Breaking NewsFeaturedଜାତୀୟରାଜନୀତି

୨୦୨୪ ନିର୍ବାଚନ: NDA vs INDIA ଭିତରେ ହେବ ଲଢ଼େଇ

ବିରୋଧୀଙ୍କ ନାରା ହେବ Vote for INDIA

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦେଶରେ ଚାଲିଛି ସମର ସଜ୍ଜା । ତୁହାକୁ ତୁହା ହେଉଛି ବୈଠକ ଆଉ ପ୍ରସ୍ତୁତ ହେଉଛି ରଣନୀତି । ଏହାରି ଭିତରେ ବିରୋଧୀ ଦଳଗୁଡ଼ିକର ମେଳି ଜୋର ଧରିଛି । ପାଟନା ମହାବୈଠକ ପରେ ୧୭ରୁ ଆରମ୍ଭ ହୋଇଥିଲା ବେଙ୍ଗାଲୁରୁରେ ବୈଠକ । ଦୁଇଦିନିଆ ଏହି ବୈଠକର ଅନ୍ତିମ ଦିନ ମଙ୍ଗଳବାରରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଘୋଷଣା ହୋଇଛି ସେମାନଙ୍କ ମେଣ୍ଟର ନୂଆ ନାମ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଘୋଷଣା କରିଛନ୍ତି ଏହି ନାଁ । ବିରୋଧୀ ମେଣ୍ଟର ନାମ ରହିଛି – ଇଣ୍ଡିଆ । ଅର୍ଥାତ୍ ଇଣ୍ଡିଆନ୍ ନେସନାଲ୍ ଡେଭଲୋପମେଣ୍ଟାଲ୍ ଇନକ୍ଳୁସିଭ୍ ଆଲିଆନ୍ସ । ବିଶେଷ ସୂଚନା ଅନୁସାରେ ଏହି ନାମ ଦେଇଛନ୍ତି ରାହୁଲ ଗାନ୍ଧି । ଯାହାକି କଂଗ୍ରେସ ସମେତ ଅନ୍ୟ ୨୫ ଦଳ ମଧ୍ୟରେ ସମ୍ମାନର ସହ ସ୍ୱୀକୃତି ପାଇଛି ଇଣ୍ଡିଆ ନାଁ ।

ଏଠାରେ କହିରଖୁଛୁ ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ବା ନେସନାଲ୍ ଡେମ୍ରୋକାଟିକ୍ ଆଲିଆନ୍ସ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି ନୂଆ ଜନ୍ମଲାଭ କରିଥିବା ଇଣ୍ଡିଆ । ଅର୍ଥାତ୍ ଆସନ୍ତା ୨୦୨୪ ନିର୍ବାଚନ ହେବ ଏନଡିଏ ବନାମ ଇଣ୍ଡିଆ । ସବୁଠାରୁ ବଡ଼କଥା ହେଉଛି ଇଣ୍ଡିଆ କହିଲେ ସାଧାରଣତଃ ଦେଶର ନାମକୁ ଲୋକେ ବୁଝନ୍ତି ଓ ଦେଶପ୍ରେମର କଥା ସ୍ୱତଃ ମନକୁ ଆସିଯାଏ । ତେଣୁ ଏବେ ବିରୋଧୀ ମେଂଟ ଲୋକଙ୍କୁ ନାରା ଦେବା ସ୍ପଷ୍ଟ ହେଉଛି ଯେ – ଭୋଟ୍ ଫର୍ ଇଣ୍ଡିଆ । କାରଣ ଇଣ୍ଡିଆ ବା ଦେଶ କେବେ ହାରିଯାଉ, ଏଭଳି ଚିନ୍ତା ସାଧାରଣ ଜନତା କେହି ଚିନ୍ତା କରିପାରନ୍ତି ନାହିଁ। ଏହାକୁ ଚିନ୍ତନ କରି ରାହୁଲ ଗାନ୍ଧି ଏଭଳି ନିଆରା ନାମ ଚୟନ କରିଥିବା ପ୍ରତୀତ ହେଉଛି । ଖାଲି ସେତିକି ନୁହେଁ, ଏହା ପୂର୍ବରୁ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରିଥିଲେ । ବିରୋଧୀମାନଙ୍କ ଅଭିଯୋଗ ଅନୁସାରେ ଦେଶରେ ଏନଡିଏ ଚଳାଇଛି ତାନଶାହ ଶାସନ । ସବୁକିଛି ଭାଙ୍ଗି ଭୁଶୁଡ଼ି ଗଲାଣି । ତେଣୁ ଇଣ୍ଡିଆ ବା ଭାରତକୁ ପୁଣି ଯୋଡ଼ିବାକୁ ହେବ- ଏହି ନାରା ଦେଇ ରାହୁଲ କରିଥିଲେ ଭାରତ ଯୋଡ଼ ଯାତ୍ରା । ତେଣୁ ଏବେ ଘୋଷଣା ହୋଇଥିବା ଇଣ୍ଡିଆ ନାମକରଣ ତାଙ୍କର ମାନଓ ପ୍ରସୂତ ହୋଇଥିବା ସ୍ପଷ୍ଟ ଜଣାପଡୁଛି ।

