Breaking NewsFeaturedଜାତୀୟରାଜନୀତି

ଜୁନ୍‍ ୧୨ରେ ଜବଲପୁରରୁ କ୍ୟାମ୍ପେନ୍‍ ଆରମ୍ଭ କରିବେ ପ୍ରିୟଙ୍କା ଗାନ୍ଧି

 ସଜବାଜ ହେଲାଣି କଂଗ୍ରେସ ଶିବିର

ମୋବାଇଲ୍‍ ନ୍ୟୁଜ୍‍ ବ୍ୟୁରୋ: କର୍ଣ୍ଣାଟକରେ କାମ ଦେଇଛି କଂଗ୍ରେସର ରଣନୀତି । ସଜସଜ ଜିତିଛି କଂଗ୍ରେସ । ଆଉ ଏହାପରେ ଦଳକୁ ମିଳିଛି ଶକ୍ତି । ଆଉ ମଧ୍ୟପ୍ରଦେଶରେ ଏଭଳି ଶକ୍ତି ପ୍ରଦର୍ଶନ ପାଇଁ କଂଗ୍ରେସ ଶିବିର ସଜବାଜ ହୋଇଗଲାଣି । ଚଳିତ ବର୍ଷ ଶେଷ ପର୍ଯ୍ୟାୟକୁ ମଧ୍ୟପ୍ରଦେଶ ନିର୍ବାଚନ ହେବାର ସମ୍ଭାବନା ରହିଛି । ୨୦୧୮ରେ କଂଗ୍ରେସ ଏଠାରୁ ବିପୁଳ ବିଜୟ ଲାଭ କରିଥିଲା କିନ୍ତୁ ଅଧିକ ଦିନ ତିଷ୍ଠି ପାରିନଥିଲା । ୨୦୨୦ ମାର୍ଚ୍ଚରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା । ତେବେ ଆସନ୍ତା ନିର୍ବାଚନ ପାଇଁ ବରିଷ୍ଠ କଂଗ୍ରେସ ଲିଡର୍‍ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରସ୍ତୁତି ହୋଇଗଲେଣି । ଆସନ୍ତା ଜୁନ୍‍ ୧୨ରେ ଜବଲପୁରରୁ ସେ କ୍ୟାମ୍ପେନ୍‍ ଆରମ୍ଭ କରିବେ । ମଧ୍ୟପ୍ରଦେଶର ଜୀବନରେଖା କୁହାଯାଉଥିବା ନର୍ମଦା ନଦୀ ର ଗ୍ୱାରିଘାଟ ନିକଟରେ ପୂଜାପାଠ କରିବା ପରେ ପ୍ରିୟଙ୍କା ରୋଡ୍‍ ଶୋ’ ସମେତ ରାଲି ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି କୁହାଯାଇଛି ।

