ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!
BJD ସରକାରରେ ବଦଳିପାରେ ଟ୍ରେଣ୍ଡ୍
![first woman speaker of Odisha](https://i0.wp.com/odia.mobilenews24x7.com/wp-content/uploads/2023/05/bachapati_00000.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଗତ ମେ ୨୨ରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଛୋଟ ଧରଣର ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ସାରଦା ନାୟକଙ୍କୁ ଶ୍ରମ ବିଭାଗ, ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ବିଭାଗ ଓ ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ । ସବୁ ବିଭାଗକୁ ତ ମନ୍ତ୍ରୀ ମିଳିଗଲେ, କିନ୍ତୁ ଖାଲି ରହିଗଲା ବାଚସ୍ପତି ପଦବୀ । କାରଣ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଛନ୍ତି । ତେବେ ନିର୍ବାଚନୀ ବର୍ଷରେ କିଏ ହେବ ବାଚସ୍ପତି ତାକୁ ନେଇ ଏବେ ଚାଲିଛି ପ୍ରବଳ ଚର୍ଚ୍ଚା ଆଉ ଆଲୋଚନା ।
ଏନେଇ କିଛି ପୁରୁଖା ବିଧାୟକଙ୍କ ନାଁ ରେ ଚର୍ଚ୍ଚା ବି ହେଉଛି । କିଛି ବିଧାୟକ ପାରିବାରିକ ତଥା ଅନ୍ୟ ବିବାଦ ପାଇଁ ଏ ତାଲିକାରୁୁ କଟିଗଲେଣି । ହେଲେ ଏବେ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, ବଡଚଣା ବିଧାୟକ ଅମର ଶତପଥୀ, କାମାକ୍ଷା ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଓ ଭଣ୍ଡାରୀପୋଖରି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନାଁରେ ଏବେ ପ୍ରବଳ ଚର୍ଚ୍ଚା । ଏମାନେ ସବୁ ଦଳର ବରିଷ୍ଠ ନେତା ଏବଂ ଏମାନଙ୍କ ପାଖରେ ବ୍ୟାପକ ଅଭିଜ୍ଞତା ବି ରହିଛି । ମନ୍ତ୍ରୀମଣ୍ଡଳ ଗଠନକୁ ତିନି ଦିନ ବିତିଲାଣି କିନ୍ତୁ କାହିଁକି ଦଳ ଘୋଷଣା କରୁନି ବାଚସ୍ପଚିଙ୍କ ନାଁ । ଏଇ ଦଳ ନିରବ ଆଉ ମୁଖ୍ୟମନ୍ତ୍ରୀ ବି ଚୁପ । ଏଠି ନବୀନ ପୁଣି ଏକ ମାଷ୍ଟରଷ୍ଟ୍ରୋକ୍ ମାରିବାକୁ ଯାଉ ନାହାନ୍ତି ତ । ପୁଣି ନାରୀ ସଶକ୍ତିକରଣ ଉଦାହରଣ ପାଇଁ ଜଣେ ମହିଳାଙ୍କୁ ବାଚସ୍ପତି କରୁନାହାନ୍ତି ତ । ଏବେ ଏମିତି କିଛି ଚର୍ଚ୍ଚା ବି ସାମ୍ନାକୁ ଆସିଲାଣି ।କାରଣ ମୁଖ୍ୟମନ୍ତ୍ରୀ ତାଙ୍କର ତୃତୀୟ ଓ ଚତୁର୍ଥ ଟର୍ମରେ ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ସେମିତି ବି ଓଡିଶାରେ ଆଜି ପର୍ଯ୍ୟନ୍ତ କୌଣସି ବିଧାୟିକା ବାଚସ୍ପତି ପଦରେ ବସି ନାହାନ୍ତି । ତେଣୁ ନବୀନ ଏଇ ନିର୍ବାଚନୀ ବର୍ଷରେ କୌଣସି ବିଧାୟିକାଙ୍କୁ ଗୃହ ଚଲାଇବାର ଦାୟିତ୍ୱ ଦେଇ ପାରନ୍ତି । ତେବେ ଏନେଇ ଅନେକ ବିଧାୟିକଙ୍କ ନାଁ ଚର୍ଚ୍ଚା ହେଉଥିଲେ ବି ରେସରେ ୨ ଜଣ ପ୍ରାର୍ଥୀ ରହିଛନ୍ତି ଆଗରେ ।
ପୂର୍ବରୁ ପ୍ରମିଳା ମଲ୍ଲିକ, ଉଷା ଦେବୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ, ପଦ୍ମିନି ଦିଆନ ଓ ରିତା ସାହୁଙ୍କ ନାଁରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ ମେ ୨୨ରେ ପରିବର୍ତ୍ତନ ହୋଇଥିବା ମନ୍ତ୍ରୀମଣ୍ଡଳରେ ପୁଣି ଥରେ ସ୍ଥାନ ପାଇଥିଲେ ରିତା, ଟୁକୁନି, ଉଷା ଓ ପ୍ରମିଳା । ବିଜେପୁର ବିଧାୟିକା ରିତା ସାହୁଙ୍କ ପାଖରେ ହସ୍ତତନ୍ତ ଓ ବୟନ ଶିଳ୍ପ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଚିକିଟି ବିଧାୟିକା ଉଷା ଦେବୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ରହିଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପାଖରେ ଓ ଟିଟିଲାଗଡ ବିଧାୟିକା ଟୁକୁନିଙ୍କ ହାତରେ ରହିଲା ବାଣିଜ୍ୟ ଓ ପରିବହନ ବିଭାଗ । ତେଣୁ ଏଇ ଚାରି ଜଣ ବିଧାୟିକା ମନ୍ତ୍ରୀ ହେବା ସହ କଟିଗଲେ ବାଚସ୍ପତି ରେସରୁ । ଆଉ ରହିଲେ ସ୍ନେହାଙ୍ଗିନି ଛୁରିଆ ଓ ପଦ୍ମିନି ଡିଆନ । ତେଣୁ ଏଇ ଦୁଇ ଜଣ ନାରୀ ନେତ୍ରୀଙ୍କ ନାଁକୁ ନେଇ ଏବେ ପ୍ରବଳ ଚର୍ଚ୍ଚା ଚାଲିଛି । ସେପଟେ ପଶ୍ଚିମ ଓଡିଶାରେ ଏବେ ରାଜନୈତିକ ମାହୋଲ ଟିକେ ଗୋଳିଆ ହୋଇ ପଡିଛି । ନୂଆ ମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଅସନ୍ତୋସ ତେଜିଥିବାର ମଧ୍ୟ ସୁରାକ ପାଇଛି ଥାର୍ଡ ଫ୍ଲୋର । ତେଣୁ ପୁଣି ଜଣେ ପଶ୍ଚିମ ଓଡ଼ିଶାର ବିଧାୟିକାଙ୍କୁ ଏଇ ସମ୍ମାନଜନକ ବାଚସ୍ପତି ପଦବୀରେ ବସାଇବା କିଛି ଅସମ୍ଭବ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି।
ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!