ଅନ୍ୟପକ୍ଷରେ କଂଗ୍ରେସକୁ ଅନ୍ୟ ୨୫ ଦଳ ଯେଉଁଭଳି ସମ୍ମାନ ଜଣାଉଥିଲେ ଓ ବ୍ୟବହାର ପ୍ରଦର୍ଶନ କରୁଥିଲେ ସେଥିରୁ ଅନୁମାନ କରାଯାଉଛି କଂଗ୍ରେସ ହିଁ ବିରୋଧୀ ଦଳ ବା ମେଂଟର ନେତୃତ୍ୱ ନେବ ଏବଂ କଂଗ୍ରେସର ମାର୍ଗ ଦର୍ଶନରେ ଅନ୍ୟମାନେ ଚାଲିବେ । ବର୍ତ୍ତମାନ କଂଗ୍ରେସ ନୁହେଁ, ଏଣିକି ଇଣ୍ଡିଆ ଉଠାଇବ ଦେଶର ଶିକ୍ଷା, ବେକାରି, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ । ତେବେ ନିର୍ବାଚନ ପୂର୍ବରୁ ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏଠାରେ ଇଣ୍ଡିଆ ପକ୍ଷରୁ କିଛି ଝଲକ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ସେପଟେ ଆସନ୍ତା ୨୧ରେ ସୁପ୍ରିମକୋର୍ଟ ଶୁଣାଇବେ ରାହୁଲଙ୍କ ବିରୋଧରେ ରହିଥିବା ମାମଲା । ଯଦି ରାହୁଲଙ୍କୁ ଆଶ୍ୱସ୍ତି ମିଳିଯାଏ ତେବେ ଇଣ୍ଡିଆ ଆହୁରି ଦୃଢ଼ତାର ସହ ଶକ୍ତି ସଂଚୟ କରିପାରେ ବୋଲି ରାଜନୀତିକ ବିଶେଷଜ୍ଞ ମତ ଦେଲେଣି ।

ଏଠାରେ କହି ରଖୁଛୁ ଯେ ଏହା ପୂର୍ବରୁ ଏନଡିଏ ବିରୋଧୀ ମେଂଟ ୟୁପିଏ ବା ଉପା ନାମରେ ଜଣାଶୁଣା ଥିଲା । ଯାହାକି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର କ୍ଷମତାରେ ରହିଥିଲା । ସେ ଯାହା ବି ହେଉ ଆଗକୁ ଏନଡିଏ ବନାମ ଇଣ୍ଡିଆ ଲଢ଼େଇ କିଭଳି ପରିସ୍ଥିତି ସୃଷ୍ଟି କରୁଛି ଓ ଦେଶବାସୀ କାହାକୁ ଅଧିକ ଗ୍ରହଣ କରୁଛି ତାହା ଆଗକୁ ଜଣାପଡ଼ିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com