାକୁ କହୁଥିଲେ ,ଏଥିରେ ପ୍ରେମିକା ଅରାଜି ହେବାରୁ ପ୍ରେମିକ ଜଣକ ମାଡ଼ ମାରିବାକୁ ଲାଗିଲା । ଗୋଇଠା-ଚାପୁଡ଼ା ମାରିବା ଦ୍ୱାରା ପ୍ରେମିକା ଜଣକ ଅଚେତ ହୋଇପଡିଥିଲେ।
ଅଧିକାରୀ କହିଛନ୍ତି ଯେ ପୀଡିତା ଘଟଣା ସମ୍ପର୍କରେ ପୋଲିସ ଷ୍ଟେସନକୁ ଆସିଥିଲେ, କିନ୍ତୁ ସେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିବାକୁ ମନା କରିଦେଇଥିଲେ। ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୧ ଅନୁଯାୟୀ ଗିରଫ କରାଯାଇଥିଲା ଏବଂ ପରେ ଛାଡିଦିଆଯାଇଥିଲା।
ଅଧିକାରୀ କହିଛନ୍ତି ଯେ ପୀଡିତା ଜଣକ ଭିଡିଓ ପ୍ରସ୍ତୁତ ଏବଂ ପ୍ରସାରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଓଲଟି ଅଭିଯୋଗ କରିଛନ୍ତି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଭିଡିଓ ଭାଇରାଲ କରିଥିବା ଯୁବକ ଭରତ ସାକେଟଙ୍କୁ ପୋଲିସ ଗିରଫ କରିଛି।