ବିଜ୍ଞାନ ଓ ପ୍ରଯୁକ୍ତି

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏନ୍.ସି.ଡି.ସି

 ଭୁବନେଶ୍ୱର, ୩୦/୧୨/୨୦୨୨ –    ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଲୋକସେବା ଭବନ ସଭାଗୃହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ପଞ୍ଜିକୃତ-ଜମି ହସ୍ତାନ୍ତର ସଭା ଅନୁଷ୍ଠିତ ହୋଇଛି ।ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ ଧରଣର ରୂପାନ୍ତରଣ ପ୍ରକ୍ରିୟା ଚାଲୁରହିଛି । N.C.D.Cର ପ୍ରତିଷ୍ଠା ଏ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହେବ ।  R.M.R.C, I.L.S, AIIMS ଆଦି କେନ୍ଦ୍ରୀୟ ଅନୁଷ୍ଠାନ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂର୍ଣ୍ଣ ସହଭାଗିତାରେ କାର୍ଯ୍ୟକରି ଆସୁଛି ଯାହାକି ବିପର୍ଯ୍ୟୟ ସଂପର୍କିତ ରୋଗ ଏବଂ ମହାମାରୀ ନିୟନ୍ତ୍ରଣରେ ବହୁ ଫଳପ୍ରଦ ହୋଇଛି । N.C.D.C. ରାଜ୍ୟର ଜନ ସ୍ୱାସ୍ଥ୍ୟକୁ  ଆଗକୁ ନେବାରେ ବେଶ୍ ସହାୟକ ହେବ ।

ଏନ୍.ସି.ଡ଼ି.ସି ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବିନା ପ୍ରିମିୟମରେ ଜମି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ଭୁବନେଶ୍ୱର ଅନ୍ତର୍ଗତ ଅନ୍ଧାରୁଆ ମୌଜାରେ ୩.୧୨୫ ଏକର ଜମି ଚିହ୍ନଟ କରା ଯାଇଥିଲା । ଏହି ଜମିର ପଞ୍ଜୀକରଣ ଏବଂ ହସ୍ତାନ୍ତର କାର୍ଯ୍ୟ ସଂପନ୍ନ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ ଏବଂ ଭାରତ ସରକାରଙ୍କ ତରଫରୁ ମହାନିର୍ଦ୍ଦେଶକ ପ୍ରଫେସର ଗୋଏଲ୍ ଏହି ପଞ୍ଜୀକରଣ କବଲା ସ୍ୱାକ୍ଷର କରିଥିଲେ ।

ଏହି କେନ୍ଦ୍ର ରାଜ୍ୟରେ ସନ୍ୱିତ ରୋଗ ନିରୀକ୍ଷଣ, ପବ୍ଲିକ୍ ହେଲ୍ଥ୍ କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ଆହ୍ୱାନ, ମହାମାରୀ ପରବର୍ତ୍ତୀ ନିରୀକ୍ଷଣ, ବିଭିନ୍ନପ୍ରକାର ଭୁତାଣୁର ପୁନଃପୌନିକ ଦୃଶ୍ୟମାନତା ଆଦି କ୍ଷେତ୍ରରେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବ । ଏହି କେନ୍ଦ୍ରର ପ୍ରତିଷ୍ଠା ଓ ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଶାସନ ସଚିବ ଶାଳିନୀ ପଣ୍ଡିତ୍ କହିଛନ୍ତି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com