Breaking NewsFeaturedକ୍ରୀଡ଼ା

ଗିଲ୍‌ଙ୍କ ପାଇଁ ଛାନିଆଁ ବାବର

ଆରମ୍ଭ ହୋଇନି ବିଶ୍ୱକପ । କିନ୍ତୁ ଏବେଠାରୁ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏବଂ ପାକିସ୍ତାନ କ୍ୟାପଟେନ ବାବର ଆଜମଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି । ଆଉ ଏହି ପ୍ରତିଦ୍ୱନ୍ଦିତା ହେଉଛି ୧ ନମ୍ବର ସ୍ଥାନ ପାଇଁ । ବର୍ତ୍ତମାନ ସୁଦ୍ଧା ବାବର ୮୫୭ ରେଟିଂ ପଏଣ୍ଟ ପାଇ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ଥିବାବେଳେ ଗିଲ୍ ୮୧୪ ପଏଣ୍ଟ ସହ ତାଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି । ପ୍ରତ୍ୟେକ ମ୍ୟାଚ୍‌ରେ ଗିଲ ଦମ୍‌ଦାର ପ୍ରଦର୍ଶନ କରି ଶୀର୍ଷ ମାନ୍ୟତାର ନିକଟତର ହେଇଛନ୍ତି ।

ତେବେ ଶୀର୍ଷ ସ୍ଥାନ ପାଇଁ ଗିଲ୍ ପାଖରେ ସୁଯୋଗ ରହିଥିଲେ ମଧ୍ୟ ଭାରତୀୟ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଏହି ସୁଯୋଗ ଦେଇନଥିଲା । କାରଣ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଆଉ ମାତ୍ର ଗୋଟିଏ ପାଳିରୁ ୨୨ ରନ ବାକି ଥିବାବେଳେ ୪୩ ପଏଣ୍ଟର ଆବଶ୍ୟକତା ରହିଛି । ଯଦି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ତାଙ୍କୁ ନବସାଇ ଖେଳିବାର ସୁଯୋଗ ଦିଆଯାଇଥାନ୍ତା ତେବେ ବୋଧହୁଏ ଏହି ମ୍ୟାଚରେ ହିଁ ବାବରଙ୍କୁ ପଛରେ ପକାଇ ଦେଇଥାନ୍ତେ ଗିଲ୍ । କିନ୍ତୁ ବର୍ତ୍ତମାନ ବିଶ୍ୱକପରେ ଏକାଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ୍ ଥିବାରୁ ଗିଲଙ୍କୁ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ସେପଟେ ଗିଲ୍ ଶୀର୍ଷ ସ୍ଥାନର ନିକଟତର ହୋଇଥିବାରୁ ବାବରଙ୍କ ଛାତିରେ ବି ଛନକା ପଶିଲାଣି । କାରଣ ଦୀର୍ଘ ଦିନଧରି ସେ ୧ ନମ୍ବର ସ୍ଥାନ ଦଖଲ କରିଆସୁଛନ୍ତି ।

ଭାରତ-ପାକିସ୍ତାନ ଦୁହେଁ ପାରମ୍ପରିକ ପ୍ରତିଦ୍ୱନ୍ଦୀ ହୋଇଥିବାରୁ ଜଣେ ଭାରତୀୟ ତାଙ୍କୁ ଗାଦିଚ୍ୟୁତ କରିବା ସମ୍ଭାବନାକୁ ହୁଏତ ବାବର ସହଜରେ ହଜମ କରି ନପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଯେଉଁଥିପାଇଁ ସେ ଚିନ୍ତାରେ ରହିପାରନ୍ତି । ଅନ୍ୟପଟେ ବାବର ବର୍ତ୍ତମାନ ଭଲ ଫର୍ମରେ ନଥିବାରୁ ଗିଲଙ୍କ ପାଇଁ ଏହା ଆଉ ଏକ ସୁଯୋଗ ହେବ । ତେବେ ବାବରଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ଗିଲ । ଚଳିତ ବର୍ଷ ଦିନିକିଆରେ ଶତକୀୟ ଭାଗୀଦାରି କରିବାରେ ଗିଲ୍ ଏବେ ବାବରଙ୍କୁ ଟପି ଯାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶ୍ରେସ ଆୟରଙ୍କ ସହ ମିଶି ଗିଲ୍ ଦ୍ବିଶତୀୟ ଭାଗୀଦାରି କରିବା ଦ୍ବାରା ମୋଟ୍ ୭ ଶତକୀୟ ଭାଗୀଦାରିରେ ସେ ସାମିଲ ହୋଇଛନ୍ତି । ଯେତେବେଳେ କି ବାବର ମାତ୍ର ୬ଟି ଶତକୀୟ ଭାଗୀଦାରି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com