ବାଣିଜ୍ୟ

ମିଶନ ଶକ୍ତିର ମହିଳାମାନଙ୍କୁ ସରକାର ଦେବେ ସାଇକେଲ

ଭୁବନେଶ୍ୱର,୧୩/୦୨/୨୦୨୩ –   ମିଶନ ଶକ୍ତିର ମା’ମାନଙ୍କୁ ମିଳିବ ସାଇକେଲ । ସେହିପରି ପୌରାଞ୍ଚଳରେ ବିଭିନ୍ନ ସେବାରେ ନିୟୋଜିତ ଥିବା କିନ୍ନରମାନଙ୍କୁ ମଧ୍ୟ ସାଇକେଲ ପ୍ରଦାନ କରାଯିବ । ସମ୍ପ୍ରତି ବିଭିନ୍ନ ଯୋଜନାରେ ନିୟୋଜିତ ଗୋଷ୍ଠୀଗୁଡିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।  ତେଣୁ କମ୍‌‌ ସମୟ ମଧ୍ୟରେ ଅଧିକ ଅଞ୍ଚଳ ଯାତାୟାତ ପାଇଁ ସାଇକଲ ଉପଯୋଗୀ ହୋଇ ପାରିବ।

ଏଥିନିମନ୍ତେ ହିତାଧିକାରୀ ଚିହ୍ନଟ ପାଇଁ ପୌରାଞ୍ଚଳରେ ‘ମୁକ୍ତା’ ଯୋଜନା ଅଧୀନରେ ଏକ କମିଟି ଗଠନ କରାଯିବ । ଏହି କମିଟି ସୁପାରିସ ଆଧାରରେ ହିତାଧିକାରୀଙ୍କୁ ସାଇକଲ ଯୋଗାଇ ଦିଆଯିବ । ତେବେ ରାଜ୍ୟର ସମସ୍ତ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି ମହିଳାମାନଙ୍କୁ ଏହି ସୁବିଧା ମିଳିବ ।

ବର୍ତ୍ତମାନ ଆହାର, ମୁକ୍ତା, ସ୍ୱଚ୍ଛ ସୁପରଭାଇଜର, ଜଳସାଥୀ, ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ ଏବଂ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳ ଆଦି କାର୍ଯ୍ୟକାରୀ ହେଉଛି । ଏଥିରେ ମହିଳା ଗୋଷ୍ଠୀ, ମିଶନ ଶକ୍ତି, କିନ୍ନର ଆଦି କାର୍ଯ୍ୟ କରୁଛନ୍ତି । ଜଳକର ଆଦାୟଠାରୁ ଆରମ୍ଭ କରି ଜଳର ମାନ ପରୀକ୍ଷା, ସଫେଇ କାର୍ଯ୍ୟରେ ବିଭିନ୍ନ ସ୍ଥାନକୁ ଯିବା ସହିତ ପରିମଳ ପାଇଁ ମଧ୍ୟ ମିଶନ ଶକ୍ତିର ମହିଳାମାନେ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଏଭଳି ମହିଳାମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସେମାନଙ୍କୁ ସାଇକଲ ପ୍ରଦାନ କରିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି । ଏହି ସାଇକଲଗୁଡିକ ସମସ୍ତ ପୌରସଂସ୍ଥାର କ୍ରୟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ ପୌରାଞ୍ଚଳସ୍ତରରେ ଗୋଟିଏ କମିଟି ଗଠନ କରାଯିବ। ଏହି କମିଟି ହିତାଧିକାରୀ ଚୟନ ସହିତ ପ୍ରତି ମାସରେ କାର୍ଯ୍ୟରତ ସଦସ୍ୟ ଏବଂ ଗୋଷ୍ଠୀମାନଙ୍କର ବ୍ୟାଙ୍କ୍‌‌ ଖାତାର ଅନୁଧ୍ୟାନ କରିବ। କମିଟି ହିତାଧିକାରୀଙ୍କ ତାଲିକା ଚୂଡାନ୍ତ କରିବା ପରେ ତାହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ। ରାଜ୍ୟ ସରକାର ଏହାକୁ ଅନୁମୋଦନ କରିବାପରେ ପୌରସଂସ୍ଥା ସ୍ତରରେ ସାଇକଲଗୁଡିକ ଉପଯୁକ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଯଦି ଜଣେ ମହିଳା ଏକାଧିକ ଯୋଜନାରେ ସାମିଲ ହୋଇ କାର୍ଯ୍ୟ କରୁଥିବେ, ତେବେ ତାଙ୍କୁ ଗୋଟିଏ ଯୋଜନାରେ ହିତାଧିକାରୀ ବୋଲି ଗ୍ରହଣ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com