ବିଜ୍ଞାନ ଓ ପ୍ରଯୁକ୍ତି

୨ ବର୍ଷ ମଧ୍ୟରେ ପୂରଣ ହେବ ଖାଲିଥିବା ୪୦ ହଜାର ଶିକ୍ଷକ ପଦ

ଭୁବନେଶ୍ୱର, ୦୨/୦୩/୨୦୨୩ –     ଆସନ୍ତା ୨ ବର୍ଷ ମଧ୍ୟରେ ଖାଲିଥିବା ପ୍ରାୟ ୪୦ ହଜାର ଶିକ୍ଷକ ପଦ ପୂରଣ ହେବ । ପ୍ରାଥମିକ ସ୍ତରରେ ଖୁବଶୀଘ୍ର ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ଗଣଶିକ୍ଷା ବିଭାଗରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପାଇଁ ନୀତିଗତ ନିଷ୍ପତ୍ତି ନିଆ ଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ପ୍ରାଥମିକ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ (ଯୋଜନା ଭିତ୍ତିରେ) ନିୟୋଜନ କରାଯିବ। ସେହିପରି ୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କର ପଦୋନ୍ନତି ପାଇଁ ‘ରେସିଡେନ୍ସି ପିରିୟଡ୍‌‌’ କୋହଳ କରାଯାଇଥିବାରୁ ଖାଲି ରହିଥିବା ବରିଷ୍ଠ ବର୍ଗର ଶିକ୍ଷକ ପଦ ତ୍ୱରିତ ପୂରଣ ହେବ ।

ସେହିପରି ମାଧ୍ୟମିକ ଶିକ୍ଷା ସ୍ତରରେ ୭, ୫୪୦ ଜଣ ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି । ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବାକୁ ୬, ୦୨୫ଟି LTR (ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ପଦ) ଶିକ୍ଷକ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ମାଧ୍ୟମିକ ବିଦ୍ୟାଳୟ ସହ ଜିଲ୍ଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ୍‌‌ ୧, ୭୯୯ କନିଷ୍ଠ ସହାୟକ ପଦ ପୂରଣ ସହ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨, ୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ସର୍ଭିସ୍‌‌ ସିଲେକ୍ସନ୍‌‌ ବୋର୍ଡ-(SSB)  ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ସେପଟେ ବିଭିନ୍ନ C.T. ସ୍କୁଲ୍‌‌ DIET ଓ BIETରେ ୧୨୦ଟି ଶିକ୍ଷକ-ପ୍ରଶିକ୍ଷକ ପଦବୀ ପୂରଣ କରିବାକୁ ମଧ୍ୟ OSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି OPSC ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୩୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ୧୫୦ ଜଣ PGTଙ୍କୁ ଇତିମଧ୍ୟରେ ନିଯୁକ୍ତି ମିଳିଥିବା ବେଳେ ୨୦୨୩-୨୪ ସୁଦ୍ଧା ଆହୁରି ୩୬୭ ଜଣ PGTଙ୍କୁ ନିଯୁକ୍ତ ହେବେ ।

ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୧୫୪୩ ଜଣ ପିଜିଟି ନିଯୁକ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ SSB ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୫୫୫ PGT ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com