Breaking NewsFeaturedକ୍ରୀଡ଼ା

ଭାରତ ଆଗରେ ଚିତପଟାଙ୍ଗ ପାକିସ୍ତାନ

ଏସିଆ କପ ୨୦୨୩ର ସୁପର – ୪ରେ ଭାରତୀୟ ଟିମର ବୃହତ ବିଜୟ । ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ଚିତପଟାଙ୍ଗ ହୋଇପଡିଲା ପାକିସ୍ତାନ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି ଭାରତ । ବର୍ଷା ବାଧକ ସତ୍ୱେ ଦୁଇ ଦିନ ଧରି ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ଉଭୟଙ୍କ ଅର୍ଦ୍ଧଶତକୀୟ ପାଳି ଭାରତ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲା । ହେଲେ ରିଜର୍ଭ ଡେରେ ବିରାଟ କୋହଲି ଓ କେଏଲ ରାହୁଲ ଉଭୟ ଶତକୀୟ ପାଳି ଖେଳି ଭାରତକୁ ୩୫୬ ରନରେ ପହଞ୍ଚାଇଥିଲେ ।

ପାକିସ୍ତାନ ଏହି ବିଶାଳ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଖେଳାଳିଙ୍କ ବୋଲିଂ ଆଗରେ ଧରାସାୟୀ ହୋଇପଡିଥିଲେ । ମାତ୍ର ୧୨୮ ରନରେ ସମସ୍ତ ଓି୍ୱକେଟ ହରାଇଥିଲା ପାକିସ୍ତାନ । ଫଳରେ ୨୨୮ ରନରେ ଏକ ବିରାଟ ବିଜୟ ହାସଲ କରିଛି ଭାରତ । ରବିବାର ଆରମ୍ଭ ହୋଇଥିବା ମ୍ୟାଚରେ ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଶୁଭମନ ଗିଲ ଏବଂ ଅଧିନାୟକ ରୋହିତ ଶର୍ମା ଶତର୍କତାର ସହ ଖେଳି ଦଳ ପାଇଁ ଏକ ଦୃଢ ମୂଳଦୂଆ ପକାଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ ।

ଏହାପରେ ପଡିଆକୁ ଓହ୍ଲାଇଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଭାରତର ସ୍କୋର ୨ ଓି୍ୱକେଟରେ ୧୪୭ ରନ ଥିବା ବେଳେ ବାଧକ ସାଜିଥିଲା ବର୍ଷା । ଫଳରେ ପୁନର୍ବାର ଖେଳ ଆରମ୍ଭ ହୋଇପାରିନଥିଲା । ପୂର୍ବ ନିର୍ଦ୍ଧାରିତ ରିଜର୍ଭ ଡେ ଅନୁଯାୟୀ ସୋମବାର ସେହିଠାରୁ ପୁଣି ଖେଳ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିନରେ ୧୪୭ ରନରୁ ଖେଳ ଆରମ୍ଭ କରି କେଏଲ ରାହୁଲ ଓ ବିରାଟ କୋହଲିଙ୍କ ୨୩୩ରନ ପାର୍ଟନରସିପ୍ ବଳରେ ଭାରତ ୩୫୬ରନ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନକୁ ବିଜୟ ପାଇଁ ୩୫୭ ରନର ବଡ଼ ଟାର୍ଗେଟ ମିଳିଥିଲା । ହେଲେ ଭାରତୀୟ ବୋଲିଂ ଆଟାକ୍‌କୁ ସାମ୍ନା କରିବା ଦଳ ପାଇଁ ଏତେ ସହଜ ହୋଇନଥିଲା । ଦଳୀୟ ଓପନର ଇମାମ୍‌-ଉଲ୍‌-ହକ୍‌ ମାତ୍ର ୯ ରନ କରି ପ୍ରଥମେ ବୁମ୍‌ରାଙ୍କ ଶିକାର ପାଲଟିଥିଲେ । ଦୀର୍ଘ ସମୟ ଧରି ପଡ଼ିଆରେ ସଙ୍ଘର୍ଷ କରୁଥିବା ଫଖର ଜମାନ ୫୦ ବଲରୁ ମାତ୍ର ୨୭ ରନ କରି ଆଉଟ୍‌ ହୋଇଥିଲେ ।

ଏହାପରେ ଅଧିନାୟକ ବାବର ଆଜମ କେବଳ ୧୦ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଘା ସଲ୍‌ମାନ ଓ ଇଫ୍‌ତିଖାର ଅହମ୍ମଦ ୨୩ ରନ ଲେଖାଏଁ କରି ଆଉଟ୍‌ ହୋଇଥିବାବେଳେ ଅନ୍ୟ କୌଣସି ବ୍ୟାଟର ୨ ଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ବ୍ୟାଟିଂ ବିପର୍ୟ୍ୟର ସମ୍ମୁଖୀନ ହୋଇ ପାକିସ୍ତାନ କେବଳ ୩୨ ଓଭରରେ ୧୨୮ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା । ପାକିସ୍ତାନକୁ ବୃହତ ବ୍ୟବଧାନରେ ପରାଜୟ କରିବା ପରେ ସାରା ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଲୋକେ ରାସ୍ତାକୁ ଓହ୍ଲାଇ ଆସି ବାଣ ଫୁଟାଇ ବାଜା ବଜାଇ ହାତରେ ତ୍ରିରଙ୍ଗା ପତାକା ଧରି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ସେପଟେ ଆଜି ସୁପର ଫୋର ମୁକାବିଲାର ନିଜ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଟିମ ଇଣ୍ଡିଆ ।

Related Articles

Back to top button
WP Twitter Auto Publish Powered By : XYZScripts.com