ଏଠାରେ ସ୍ମରଣଯୋଗ୍ୟ ଯେ ମଧ୍ୟପ୍ରଦେଶର ମହାକୋଶଳ ରିଜିନ୍‍ ଅନ୍ତର୍ଗତ ଜବଲପୁର ହେଉଛି ସବୁଠୁ ବଡ଼ ସହର । ଏଠାରୁ ୨୦୧୮ରେ କଂଗ୍ରେସ ବିରାଟ ବିଜୟ ହାସଲ କରିଥିଲା । କେବଳ ମହାକୋଶଳ ରିଜିନରେ ୧୩ଟି ଏସ୍‍ଟି ସଂରକ୍ଷିତ ଆସନରୁ କଂଗ୍ରେସ ୧୧ଟିରେ ବିଜୟ ଲାଭ କରିଥିଲା । ଆଉ ଦୁଇଟି ବିଜେପି ଖାତାକୁ ଯାଇଥିଲା । କିନ୍ତୁ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ତାଙ୍କୁ ସମର୍ଥନ କରୁଥିବା ୨୦ରୁ ଅଧିକ ବିଧାୟକ ବିଦ୍ରୋହ କରିଥିଲେ । ଫଳରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା ଓ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆସିବା ପାଇଁ ରାସ୍ତା ପ୍ରଶସ୍ତ ହୋଇଯାଇଥିଲା ।
ତେଣୁ ପୁଣି ମଧ୍ୟପ୍ରଦେଶ କବ୍ଚା କରିବା ଲକ୍ଷ୍ୟରେ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛି କଂଗ୍ରେସ । ପ୍ରିୟଙ୍କା ଏହାର ଶୁଭାରମ୍ଭ କରିବେ । ଜୁନ୍‍ ୧୨ରେ ହେବାକୁ ଥିବା ରୋଡ୍‍ ଶୋ’, ରାଲି ଓ ଜନସଭାରେ ପ୍ରିୟଙ୍କ ସକ୍ରିୟ ଭୂମିକା ଗ୍ରହଣ କରିବେ । ଏଥିସହ ଦଳର ଲକ୍ଷ୍ୟ ସମ୍ପର୍କରେ ଜନତାଙ୍କୁ ଉଦବୋଧନ ଦେବେ ଏବଂ ସଂକଳ୍ପ-୨୦୨୩ର ଶୁଭାରମ୍ଭ କରିବେ ବୋଲି କଂଗ୍ରେସ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ତରୁଣ ଭାନଟ୍‍ ସୂଚନା ଦେଇଛନ୍ତି । ସେହିପରି ୨ କିଲୋମିଟ ବ୍ୟାପି ରୋଡ୍‍ ଶୋ’ରେ ଦେଢ଼ରୁ ୨ ଲକ୍ଷ ଲୋକ ଅଂଶଗ୍ରହଣ କରିବାର ରୋଡ୍‍ ମ୍ୟାପ୍‍ କରାଯାଇଥିବା ଜବଲପୁର ମେୟର ତଥା କଂଗ୍ରେସ ନେତା ଜଗତ ବାହାଦୁର ସିଂହ ପ୍ରକାଶ କରିଛନ୍ତି । ଏଥିସହ ଜବଲପୁର ଡିଭିଜନ୍‍ ଅନ୍ତର୍ଗତ ୮ଟି ଜିଲ୍ଲାର ଜନସାଧାରଣ ବିଜେପି ଶାସନରେ ଅତିଷ୍ଟ ହୋଇପଡ଼ିଲେଣି ଏବଂ ୨୦୨୩ ନିର୍ବାଚନରେ ମହାକୋଶଳ ରିଜିନରେ କଂଗ୍ରେସ ସବୁ ଆସନ ପୋଛି ନେବ ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି ଶ୍ରୀ ସିଂହ ।
() ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ରାହୁଲଙ୍କ ସହ ମିଶି ପ୍ରିୟଙ୍କା କ୍ୟାମ୍ପେନ୍‍ କରିଥିଲେ । ଆଉ ଉଭୟ ରାଜ୍ୟରେ କଂଗ୍ରେସ ବାଜିମାତ୍‍ କରିପାରିଛି । ଏ ଦିଗରେ ପ୍ରିୟଙ୍କାଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ । ତେଣୁ ତାଙ୍କୁ ଖୁବ୍‍ ଭରସା କରୁଛନ୍ତି ଦଳୀୟ ନେତା ।

ତେବେ ମଧ୍ୟପ୍ରଦେଶରେ ମହାକୋଶଳ, ଗ୍ୱାଲିଅର୍‍-ଚମ୍ବଲ, ସେଣ୍ଟ୍ରାଲ୍‍ ଇଣ୍ଡିଆ, ନିମର-ମାଲୱା, ବିନ୍ଧ ଏବଂ ବୁନ୍ଦେଲ ଭଳି ୬ଟି ରିଜିଅନ୍‍ ରହିଛି। ଏଠାରେ ପ୍ରଶ୍ନ ଉଠୁଛି ପ୍ରିୟଙ୍କା କ୍ୟାମ୍ପେନ୍‍ ଆରମ୍ଭ କରିବାକୁ ମହାକୋଶଳକୁ ବାଛିଲେ କାହିଁକି? ଆସନ୍ତୁ ଜାଣିବା ଏହାର କାରଣ କଣ…

ରାହୁଳଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରାରୁ ବାଦ୍‍ ପଡ଼ିଥିଲା ମହାକୋଶଳ ରିଜିନ୍ । କିନ୍ତୁ ମାଲୱା ଓ ସେଣ୍ଟ୍ରାଲ୍‍ ଇଣ୍ଡିଆରେ କଂଗ୍ରେସକୁ ମିଳିଥିଲା ଖୁବ୍‍ ଜନସମର୍ଥନ । ଖାଲି ସେତିକି ନୁହେଁ, ମହାକୋଶଳରେ ରାଲି ଓ ସଭା ହେଲେ ଏହା ପଡ଼ୋଶୀରେ ଥିବା ବିନ୍ଧ ସମେତ ବୁନ୍ଦେଲଖଣ୍ଡ ରିଜିନରେ ମଧ୍ୟ ଭଲ ପ୍ରଭାବ ପକାଇବ । ଏପରିକି ମହାକୋଶଳ ରିଜିନ ହେଉଛି ଆଦିବାସୀ ବହୁଳ କ୍ଷେତ୍ର । ଯେଉଁମାନେକି ପାରମ୍ପରିକ ଭାବେ କଂଗ୍ରେସକୁ ଭୋଟ୍‍ ଦେଇ ଆସୁଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଏହି କ୍ଷେତ୍ରରେ ବିଜେପି ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଜବଲପୁର, କଟନି, ସିଓନି, ନରସିଂହପୁର, ବଲାଘାଟ, ମାଣ୍ଡଲା, ଦିନ୍ଦୋରୀ ଓ ଛିଣ୍ଡୱାଡା ଜିଲ୍ଲାକୁ ନେଇ ଗଠିତ ଜବଲପୁର ଡିଭିଜନର ମହାପ୍ରଭାବ ରହିଛି ମହାକୋଶଳ ରିଜିନ୍‍ରେ । ଗତ ବିଧାନସଭା ନିର୍ବାଚନରେ ଏହି ଡିଭିଜନ ଅନ୍ତର୍ଗତ ୩୮ ସିଟ୍‍ରୁ କଂଗ୍ରେସ ୨୪ଟିରେ ବିଜୟ ଲାଭ କରିଥିବାବେଳେ ବିଜେପି ଖାତାକୁ ଯାଇଥିଲା ୧୩ଟି । ସେହିପରି ଗୋଟିଏ ଆସନରେ ସ୍ୱାଧୀନ ବିଧାୟକ ରହିଥିଲେ । ଏପରିକି ରାଜ୍ୟ କଂଗ୍ରେସ ମରକ୍ଷକ୍ଷକ୍ଟଆ କମଲନାଥଙ୍କ ନିଜ ଜିଲ୍ଲା ଛିଣ୍ଡୱାଡାରେ ସମସ୍ତ ୭ଟି ଆସନ ପୋଛିନେଇଥିଲା କଂଗ୍ରେସ । କମଲନାଥ ବହୁବାର ସାଂସଦ ରହିଥିବାବେଳେ ବର୍ତ୍ତମାନ ବିଧାୟକ ଅଛନ୍ତି । ତାଙ୍କର ଅଖଣ୍ଡ ପ୍ରଭାବ ରହିଛି ନିଜ ଅଞ୍ଚଳରେ । ପୂର୍ବରୁ ୨୦୧୩ ନିର୍ବାଚନରେ ମହାକୋଶଳ ରିଜିନ୍‍ର ୩୮ ଆସନରୁ ବିଜେପି ୨୪ଟିରେ ବିଜୟଲାଭ କରିଥିବାବେଳେ କଂଗ୍ରେସ ଭାଗରେ ପଡ଼ିଥିଲା ୧୩ଟି । ଫଳାଫଳ ଏମିତି ହେଲା ବିଜେପି ଶିବରାଜ ସିଂହ ଚୌହ୍ୱାନଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା । ଏ ସମସ୍ତ ଦୃଷ୍ଟିରୁ ମହାକୋଶଳ ରିଜିନ୍‍ ବେଶ୍‍ ଗୁରୁତ୍ୱ ବହନ କରୁଛି ।

ତେଣୁ ପ୍ରିୟଙ୍କା ଏହି କ୍ଷେତ୍ରରୁ ହିଁ ନିଜର କ୍ୟାମ୍ପେନ୍‍ ଶୁଭାରମ୍ଭ କରିବାକୁ ଯାଉଥିବା ସ୍ପଷ୍ଟ ଜଣାପଡୁଛି । ତେବେ ଆଗକୁ କଂଗ୍ରେସ କେମିତି ଫଳାଫଳ କରିବ ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com